କାହିଁକି ନବୀନ କହିପାରୁ ନାହାନ୍ତି ‘ମନ୍ କି ବାତ୍’? ଘୋଷଣାରେ ସୀମିତ ରହିଗଲା ବିଜୁ ଗାଁ ରେଡ଼ିଓ ଯୋଜନା! Kanak News

କନକ ବ୍ୟୁରୋ: ୨୦୧୬ ମସିହା ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଲା ରେଡିଓରେ ପ୍ରତି ମାସରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଷ୍ଟାଇଲରେ ରେଡିଓ ଜରିଆରେ ନବୀନଙ୍କ ‘ମନ୍ କି ବାତ୍’କୁ ନେଇ ଚର୍ଚ୍ଚା ଯୋର ଧରିଲା। ଏଥିପାଇଁ ସରକାର ରାଜ୍ୟର ସମସ୍ତ ଜିଲ୍ଲାରେ ମୋଟ ୩୦ଟି କମ୍ୟୁନିଟି ରେଡିଓ ଷ୍ଟେସନ୍ ଖୋଲିବାକୁ ବ୍ଲୁ ପ୍ରିଂଟ୍ ପ୍ରସ୍ତୁତ କଲେ। ଏଥିପାଇଁ ବିଜୁ ଗାଁ ରେଡିଓ ନାମରେ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହେଲା। ସାଧାରଣ ଲୋକଙ୍କ ପାଖରେ ସରକାରୀ କାର୍ଯ୍ୟାକ୍ରମ ଓ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାଗୁଡିକ ସମ୍ପର୍କରେ ସୂଚନା ପହଂଚାଇବା ଉଦ୍ଦେଶ୍ୟରେ ଏହି ଯୋଜନାର ପରିକଳ୍ପନା କରାଯାଇଥିଲା। ଜିଲ୍ଲା ସ୍ତରରେ ଥିବା କୃଷି ବିଜ୍ଞାନ କେନ୍ଦ୍ରଗୁଡିକରେ ଏହା କାର୍ଯ୍ୟ କରିବା ସହ କୃଷି ବିଭାଗ ଅଧୀନରେ ରହି ଏହି ରେଡିଓ ଷ୍ଟେସନ୍ଗୁଡ଼ିକ ପରିଚାଳିତ ହେବ ବୋଲି ନିଷ୍ପତି ହେଲା।

ସଚିବାଳୟରେ ମିଟିଂ ପରେ, ଶୀଘ୍ର ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ଗ୍ରାମାଂଚଳର ଲୋକମାନଙ୍କ ଉଦ୍ଦେଶ୍ୟରେ ଏହି ରେଡିଓ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମରେ କୃଷି, ସମବାୟ, ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା, ବିପର୍ଯ୍ୟୟ ପରିଚାଳନା ଆଦି ବିଷୟକୁ ସ୍ଥାନ ଦେବାକୁ ସ୍ଥିର ହେଲା। ସ୍ୱୟଂ ସହାୟକ ଗୋଷ୍ଠୀ ଓ କୃଷକ ସଂଗଠନ ବ୍ୟତୀତ ମହିଳା, ଯୁବକ, ଆଦିବାସୀ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେବାକୁ ବିଚାର ହେଲା। ଦେଶର ପ୍ରଥମ ରାଜ୍ୟ ଭାବେ ଜନକଲ୍ୟାଣ ଲକ୍ଷ୍ୟରେ ରେଡିଓର ବ୍ୟାପକ ବ୍ୟବହାର ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନିଆଗଲା। ଏଣୁ ଓଡିଶା ସରକାର ଏଭଳି ଏକ ଅଭିନବ ପରିକଳ୍ପନା କରିଥିବାରୁ ସରକାରଙ୍କୁ ବେଶ ପ୍ରଶଂସା ମଧ୍ୟ କରାଗଲା ।

ଅନ୍ୟପଟେ ପ୍ରକୃତ ପକ୍ଷେ ଦେଖିଲେ ରାଜ୍ୟ ସରକାର ଏଭଳି ରେଡିଓ ଷ୍ଟେସନ ନିଜଆଡୁ ସ୍ଥାପନ କରିପାରିବେ ନାହିଁ । କେନ୍ଦ୍ର ସରକାରଙ୍କ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଲାଇସେନ୍ସ ବିନା ଏହି ଷ୍ଟେସନ ସ୍ଥାପିତ ହୋଇ ପାରିବ ନାହିଁ। ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଆବେଦନ କରିବା ଜରୁରୀ କରିଛନ୍ତି, ଯାହା ୩ ବର୍ଷ ହେବ କରାଯାଇଛି। ତେବେ କେନ୍ଦ୍ର-ରାଜ୍ୟ ତାଳମେଳ ଅଭାବ ଓ ନିୟମିତ ଫଲୋଅପ୍ ଅଭାବରୁ ୦୭/୧୧/୨୦୧୬ରୁ ଏହି ଆବେଦନପତ୍ରଗୁଡିକ ସୂଚନା ପ୍ରସାରଣ ମନ୍ତ୍ରଣାଳୟରେ ପଡିରହିଛି। ଫଳରେ ରେଡିଓ ଷ୍ଟେସନ ଆରମ୍ଭ ହୋଇପାରୁ ନାହିଁ କି ନବୀନ ଲୋକଙ୍କୁ ରେଡିଓରେ ମନର କଥା କହିପାରୁ ନାହାନ୍ତି ।

ଆବେଦନକୁ ତିନି ବର୍ଷ ହେବାକୁ ବସିଥିବା ବେଳେ ଲାଇସେନ୍ସ ନମିଳିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ମଧ୍ୟ ଚର୍ଚ୍ଚା ହେଉଛି । ବିଜୁ ଗାଁ ରେଡିଓରେ ମାସକୁ ଥରେ ନବୀନ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଆକାଶବାଣୀରେ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମର ଲୋକପ୍ରିୟତା ବଢିଥିବା ବେଳେ ଓଡିଶା ସରକାରଙ୍କ ଏଭଳି ଏକ ସମାନ୍ତରାଳ କାର୍ଯ୍ୟକ୍ରମ କେନ୍ଦ୍ରର ବିଜେପି ସରକାର ନଚାହିଁବା ଅସ୍ୱାଭାବିକ ନୁହେଁ । ଯୋଜନା ଆରମ୍ଭ ସମୟରେ ମଧ୍ୟ ରାଜ୍ୟ ବିଜେପି ଏହାକୁ ନାପସନ୍ଦ କରିଥିଲା। ଏହି ଯୋଜନାକୁ ପ୍ରଚାର ସର୍ବସ୍ୱ ବୋଲି ଏକ ଟିଭି ଚ୍ୟାନେଲକୁ କହିଥିଲେ ଜନୈକ ବିଜେପି ନେତା।

ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ତକ୍ରାଳୀନ କୁଳପତି ଡଃ ସୁରେନ୍ଦ୍ର ନାଥ ପଶୁପାଳକ ଏହି କମ୍ୟୁନିଟି ରେଡିଓ ଆରମ୍ଭ କରିବା ପାଇଁ ଉଦ୍ୟମ କରିଥିଲେ । ଡଃ ପଶୁପାଳକ ଅବସର ନେଇ ସାରିଥିବା ବେଳେ ଯୋଜନା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦିଷ୍ଟ ଭାବେ କୁଶଳୀ କର୍ମଚାରୀ ବା ପରାମର୍ଶଦାତା ନିଯୁକ୍ତି ହୋଇନାହିଁ। ଫଳରେ ଏହି ଯୋଜନା ଏବେ ଶୀତଳ ଭଣ୍ଡାରକୁ ଚାଲିଯାଇଥିବା ପ୍ରତୀୟମାନ ହେଉଛି। ଏ ସମ୍ପର୍କରେ କିଛି ଉଲ୍ଲେଖନୀୟ ଅଗ୍ରଗତି ହୋଇନଥିବାରୁ ଏହାର କାର୍ଯ୍ୟକାରୀତା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏବଂ ଏହି ଗୁରୁତ୍ୱପୁର୍ଣ୍ଣ ଯୋଜନା, କେବଳ ଯୋଜନା ହୋଇ ରହିଯାଇଛି।



from Kanak News https://ift.tt/2Z8dmxq https://ift.tt/2NKPfnm
କାହିଁକି ନବୀନ କହିପାରୁ ନାହାନ୍ତି ‘ମନ୍ କି ବାତ୍’? ଘୋଷଣାରେ ସୀମିତ ରହିଗଲା ବିଜୁ ଗାଁ ରେଡ଼ିଓ ଯୋଜନା! Kanak News କାହିଁକି ନବୀନ କହିପାରୁ ନାହାନ୍ତି ‘ମନ୍ କି ବାତ୍’? ଘୋଷଣାରେ ସୀମିତ ରହିଗଲା ବିଜୁ ଗାଁ ରେଡ଼ିଓ ଯୋଜନା! Kanak News Reviewed by SUBHENDU BARAL on July 22, 2019 Rating: 5

No comments:

Powered by Blogger.