ଅଗଷ୍ଟରୁ ଶସ୍ତା ହେବ ବିଦ୍ୟୁତ୍ ଚାଳିତ ଯାନ: ପ୍ରୋତ୍ସାହିତ କରିବାକୁ ଟିକସ ହାରକୁ ୧୨ରୁ ୫%କୁ ହ୍ରାସ କଲା ଜିଏସଟି ପରିଷଦ Kanak News

କନକ ବ୍ୟୁରୋ: ଦେଶରେ ଆଗାମୀ ଦିନରେ ଶସ୍ତା ହେବ ବିଦ୍ୟୁତ ଯାନ କିଣିବା । ଜିଏସଟି ପରିଷଦ ପକ୍ଷରୁ ନିଆଯାଇଥିବା ନିଷ୍ପତିରୁ ଏହା ସ୍ପଷ୍ଟ ହୋଇଛି । ଜିଏସଟି ପରିଷଦ ବିଦ୍ୟୁତ ଯାନ କିଣାକୁ ପ୍ରୋତ୍ସାହିତ କରିବା ପାଇଁ ଟିକସ ହାରକୁ ହ୍ରାସ କରିଛି । ବର୍ତମାନ ଏପ୍ରକାର ଯାନ ଉପରେ ୧୨ ପ୍ରତିଶତ ଜିଏସଟି ଆଦାୟ ହେଉଥିଲା । କିନ୍ତୁ ଏହାକୁ ୫ ପ୍ରତିଶତକୁ ହ୍ରାସ କରିଛି ପରିଷଦ । ଏହି ନୂଆ ଟିକସ ଆସନ୍ତା ଅଗଷ୍ଟ ପହିଲାରୁ ଲାଗୁ ହେବ ବୋଲି ଜଣାପଡିଛି । ସେହିଭଳି ବିଦ୍ୟୁତ ଚାର୍ଜରର ଜିଏସଟିକୁ ମଧ୍ୟ ୧୮ ପ୍ରତିଶତରୁ କମାଇ ୫ ପ୍ରତିଶତ କରାଯାଇଛି । ଚଳିତ ବର୍ଷ ବଜେଟରେ ପରିବେଶ ପ୍ରଦୂଷଣ ରୋକିବା ପାଇଁ ବିଦ୍ୟୁତ ଯାନକୁ ଗୁରୁତ୍ୱ ଦିଆଯାଇଥିଲା ।
ଏତଦବ୍ୟତୀତ ଜିଏସଟି ପରିଷଦ ପକ୍ଷରୁ ଅନ୍ୟ କେତେକ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ଜିଏସଟି ସିଏମ୍ପି-୦୨ ଦାଖଲର ଶେଷ ତାରିଖକୁ ଜୁଲାଇ ୩୧ ତାରିଖରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଜିଏସଟି ସିଏମପି-୦୮ ଫର୍ମର ଦାଖଲ ଶେଷ ତାରିଖକୁ ଜୁଲାଇ ୩୧ ପରିବର୍ତ୍ତେ ଅଗଷ୍ଟ ୩୧ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଅନ୍ୟପକ୍ଷରେ ପେଟ୍ରୋଲ ଏବଂ ଡିଜେଲ ଯାନ ଚଳାଚଳକୁ ନିରୁତ୍ସାହିତ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ନୂଆ ଯାନର ପଞ୍ଜୀକରଣ ଏବଂ ନବୀକରଣ ଶୁଳ୍କରେ ବୃହତ୍ ବୃଦ୍ଧି ପ୍ରସ୍ତାବ ରଖାଯାଇଛି। ଏବେ ପେଟ୍ରୋଲ/ଡିଜେଲ କାରର ପଞ୍ଜୀକରଣ ଏବଂ ନବୀକରଣ ଶୁଳ୍କ ୬୦୦ ଟଙ୍କା ରହିଛି। କିନ୍ତୁ ନୂଆ ପ୍ରସ୍ତାବରେ ପଞ୍ଜୀକରଣ ଶୁଳ୍କକୁ ୫ ହଜାର ଟଙ୍କାକୁ ଏବଂ ନବୀକରଣ ଶୁଳ୍କକୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରିବା ଲାଗି ଯୋଜନା ରହିଛି।
from Kanak News https://ift.tt/2LLMvV5 https://ift.tt/312t3qq

No comments: