ପାଟକୁରା ଫୈସଲା : ଦ୍ୱିତୀୟ ରାଉଣ୍ଡରେ ବିଜେଡି ଆଗୁଆ, ବହୁ ପଛରେ ପଡିଲା କଂଗ୍ରେସ । କଡା ଟକ୍କର ଦେଉଛନ୍ତି ବିଜୟ । Kanak News
କନକ ବ୍ୟୁରୋ : ପ୍ରଥମ ରାଉଣ୍ଡ ଭଳି ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ବାଜି ମାରିଛି ବିଜେଡି । ସମାନ୍ତରଳ ଭାବେ ପୋଷ୍ଟାଲ ଓ ଇଭିଏମ ଭୋଟ ଗଣତି ଚାଲିଛି । ପ୍ରଥମେ ଡେରାବିଶ ବ୍ଲକର ଭୋଟ ଗଣତି ହୋଇଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ବାଜି ମାରିଛି ବିଜେଡି । ମୋଟ ୧୮ଟି ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ପ୍ରଥମ ଦୁଇ ରାଉଣ୍ଡରେ ଆଗୁଆ ରହିଛି ବିଜେଡି । ବୁଥ୍ ଏଜେଣ୍ଟଙ୍କ ସୂଚନା ଅନୁଯାୟୀ, ଦ୍ୱିତୀୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୪୯୯ ଭୋଟରେ ଆଗୁଆ ରହିଛନ୍ତି । ବିଜେଡି ୫୭୩୯ଟି ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୫୨୪୦ ଭୋଟ ପାଇଛନ୍ତି । ତେବେ ପ୍ରଥମ ଦୁଇ ରାଉଣ୍ଡରେ ବହୁ ପଛରେ ପଡିଛି କଂଗ୍ରେସ । ଆଉ ଏହାସହ ପ୍ରଥମ ଦୁଇ ରାଉଣ୍ଡ ସୁଦ୍ଧା ବିଜେଡି ୩୪୨୬ ଭୋଟରେ ଆଗୁଆ ରହିଛି ।
ପ୍ରଥମେ ଡେରାବିଶ ବ୍ଲକର ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ପରେ ଗରଦପୁର ଓ ଶେଷରେ ମାର୍ଶାଘାଇ ବ୍ଲକର ଭୋଟ ଗଣତି ହେବ । ଆଉ ଏହାସହ ପାଟକୁରାରେ କାହାର ହେବ ଜିତ୍ ତାହାକୁ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଛି ।
୧୮ ରାଉଣ୍ଡରେ ଭୋଟଗଣତି ହେବାକୁ ଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମୋଟ ୧୮ଟି ଟେବୁଲରେ ଭୋଟ ଗଣତି ହେବ । ତିନି ଥାକିଆ ସୁରକ୍ଷା ବ୍ୟବସ୍ଥାରେ ମୋଟ ୧୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଏହା ସହିତ ଇଭିଏମ୍ ସୁରକ୍ଷା ପାଇଁ ମଧ୍ୟ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇ ଅପରାହ୍ନ ୩ଟା ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ରହିଛି । ଯେଉଁମାନଙ୍କୁ ଅନୁମତି ମିଳିଛି କେବଳ ସେହିମାନେ ହିଁ ଭୋଟ ଗଣତି କେନ୍ଦ୍ର ଭିତରକୁ ପ୍ରବେଶ କରି ପାରିବେ ।
ଭୋଟ ଗଣତି ଆରମ୍ଭ ହେବା ସହ ପାଟକୁରାକୁ ନେଇ ଅନେକ ପ୍ରଶ୍ନ ପୂରା ରାଜ୍ୟବାସୀଙ୍କ ମନରେ ଉଙ୍କି ମାରୁଛି । କାହା ନାଁରେ ମୋହର ମାରିଛନ୍ତି ପାଟକୁରାବାସୀ । ପାଟକୁରାରେ କିଏ ଜିତିବ- ବିଜେଡି ନା ବିଜେପି? ଏଥର ବିଜୟ ମହାପାତ୍ର ବିଧାନସଭାକୁ ଯିବେ ନା ତାଙ୍କ ରାଜନୈତିକ କ୍ୟାରିଅରର ଅନ୍ତ ଘଟିବ? ନା ବିଜେଡିର ଗଡ ରକ୍ଷା କରିବାକୁ ସକ୍ଷମ ହେବେ ସାବିତ୍ରୀ । ନା ଦୁଇ ଦଳକୁ ପଛରେ ପକାଇ କଂଗ୍ରେସ ମାରିବ ବାଜି? ପାଟକୁରା ବିଧାନସଭା ଆସନ ପାଇଁ ଗତ ୨୦ ତାରିଖରେ ମତଦାନ ହୋଇଥିବା ବେଳେ ମୈଦାନରେ ମୋଟ ୧୦ ଜଣ ପ୍ରାର୍ଥୀ ନିଜର ଭାଗ୍ୟ କରୁଛନ୍ତି । କିନ୍ତୁ ସମସ୍ତଙ୍କ ଫୋକସରେ ରହିଛି ବିଜୟ-ସାବିତ୍ରୀ ଲଢେଇ ଉପରେ ।
from Kanak News https://ift.tt/30UbSrb https://ift.tt/2y5vL27
No comments: