୧୫ ଦିନ ଭିତରେ ନୟାଗଡ଼କୁ ଚାଲିବ ପାସେଞ୍ଜର ଟ୍ରେନ୍! ଟାଉନ ଷ୍ଟେସନରୁ ମହୀପୁର ଯାଏଁ ହେଲା ସ୍ପିଡ୍ ଟ୍ରାଏଲ ରନ୍ Kanak News

କନକ ବ୍ୟୁରୋ: ନୟାଗଡ଼ବାସୀଙ୍କ ବହୁ ଦିନର ଆଶା ପୂରଣ ହେବାକୁ ଯାଉଛି। ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ନ ଥିଲେ ଏଥିପାଇଁ ଆଶାର ସଞ୍ଚାର ହୋଇଛି। ଗତକାଲି ନୟାଗଡ଼ ଟାଉନ ଷ୍ଟେସନଠାରୁ ମହୀପୁର ଷ୍ଟେସନ ପର୍ଯ୍ୟନ୍ତ ୧୨ କିମି ବ୍ୟାପ ସ୍ପିଡ୍ ଟ୍ରାଏଲ୍ ରନ୍ ସଫଳ ହୋଇଛି। କେବଳ ସେତିକି ନୁହେଁ, ୧୫ ଦିନ ଭିତରେ ଏହି ଦୁଇ ଷ୍ଟେସନ ମଧ୍ୟରେ ପାସେଞ୍ଜର ଟ୍ରେନ୍ ଚଳାଚଳ କରିବାର ସମ୍ଭାବନା ଉଜ୍ଜ୍ବଳ ବୋଲି ସୂଚନା ମିଳିଛି।
ଏହି ଟ୍ରାକ୍ ଟ୍ରେନ୍ ଚଳାଚଳ ପାଇଁ ଉପଯୁକ୍ତ କି ନୁହେଁ, ତା’ର ପରୀକ୍ଷା ସ୍ବରୂପ ଗତକାଲି ଏକ ଟ୍ରେନ୍ ସ୍ପିଡ୍ ଟ୍ରାଏଲ୍ ଚଳାଚଳ କରିଥିଲା। ନୟାଗଡ଼ ଟାଉନ ଷ୍ଟେସନରୁ ଏହି ଟ୍ରେନଟି ୧୧ଟା ୫ ମିନିଟ୍ରେ ବାହାରି ନବନିର୍ମିତ ମହୀପୁର ଷ୍ଟେସନରେ ୧୧ଟା ୨୦ ମିନିଟରେ ପହଞ୍ଚିଥିଲା। ବିପୁଳ ଉତ୍ସାହ ଉଦ୍ଦୀପନାର ସହିତ ଏହି ସ୍ପିଡ୍ ଟ୍ରାଏଲ୍ ଟ୍ରେନକୁ ସ୍ବାଗତ କରାଯାଇଥିଲା। ଏହାପରେ ଦକ୍ଷିଣ ପୂର୍ବ ପ୍ରାନ୍ତର ରେଳ ସୁରକ୍ଷା ଆୟୁକ୍ତ ଏକେ ରାୟ ଓ ପୂର୍ବତଟ ରେଳପଥର ପ୍ରମୁଖ ଯନ୍ତ୍ରୀ ନରୋତ୍ତମ ସିଂହ ରେଳ ଧାରଣା ନିରୀକ୍ଷଣ କରିଥିଲେ। ରେଳ ଚଳାଚଳ କ୍ଷେତ୍ରରେ ସୁରକ୍ଷା ଦୃଷ୍ଟିରୁ ରେଳ ଧାରଣା ସହିତ ସୁରକ୍ଷା ସମ୍ବନ୍ଧୀୟ ଅନ୍ୟାନ୍ୟ କାର୍ଯ୍ୟକୁ ମଧ୍ୟ ତନ୍ନତନ୍ନ କରି ଯାଞ୍ଚ କରିଥିଲେ। ରେଳ ସୁରକ୍ଷା ଆୟୁକ୍ତଙ୍କ ଯାଞ୍ଚ ପରେ ମହିପୁର ଷ୍ଟେସନରୁ ଉକ୍ତ ପରୀକ୍ଷାମୂଳକ ସ୍ପିଡ୍ ଟ୍ରାଏଲ ଟ୍ରେନଟି ୩ଟା ୪୫ରେ ଛାଡ଼ି ନୟାଗଡ଼ ଟାଉନ ଷ୍ଟେସନରେ ୪ଟା ୧୫ରେ ପହଞ୍ଚିଥିଲା।
ପୂର୍ବତଟ ରେଳପଥର ଲୋକସମ୍ପର୍କ ଅଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ରେଳ ସୁରକ୍ଷା ଆୟୁକ୍ତ, ଗତକାଲିର ଏହି ସ୍ପିଡ୍ ଟ୍ରାଏଲ୍ ପ୍ରକ୍ରିୟାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ସେ ବୋର୍ଡକୁ ରେଳ ଚଳାଚଳ ପ୍ରମାଣପତ୍ର ପ୍ରଦାନ କରିବା ପରେ ୧୫ ଦିନ ମଧ୍ୟରେ ନୟାଗଡ଼ ଟାଉନ ଷ୍ଟେସନରୁ ମହୀପୁର ମଧ୍ୟରେ ପାସେଞ୍ଜର ଟ୍ରେନ୍ ଚଳାଚଳ କରିବାର ସମ୍ଭାବନା ରହିଛି।
from Kanak News https://ift.tt/2Y1Slbo https://ift.tt/2Olh9qt
No comments: