କର୍ଣ୍ଣାଟକ ନାଟକରେ ଆଜି ପଡ଼ିପାରେ ଯବନିକା । ସଂଧ୍ୟା ୬ଟା ସୁଦ୍ଧା ବହୁମତ ପ୍ରମାଣ ଦେବାକୁ କୁମାରସ୍ୱାମୀ ସରକାରକୁ ବାଚସ୍ପତିଙ୍କ ନିର୍ଦ୍ଦେଶ Kanak News

କନକ ବ୍ୟୁରୋ : କର୍ଣ୍ଣାଟକରେ ବିଗତ କିଛି ଦିନ ଧରି ଚାଲିଥିବା ରାଜନୈତିକ ସଙ୍କଟ ଏବେ ଚରମରେ ପହଞ୍ଚିଛି। ବିଧାନସଭାରେ ଆସ୍ଥା ପ୍ରସ୍ତାବ ଉପରେ ଚାଲିଥିବା ବିତର୍କ ଆଜି ଶେଷ ହେବ ଏବଂ ସନ୍ଧ୍ୟା ୬ଟାରେ ଭୋଟ୍ ଗ୍ରହଣ କରାଯିବ ବୋଲି ବାଚସ୍ପତି ଗୃହରେ ଘୋଷଣା କରିଛନ୍ତି। ବିତର୍କ ପାଇଁ ଅନାବଶ୍ୟକ ଭାବେ ସମୟ ଦିଆଯାଉଥିବା ଏବଂ ଷଡ଼ଯନ୍ତ୍ର କରି ଗୃହକୁ ନିଲମ୍ବିତ ରଖାଯାଉଥିବା ଅଭିଯୋଗ କରି ବିଜେପି ବିଧାୟକମାନେ ଏହାର ଜୋରଦାର ବିରୋଧ କରିଥିଲେ। ଗୁରୁବାର ଏବଂ ଶୁକ୍ରବାର ଦିନ ଗୃହରେ ଆସ୍ଥା ପ୍ରସ୍ତାବ ଉପରେ ବିତର୍କ ହୋଇଥିଲେ ମଧ୍ୟ ଭୋଟ୍ ଗ୍ରହଣ କାହିଁକି କରାଗଲା ନାହିଁ ବୋଲି ବିଜେପି ନେତା ବି.ଏସ୍. ୟେଦୁରପ୍ପା ପ୍ରଶ୍ନ କରିଥିଲେ।

ଆସ୍ଥା ଭୋଟ୍ ଉପରେ ୨୪ ଜୁଲାଇରେ ଭୋଟ୍ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ବାଚସ୍ପତିଙ୍କୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ବାଚସ୍ପତି କହିଥିଲେ ଯେ ସୁପ୍ରିମ୍ କୋର୍ଟଙ୍କ ରାୟ ବୁଝିବାରେ ବିଳମ୍ବ ହେବାରୁ ଏହି ପ୍ରକ୍ରିୟା ଲମ୍ବିଥିଲା ଏବଂ ଏବେ ଆଉ ଅଧିକ ସମୟ ଦିଆଯିବ ନାହିଁ।ବାଚସ୍ପତି ୧୪ ଜଣ ବିଦ୍ରୋହୀ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ବିଧାନସଭାରେ ସେମାନଙ୍କ ସଦସ୍ୟତା କାହିଁକି ରଦ୍ଦ କରାଯିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ବାଚସ୍ପତିଙ୍କୁ ତାଙ୍କ ଚ୍ୟାମ୍ବରରେ ବିଜେପି ବିଧାୟକମାନେ ଭେଟି ଆସ୍ଥା ପ୍ରସ୍ତାବଜନିତ ସମସ୍ୟା ଉପରେ ଆଲୋଚନା କରିଥିଲେ।
ଆସ୍ଥା ଭୋଟ ତୁରନ୍ତ କରିବା ପାଇଁ ଦୁଇ ଜଣ ସ୍ବାଧୀନ ବିଧାୟକ ସୁପ୍ରିମ କୋର୍ଟରେ ଯେଉଁ ମାମଲା ରୁଜୁ କରିଛନ୍ତି ତାହାକୁ କୋର୍ଟ ତୁରନ୍ତ ଶୁଣାଣି ପାଇଁ ଗ୍ରହଣ ନକରି ବାଚସ୍ପତି ନିଷ୍ପତ୍ତି ଉପରେ ମାମଲାକୁ ଛାଡ଼ି ଦେଇଛନ୍ତି। ୨୨୪ ସଭ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ କଂଗ୍ରେସ ଓ ଜେଡିଏସ ମେଣ୍ଟର ମୋଟ ୧୧୭ ଜଣ ବିଧାୟକ ଥିଲେ। ସୁପ୍ରିମ୍ କୋର୍ଟ ଯାଇଥିବା ୧୫ ବିଧାୟକଙ୍କ ଇସ୍ତଫା ଯଦି ଗୃହୀତ ହୁଏ ତାହେଲେ ସରକାରଙ୍କ ନିକଟରେ ୧୦୧ ବିଧାୟକ ରହିବେ। ଅନ୍ୟପକ୍ଷରେ ଦୁଇ ସ୍ବାଧୀନ ବିଧାୟକଙ୍କ ସମର୍ଥନ ମିଳିଲେ ବିଜେପିର ସଂଖ୍ୟା ୧୦୭ରେ ପହଞ୍ଚିବ। ଏଭଳି ସ୍ଥିତିରେ ଗୃହରେ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ମ୍ୟାଜିକ ସଂଖ୍ୟା ହେଉଛି ୧୦୫ ।
from Kanak News https://ift.tt/2Yp843s https://ift.tt/2YcggQs
No comments: