କନକ ବ୍ୟୁରୋ : ଯଦି ଶିକ୍ଷକ କିମ୍ବା କର୍ମଚାରୀ ମଦ୍ୟପାନ/ନିଶାଦ୍ରବ୍ୟ ସେବନ କରି ବିଦ୍ୟାଳୟ ଆସନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଓସିଏସ୍(ସିସିଏ ରୁଲ୍ସ) ୧୯୬୨ର ରୁଲ୍-୧୬ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ବହିଷ୍କାର ପରି ଦଣ୍ଡ ବି ମିଳିପାରେ । କ୍ୟାମ୍ପସ୍ରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିର୍ଦେଶ ଜାରି ହୋଇଛି ।
ତିନି ବର୍ଷ ହେଲା ଓଡ଼ିଶାରେ ଛାତ୍ରୀ ନିର୍ଯାତନା ଅଭିଯୋଗ ବଢ଼ି ଚାଲିଛି । କେଉଁଠି ଶିକ୍ଷକମାନେ କ୍ୟାମ୍ପସ୍କୁ ମଦ୍ୟପାନ କରି ଆସୁଛନ୍ତି ତ ଆଉ କେଉଁଠି ଶିକ୍ଷକଙ୍କ ଗାଡ଼ି ଡିକିରୁ ମଦ ବାହାରୁଛି । କେଉଁଠି ନାବାଳିକା ଗର୍ଭବତୀ ହେବାର ମଧ୍ୟ ଅଭିଯୋଗ ହେଉଛି । ଗତ ଶିକ୍ଷାବର୍ଷରେ ଏନେଇ ବାରମ୍ବାର ଅଭିଯୋଗ ଆସିଥିବାରୁ ଏଥର ବିଭାଗ ପକ୍ଷରୁ ପୁଣିଥରେ ଗାଇଡ୍ଲାଇନ୍ ଜାରି ହୋଇଛି । କୌଣସି ସ୍ଥାନରେ ଯଦି ଛାତ୍ରଛାତ୍ରୀଙ୍କ ଅଧିକାର ଓ ସୁରକ୍ଷା ବାଧାପ୍ରାପ୍ତ ହେଉଥିବା ଦୃଷ୍ଟିକୁ ଆସେ, ତେବେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ କୁହାଯାଇଛି । କ୍ଲାସରୁମ୍ଠାରୁ କ୍ୟାମ୍ପସ, ମଧ୍ୟାହ୍ନଭୋଜନ, ବିଲଡି˚ରେ ଛାତ୍ରଛାତ୍ରୀ କିଭଳି ସୁରକ୍ଷିତ ରହିବେ, ସେଥିପ୍ରତି ଗୁରୁତ୍ବ ଦେବାକୁ କୁହାଯାଇଛି ।
ବଡ଼ ନିଷ୍ପତ୍ତିକ୍ରମେ କ୍ୟାମ୍ପସ୍ର ଶହେ ମିଟର ମଧ୍ୟରେ ନିଶା ସାମଗ୍ରୀ ବିକ୍ରି ଉପରେ କଟକଣାକୁ କଡ଼ାକଡ଼ି କରିବାକୁ କୁହାଯାଇଛି । କ୍ୟାମ୍ପସ୍ ନିକଟରୁ ତମାଖୁ ଦୋକାନ ହଟାଇବା ଲାଗି ପୁଲିସ ସହାୟତାରେ ପଦକ୍ଷେପ ନିଆଯିବ । ଏଥିସହ କ୍ୟାମ୍ପସ୍ର ପ୍ରମୁଖ ସ୍ଥାନରେ ନିଶାଦ୍ରବ୍ୟ ସେବନ ବାରଣ ନେଇ ସଚେତନତା ପୋଷ୍ଟର ଲଗାଇବାକୁ କୁହାଯାଇଛି । ସବୁ କ୍ୟାମ୍ପସ୍ରେ ପାଚେରି ବାଧ୍ୟତାମୂଳକ କରାଯିବା ସହ କ୍ଲାସ ଚାଲିଥିବା ସମୟରେ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇବା, ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ସ୍କୁଲ ନିକଟରେ ଟ୍ରାଫିକ୍ ନିୟୋଜନ, ସ୍ଥାନୀୟ ପୁଲିସ ଦ୍ବାରା ବସ୍ଗୁଡ଼ିକର ଚାଳକ ଓ କଣ୍ତକ୍ଟର୍ଙ୍କ ସମ୍ପୂର୍ଣ୍ଣ ତଥ୍ୟ ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି ।
କ୍ୟାମ୍ପସ୍ରେ ଯେପରି ବିଦ୍ୟୁତ୍ ତାର ଓହଳି ନ ରହିବ, ଖୋଲା କୂଅ ଓ ବାମ୍ଫି ନ ରଖିବା, କ୍ଲାସରୁମ୍କୁ ନିୟମିତ ସଫା, କାନ୍ଥକୁ ଲାଗି ବ୍ଲାକବୋର୍ଡ ରଖିବା, କ୍ଲାସରୁମ୍କୁ ପବନ ଚଳପ୍ରଚଳ କରୁଥିବା ଭଳି ବ୍ୟବସ୍ଥା ହେବା ଆବଶ୍ୟକ । ଯଦି କୌଣସି ସ୍ଥାନରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାରେ ଅବହେଳା ହେଉଥିବ, ତେବେ ଇଣ୍ତିଆନ୍ ପେନାଲ କୋଡ୍(ଆଇପିସି)ର ବିଭିନ୍ନ ଧାରା, ଅନୁସୂଚିତ ଜାତି ଓ ଜନଜାତି ଆଇନ, ସିଭିଲ୍ ରାଇଟ୍ସ୍ ଆକ୍ଟ, ଶିଶୁଙ୍କ ଯୌନଶୋଷଣ ଆଇନ ୨୦୧୨, ଶିକ୍ଷା ଅଧିକାର ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୧୩ ଡିସେମ୍ବର ୨୭ରେ ମାଧ୍ୟମିକ ଶିକ୍ଷା, ପ୍ରାଥମିକ ଶିକ୍ଷା, ଉଚ୍ଚ ମାଧ୍ୟମିକ ଶିକ୍ଷା, ଟିଇ ଓ ଏସ୍ସିଇଆରଟି, ରାମସା ଏବ˚ ଓପେକା କତୃର୍ପକ୍ଷଙ୍କୁ ଚିଠି ଲେଖାଯାଇଥିଲା । ଏବେ ନିୟମକୁ କଡ଼ାକଡ଼ି ଲାଗୁ କରିବା ଲାଗି ପୁଣିଥରେ ନିର୍ଦେଶ ଦିଆଯାଇଛି ।
from Kanak News https://ift.tt/2XPxhoB https://ift.tt/2xPHrpu
No comments: