ସମ୍ବଲପୁର:ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ସମ୍ବଲପୁର ଦେବ ବିବାହ ପାଇଁ ଧୁମ୍ଧାମ୍ରେ ଚାଲିଛି ପ୍ରସ୍ତୁତି। ଶିବ-ପାର୍ବତୀ ବିବାହ ପୂର୍ବରୁ ଗତକାଲି ରାତିରେ ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇ ଯାଇଛି । ଏହା ପୂର୍ବରୁ ସପ୍ତରୁଷି ପଣ୍ଡିତ ମଣ୍ଡଳୀ ଓ ମୁରବୀମାନଙ୍କୁ ସାଙ୍ଗରେ ନେଇ ବିରାଟ ଶୋଭାଯାତ୍ରାରେ କୁଲୁଥକାନି ସ୍ଥିତ କନ୍ୟାପିତାଙ୍କ ଘରକୁ ଯାଇଥିଲେ ବରପକ୍ଷ। ମହାଦେବଙ୍କ ସହିତ ଦେବୀ ପାର୍ବତୀଙ୍କ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ।
ଏହା ପରେ ପରମ୍ପରା ମୁତାବକ ସର୍ଗିପତ୍ର ବିଡ଼ା ଦେଇ ନିର୍ବନ୍ଧ ପକ୍କା ହୋଇଥିଲା। ନିର୍ବନ୍ଧ କାର୍ଯ୍ୟ ପତରପେଣ୍ଡି ସମ୍ପନ୍ନ ହେବା ପରେ ବେଶ୍ ଖୁସି କନ୍ୟା ମାତାପିତା। ସପ୍ତରୁଷି ଓ ବରପକ୍ଷଙ୍କୁ ସେମାନେ ବାଟରୁ ପାଛୋଟି ନେଇଥିଲେ । ସମସ୍ତଙ୍କୁ ଯଥାବିଧି ସତ୍କାର କରିବା ସହ ମିଷ୍ଟାନ୍ନ ଓ ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ କରିଥିଲେ। ନିର୍ବନ୍ଧ ଥିବାରୁ ଉଭୟ କନ୍ୟାପକ୍ଷ ଓ ବରପକ୍ଷ ଘରକୁ ରଙ୍ଗୀନ ଆଲୋକମାଳାରେ ସଜାଇଥିଲେ । ନନ୍ଦପଡା ବାଲୁଙ୍କେଶ୍ୱର ବାବାଙ୍କର ପତରପେଣ୍ଡି ପରେ ହେବ ଦେବ ନିମନ୍ତ୍ରଣ। ସହରର ବିଭିନ୍ନ ଦେବାଦେବୀଙ୍କୁ ଶିବ ବିବାହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯିବ। ଆସନ୍ତା ୭ ତାରିଖରେ ସମ୍ପନ୍ନ ହେବ ଶିବ ବିବାହ କାର୍ଯ୍ୟକ୍ରମ।
from OTV Khabar http://bit.ly/2WGVw6Y
No comments: