ପରାଜୟ ଅନୁଧ୍ୟାନ ପାଇଁ କଂଗ୍ରେସର ୬ଟି ସବକମିଟି ଗଠନ: ରମେଶ, ସୁର, ସାଲୁଜା ସବକମିଟି ଆବାହକ, ୩୦ ପୂର୍ବରୁ ରିପୋର୍ଟ ପ୍ରଦାନ କରିବ କମିଟି Kanak News

କନକ ବ୍ୟୁରୋ: ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ନେଇ ପ୍ରଦେଶ କଂଗ୍ରେସ କମିଟିର ତଥ୍ୟ ଅନୁସନ୍ଧାନ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ୩ ଜଣିଆ ସଦସ୍ୟ ବିଶିଷ୍ଟ ୬ଟି ସବ କମିଟି ଗଠନ କରିଛନ୍ତି। ପ୍ରତ୍ୟେକ ସବକମିଟିରେ ଜଣେ ଲେଖାଏଁ ଆବାହକ ରହିଥିବାବେଳେ ଦୁଇଜଣ ସଦସ୍ୟ ଅଛନ୍ତି।
ସବକମିଟି-୧ରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଆବାହକ ରହିଥିବାବେଳେ ପିସିସି ଉପସଭାପତି ଯଜ୍ଞେଶ୍ବର ବାବୁ ଓ ଉସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସଦସ୍ୟ ଅଛନ୍ତି। ଏହି ସବ କମିଟି ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲା ଗସ୍ତକରି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଲୋକସଭା ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତୃମଣ୍ଡଳୀ, କର୍ମୀ, ଛାମୁଆ ସଂଗଠନର କର୍ମକର୍ତ୍ତା, ବିଭାଗ ଓ ପ୍ରକୋଷ୍ଠର କର୍ମକର୍ତ୍ତା, ବିଭିନ୍ନ ବର୍ଗର ଜନସାଧାରଣଙ୍କ ସହ ଆଲୋଚନା କରି ପରାଜୟର କାରଣ ସଂଗ୍ରହ କରି ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କୁ ଚଳିତ ମାସ ୩୦ ତାରିଖ ପୂର୍ବରୁ ରିପୋର୍ଟ ପ୍ରଦାନ କରିବ। ସେହିପରି ସବକମିଟି-୨ରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଆବାହକ ଦାୟିତ୍ବ ତୁଲାଇବା ସହ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରା ଓ ରାଜ୍ୟ ମହିଳା କଂଗ୍ରେସର କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କୁ ସଦସ୍ୟ ଦାୟିତ୍ବ ପ୍ରଦାନ କରାଯାଇଛି। ଏହି ସବକମିଟି ଗଞ୍ଜାମ, ପୁରୀ, କନ୍ଧମାଳ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ଗସ୍ତ କରି ତଥ୍ୟ ସଂଗ୍ରହ କରିବ।
ସବକମିଟି-୩ରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଆବାହକ ଥିବାବେଳେ ପୂର୍ବତନ ବିଧାୟକ ଭୁଜବଳ ମାଝୀ ଓ ପିସିସି ଉପସଭାପତି ଶିବାନନ୍ଦ ରାୟ ସଦସ୍ୟ ଅଛନ୍ତି। ତିନି ନମ୍ବର ସବକମିଟି କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର ଓ ବୌଦ୍ଧ ଜିଲ୍ଲା ଗସ୍ତ କରି ପରାଜୟର କାରଣ ଖୋଜିବ। ସବକମିଟି-୪ରେ ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କୁ ଆବାହକ ନିଯୁକ୍ତ କରାଯାଇଛି। ଏହାସହିତ ଏହି କମିଟିରେ ସଦସ୍ୟ ଦାୟିତ୍ବ ତୁଲାଇବେ କଂଗ୍ରେସ ନେତା ସତ୍ୟଶିବ ଦାସ ଓ ପିସିସି ସାଧାରଣ ସମ୍ପାଦକ ଜ୍ଞାନଦେବ ବେହୁରା। କମିଟି ଖୁବଶୀଘ୍ର ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରିବ।
ସବକମିଟି-୫ରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ଆବାହକ ଦାୟିତ୍ବ ପ୍ରଦାନ କରାଯାଇଛି। ଏହି ସବକମିଟିର ସଦସ୍ୟ ଭାବେ ବରିଷ୍ଠ କଂଗ୍ରେସ ନେତା ବଟକୃଷ୍ଣ ତ୍ରିପାଠୀ ଓ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ମହାନ୍ତି ସଦସ୍ୟ ଭାବେ କାର୍ଯ୍ୟ କରିବେ। କଂଗ୍ରେସର ପରାଜୟ କାରଣ ଜାଣିବାକୁ ଏହି ସବକମିଟି ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲା ଗସ୍ତ କରିବ। ସେହିପରି ସବକମିଟି-୬ରେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଆବାହକ ଥିବାବେଳେ ପିସିସି ଉପସଭାପତି ସସ୍ମିତା ବେହେରା ଓ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ସଦସ୍ୟ ଅଛନ୍ତି। ଏହି ସବକମିଟି ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରି ଦଳର ପରାଜୟର ବିଭିନ୍ନ କାରଣ ଅନୁସନ୍ଧାନ କରି ଚଳିତମାସ ୩୦ ତାରିଖ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ ବୋଲି ପିସିସି ମୁଖପାତ୍ର ପଦ୍ମାକର ଗୁରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି।
from Kanak News http://bit.ly/2IzTaO7 http://bit.ly/2I4fQHg
No comments: