ମୋଦି ମ୍ୟାଜିକ୍ ଆଗରେ ଫେଲ୍ ମାରିଲା ରାହୁଲଙ୍କ ପ୍ରିୟଙ୍କା କାର୍ଡ । ପଲିଟିକ୍ସରେ ପ୍ରିୟଙ୍କାଙ୍କ ପ୍ରବେଶ ପରେ କଂଗ୍ରେସକୁ ମିଳିଲାନି ଫାଇଦା । Kanak News

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପୂର୍ବରୁ ବଡ ନିଷ୍ପତ୍ତି କରିଥିଲେ ରାହୁଲ ଗାନ୍ଧି । ବିଜେପି ବିରୋଧୀ ଟ୍ରମ୍ପକାର୍ଡ ଭାବେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରିୟଙ୍କା ଗାନ୍ଧିଙ୍କ ପ୍ରବେଶ ଘୋଷଣା କରିଥିଲେ ରାହୁଲ । ଦଳର ସାଧାରଣ ସଂପାଦିକା ଭାବେ ନିଯୁକ୍ତ କରିବା ସହ ତାଙ୍କୁ ଦିଆଯାଇଥିଲା ପୂର୍ବ ଉତ୍ତର ପ୍ରଦେଶର ଦାୟିତ୍ୱ । ରାଜୀବ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଡ୍ରା । ତାଙ୍କୁ ପ୍ରତ୍ୟକ୍ଷ ରାଜନୀତିକୁ ଆଣିବା ଲାଗି କଂଗ୍ରେସ ନେତା ଓ କର୍ମୀ ବହୁଆଗରୁ ଦାବି କରିଆସୁଥିଲେ । କଂଗ୍ରେସର କୌଣସି ପଦପଦବୀରେ ନଥାଇ କେବଳ ମାଆ ଓ ଭାଇଙ୍କ ପ୍ରଚାର କରିଥିଲେ ପ୍ରିୟଙ୍କା ।
୨୦୧୪ରେ ଉଭୟ ଆମେଠି ଓ ରାଏବରେଲିରେ ରାହୁଲ ଓ ସୋନିଆଙ୍କ ପାଇଁ ପ୍ରଚାର କରିଥିଲେ । ୨୦୧୨ରେ ମଧ୍ୟ ଏହି ଦୁଇ ବିଧାନସଭା କ୍ଷେତ୍ରରେ କଂଗ୍ରେସ ପାଇଁ କ୍ୟାମ୍ପେନ୍ କରିଥିଲେ ପ୍ରିୟଙ୍କା । ଏପରିକି ୨୦୦୪ରେ ମାଆ ସୋନିଆଙ୍କ ପାଇଁ କ୍ୟାମ୍ପେନ ମ୍ୟାନେଜର ଓ ୨୦୦୭ରେ ଭାଇ ରାହୁଲଙ୍କ ପାଇଁ କ୍ୟାମ୍ପେନ ସୁପରଭାଇଜର ଦାୟିତ୍ୱ ତୁଲାଇଥିଲେ । ୨୦୧୯ରେ ନିର୍ଣ୍ଣାୟକ ଲଢେଇ ପାଇଁ କଂଗ୍ରେସ ଆଗରେ ଅନେକ ଆହ୍ୱାନ ରହିଥିଲା । କାରଣ କଂଗ୍ରେସକୁ ବାଦଦେଇ ଏଠାରେ ହାତ ମିଳାଇଥିଲେ ଏସପି ଓ ବିଏସପି । ଏଭଳି ଏକ ଘଡିସନ୍ଧି ମୁହୂର୍ତରେ ପ୍ରିୟଙ୍କାଙ୍କୁ ଆଗକୁ ଆଣି ପୂର୍ବ ଉତ୍ତର ପ୍ରଦେଶର ଦାୟିତ୍ୱ ଦେଇଥିଲେ ରାହୁଲ ଗାନ୍ଧି ।

ଉତ୍ତର ପ୍ରଦେଶର ପୂର୍ବାଂଚଳ କ୍ଷେତ୍ର ଦିନେ କଂଗ୍ରେସର ଗଡଥିଲା । ଏଠାରେ ଥିବା ବ୍ରାହ୍ମଣଙ୍କ ଭୋଟ୍ ମଣ୍ଡଳ କମିଶନ୍ ପରେ ବିଜେପି ଆଡକୁ ଢଳିଲା । ପରେ ମାୟାବତୀଙ୍କ ବିଏସପି ଓ ପୁଣି ୨୦୧୪ରେ ବିଜେପି ଖାତାକୁ ଯାଇଛି । ଆଉ ପ୍ରିୟଙ୍କା କଂଗ୍ରେସର ଏହି ପକେଟ୍ ଭୋଟକୁ ଫେରାଇ ଆଣିବେ ବୋଲି ଦଳ ଆଶା ବାନ୍ଧି ବସିଥିଲା । କାରଣ ଭୋଟ୍ ରାଜନୀତିରେ ପ୍ରିୟଙ୍କା ଗାନ୍ଧିଙ୍କ ରଣନୀତି ଅନେକବାର କଂଗ୍ରେସକୁ ଫାଇଦା ଦେଇଥିଲା ।
ହେଲେ ୟୁପିରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କଂଗ୍ରେସ । ୨୦୧୪ ନିର୍ବାଚନରେ କେବଳ ସୋନିଆ ଓ ରାହୁଲଙ୍କ ଆସନ ରଖିପାରିଥିବା କଂଗ୍ରେସ ଦଳ ୨୦୧୯ ନିର୍ବାଚନରେ କେବଳ ଗୋଟିଏ ଆସନରେ ବିଜୟୀ ହୋଇଛି । ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ରାଏବରେଲିରୁ ଜିତିଥିବାବେଳେ ଆମେଠିରୁ ପରାଜିତ ହୋଇଛନ୍ତି ରାହୁଲ ଗାନ୍ଧି । ନିଜ ପାରମ୍ପରିକ ଆସନରୁ ଶୋଚନୀୟ ପରାଜୟ ସହ ଫେଲ ମାରିଛି ରାହୁଲ ଗାନ୍ଧିଙ୍କ ୟୁପି ଏକ୍ସପେରିମେଂଟ । ପ୍ରିୟଙ୍କାଙ୍କୁ ସକ୍ରିୟ ରାଜନୀତିକୁ ଆଣି ରାହୁଲ ଗାନ୍ଧି ଯେଉଁ ୟୁପି ଫର୍ମୁଲା ଉପରେ ଭରସା କରି ଦିଲ୍ଲୀ ଦଖଲର ସ୍ୱପ୍ନ ଦେଖିଥିଲେ ତାକୁ ଲାଗିଛି ଶକ୍ତ ଧକ୍କା । ଏଥିସହ ପ୍ରିୟଙ୍କା ଗାନ୍ଧିଙ୍କ ଦଳ ଭିତରେ ପଦୋନ୍ନତି ନେଇ ସମ୍ଭାବନା ମଧ୍ୟ ମଉଳି ଯାଇଛି ।
from Kanak News http://bit.ly/2WEmhK5 http://bit.ly/2UtBCaM
No comments: