କ୍ଷୁଦ୍ର ବ୍ୟବସାୟୀଙ୍କ ପେଟରେ ଲାତ ମାରିଲା ଫୋନି   OTV KHABAR BUREAU

ଭୁବନେଶ୍ୱର:  ହଜାର ହଜାର କ୍ଷୁଦ୍ର ବ୍ୟବସାୟୀଙ୍କ ପେଟପାଟଣା ଉପରେ ବି ଲାତ ମାରିଛି  ଫୋନି । ବ୍ୟବସାୟ ଠପ୍‌ ହୋଇଯାଇଥିବା ବେଳେ ଘରଦ୍ୱାର କିପରି ସମ୍ଭାଳିବେ ସେ ଚିନ୍ତା ଘାରିଛି। ବାତ୍ୟାରେ କାହାର ଦୋକାନ ଘର ଭାଙ୍ଗିଯାଇଛି, ତ ଆଉ କାହାର ଛପର ଉଡ଼ିଯାଇଛି। ନଷ୍ଟ ହୋଇଯାଇଛି ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ସାମଗ୍ରୀ। ଏବେ ବିଜୁଳି ଓ ପାଣି ଅଭାବରୁ ବି ଅନେକ ବ୍ୟବସାୟ ପୁଣି ଥରେ ଆରମ୍ଭ କରିବାକୁ ଚାହୁଁଥିଲେ ବି ନିରୂପାୟ ।

ଭୁବନେଶ୍ୱର ୨ ନମ୍ବର ମାର୍କେଟ ଗଲେ ଦେଖିବାକୁ ମିଳୁଛି ରାସ୍ତା କଡ଼େକଡ଼େ ପ୍ରଳୟର ପଦଚିହ୍ନ । ଖିନଭିନ ହୋଇଯାଇଛି ଅନେକଙ୍କ ପେଟପାଟଣାର ଏକମାତ୍ର ସାହାରା । କେଉଁଠି ଦୋକାନ ଘର ଉପରେ ଗଛ ପଡ଼ିଛି, ତ  କେଉଁଠି  କାହାର ଛପର ଉଡ଼ିଯାଇଛି। ପୁଣି କେଉଁଠି କାହାର ପୁରା ଦୋକାନ ଭୁଶୁଡ଼ି ପଡ଼ିଛି ।

ଅନେକ କ୍ୟାବିନ୍ ପବନ ମାଡ଼ରେ ନିଶ୍ଚିହ୍ନ ହୋଇଯାଇଛି । ବର୍ଷାପାଣିରେ ଭିଜିଯାଇଛି ବିକ୍ରି ପାଇଁ ଥିବା ଲକ୍ଷାଧିକ ଟଙ୍କାର ଗଦି, ତକିଆ ଓ ଅନ୍ୟାନ୍ୟ ସାମଗ୍ରୀ । ବହି ଦୋକାନ ଆଗରେ ଶୁଖୁଛି ଶହଶହ ସଂଖ୍ୟାରେ ଓଦା ବହି ।

ଅପରପକ୍ଷେ  ବିଜୁଳି ଓ ପାଣି ଅଭାବରୁ ରାସ୍ତା କଡ଼ରେ ଦହିବରା, ଆଳୁଦମ୍‌ ଦୋକାନୀଙ୍କ ଦେଖା ମିଳୁନଥିବା ବେଳେ ବରା ଗୁଗୁନି, ଦୋସା, ଇଡ଼ଲି ଦୋକାନ ବି ଖାଁ ଖାଁ।  ଅନ୍ୟପକ୍ଷେ  ଜୁସ୍ ଦୋକାନରେ ପଚିସଢ଼ି ଯାଉଛି ପେଟିପେଟି ଫଳ  ।

 

ଫୁଲ ଦୋକାନ ବି ଖାଲି । ଫୁଲ ଫଳ ସଂରକ୍ଷଣ ପାଇଁ ରେଫ୍ରିଜିରେଟର୍ କାମ କରୁନଥିବା ବେଳେ ଜୁସ୍ ମେସିନ୍ ବି ଅଚଳ।  ତେଣୁ କେବଳ କ୍ଷୁଦ୍ର ବ୍ୟବସାୟୀ ନୁହନ୍ତି, ରାତି ପାହିଲେ ସେମାନଙ୍କ ଉପରେ ନିର୍ଭର କରୁଥିବା ଗ୍ରାହକ, ବିଶେଷ କରି ଛାତ୍ରଛାତ୍ରୀମାନେ ଏଥିପାଇଁ ସମସ୍ୟା ଭୋଗୁଛନ୍ତି ।



from OTV Khabar http://bit.ly/2J5g7vm
କ୍ଷୁଦ୍ର ବ୍ୟବସାୟୀଙ୍କ ପେଟରେ ଲାତ ମାରିଲା ଫୋନି   OTV KHABAR BUREAU କ୍ଷୁଦ୍ର ବ୍ୟବସାୟୀଙ୍କ ପେଟରେ ଲାତ ମାରିଲା ଫୋନି   OTV KHABAR BUREAU Reviewed by SUBHENDU BARAL on May 06, 2019 Rating: 5

No comments:

Powered by Blogger.