ହ୍ୱିଲଚେୟାରରେ ହାର ମାନିଲେନି ଦିବ୍ୟାଙ୍ଗ କେଶବ । ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଆଇନ ବିଷୟରେ ଦେଶରେ ଟପ୍ପର ହେଲେ ଓଡ଼ିଆ ପୁଅ । Kanak News
କନକ ବ୍ୟୁରୋ: ହ୍ୱିଲ୍ ଚେୟାରରେ ହାର ମାନିଲେନି କେଶବ । ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଲିଗାଲ ଷ୍ଟଡ଼ି ପେପର ବା ଆଇନ ବିଷରେ ସାରା ଦେଶରେ ଟପ୍ପର କରିଛନ୍ତି ଦିବ୍ୟାଙ୍ଗ କେଶବ ଚନ୍ଦ୍ର ପୃଷ୍ଟି । ଜନ୍ମରୁ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ସମଗ୍ର ଦେଶରେ ୯୬.୫ ପ୍ରତିଶତ ନମ୍ବର ରଖି ଉଦାହରଣ ସୃ୍ଷ୍ଟି କରି ଓଡ଼ିଶାର ନାଁକୁ ଗୌରାବନ୍ୱିତ କରିଛନ୍ତି କେଶବ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା କି, ଦିଲ୍ଲୀର ସଂସ୍କୃତି ସ୍କୁଲର ଛାତ୍ର କେଶବ ହ୍ୱିଲଚେୟାରରେ ଚଳପ୍ରଚଳ କରି ଏଭଳି କୃତିତ୍ୱ ହାସଲ କରିଛନ୍ତି ।
ସୂଚନା ମୁତାବକ ଯାଜପୁର ଜିଲ୍ଲା ଦଶରଥ ଗାଁର କେଶବ ଜନ୍ମରୁ ପେରାପ୍ଲେଜିଆ ରୋଗରେ ଆକ୍ରାନ୍ତ ରହିଛନ୍ତି । ଯେଉଁଥି ପାଇଁ କେଶବ କଥା କହିବା, ଚାଲିବା ଏବଂ ଲେଖିବା ଭଳି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । କିନ୍ତୁ ତାଙ୍କର ଦୃଢ଼ଶକ୍ତି ଏବଂ ନିଷ୍ଠାପରତା ଓ ଏକାଗ୍ରତା ଆଗରେ ହ୍ୱିଲଚେୟାର ମଧ୍ୟ ହାର ମାନିଯାଇଛି । ଆଉ ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଆଇନ ବିଷୟରେ ସର୍ବାଧିକ ନମ୍ବର ରଖି ଦେଶରେ ଟପ୍ପର କରିଛନ୍ତି ।
ଅନ୍ୟପଟେ କେଶବଙ୍କ ବାପା ଭାରତୀୟ ରାଜସ୍ୱ ସେବାର ଜଣେ ଅଧିକାରୀଭାବେ କାର୍ଯ୍ୟକରନ୍ତି । ଏବଂ କେଶବଙ୍କ ମା’ ଜେଣ ଗୃହିଣୀ । ହେଲେ ଜନ୍ମରୁ କେଶବଙ୍କ ଏଭଳି ସ୍ୱାସ୍ଥ୍ୟବସ୍ଥା ଦେଖି ପରିବାର ଲୋକେ ଭାଙ୍ଗି ନପଡ଼ି କେଶବଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରୋତ୍ସାହିତ କରିଥିଲେ । ଯାହାର ଫଳ ଆଜି ତାଙ୍କୁ ମିଳିଛି ବୋଲି ପରିବାର ଲୋକେ କହିଛନ୍ତି । ସବୁଠାରୁ ବଡ଼କଥା ହେଲାକି କେଶବ ଭବିଷ୍ୟତରେ ସୁପ୍ରିମକୋର୍ଟର ବିଚାରପତି ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ସଫଳତା ପରେ ବଖାଣିଛନ୍ତି ।
from Kanak News http://bit.ly/2H4r7qA http://bit.ly/2YaCH9k
No comments: