ଆଜିଠୁ ବିଶ୍ୱକପ କ୍ରିକେଟ୍ । ରଙ୍ଗାରଙ୍ଗ ଉଦଘାଟନୀ ପରେ ଏବେ ପ୍ରଥମ ମ୍ୟାଚକୁ ଅପେକ୍ଷା, ଅପରାହ୍ନ ୩ଟାରେ ମୁହାଁମୁହିଁ ହେବେ ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା । Kanak News

କନକ ବ୍ୟୁରୋ : ବାଜିଲା ବିଗୁଲ । ଆଜି ଠାରୁ ଆରମ୍ଭ ହେଉଛି ବିଶ୍ୱ କ୍ରିକେଟର ବଡ ଲଢେଇ ବିଶ୍ୱକପ କ୍ରିକେଟ । ବିଶ୍ୱର ଶ୍ରେଷ୍ଠ ୧୦ଟି ଦଳ ମଧ୍ୟରେ ହେବ ଟକ୍କର । ଯେଉଁ ମୂହୁର୍ତ୍ତକୁ ସାରା ବିଶ୍ୱ ଅପେକ୍ଷା କରି ରହିଥିଲା, ସେହି ସମୟ ଏବେ ଆସିଯାଇଛି । ବିଶ୍ୱକପ ଟ୍ରଫି ପାଇଁ ଆଜିଠୁ ହେବ ମହା ଲଢେଇ । ବିଶ୍ୱ ଦେଖିବ କ୍ରିକେଟ ମହାକୁମ୍ଭ ।
ବିଶ୍ୱକପ୍ ଆରମ୍ଭ ହେବା ଆଗରୁ ଗତକାଲି ଇଂଲଣ୍ଡର ବଂକିମହମ୍ ସିଟିରେ ହୋଇଯାଇଛି ଓପନିଂ ସେରେମନି । ଏହି ଅବସରରେ ଇଂଲଣ୍ଡରେ ଦେଖିବାକୁ ମିଳିଥିଲା ରଙ୍ଗାରଙ୍ଗ ଆତସବାଜୀ ସହିତ ନାଚଗୀତ । ଇଂଲଣ୍ଡର ମହାରାଣୀ ଏଲିଜାବେଥଙ୍କ ଉପସ୍ଥିତିରେ ବିଶ୍ୱକପ୍ ଟ୍ରଫି ସହିତ ଗୋଟିଏ ମଂଚରେ ଏକାଠି ହୋଇଥିଲେ ସମସ୍ତ ଟିମର କ୍ୟାପଟେନ୍ । ଇଂଲଣ୍ଡ ମହାରାଣୀ ଓ ପ୍ରିନ୍ସ ହାରିଙ୍କ ସହ ଚଳିତ ବର୍ଷ କ୍ରିକେଟ ବିଶ୍ୱକପରେ ସାମିଲ ହୋଇଥିବା ୧୦ ଟିମର କ୍ୟାପଟେନ୍ ଫଟୋ ପୋଜ୍ ଦେଇଛନ୍ତି । ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କ ସହ ହାତ ମିଳାଇଥିଲେ ବ୍ରିଟେନ୍ ମହାରାଣୀ ।

୨୦୧୫ ବିଶ୍ୱକପରେ ପ୍ରଥମ ରାଉଣ୍ଡରୁ ହିଁ ଇଂଲଣ୍ଡ ବିଦାୟ ନେଇଥିଲା । ଏବେ ଘରୋଇ ପରିବେଶରେ ଇଂଲଣ୍ଡ ଜବରଦସ୍ତ କମବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିଛି । ବିଶ୍ୱକପ ଇତିହାସରେ ଏହି ଦୁଇ ଟିମ୍ ଆଜିଯାଏଁ ଟ୍ରଫି ଜିତିନଥିବାରୁ ଚଳିତ ବିଶ୍ୱକପ୍ ଉପରେ ରହିଛି ଦୁଇ ଦଳର ନଜର । ଆସନ୍ତା ଜୁନ୍ ୫ ତାରିଖରେ ଭାରତ ତାର ଅଭିଯାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ କରିବ । ତେବେ ଏହାରି ଭିତରେ ସମସ୍ତଙ୍କ ଅପେକ୍ଷା ରହିଛି ଆସନ୍ତା ଜୁନ୍ ୧୬ ତାରିଖକୁ । କାରଣ ଏହି ଦିନ ମୁହାଁମୁହିଁ ହେବେ ବିଶ୍ୱର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଦଳ ଭାରତ ଏବଂ ପାକିସ୍ତାନ ।
from Kanak News http://bit.ly/2EJdwDl http://bit.ly/2XdibVv
No comments: