ଉଗ୍ରରୂପ ନେଉଛି ସାମୁଦ୍ରିକ ବାତ୍ୟା ‘ଫନି’, ଜାଣନ୍ତୁ କିଭଳି ହୋଇଛି ଏହାର ନାମକରଣ

ଭୁବନେଶ୍ବର ୧|୫: ବାତ୍ୟା ପାଇଁ ଓଡ଼ିଶାରେ ଅକ୍ଟୋବର ଅଶୁଭ ବୋଲି ସାଧାରଣରେ ଗୋଟେ ଚର୍ଚ୍ଚା ହୁଏ । ହେଲେ ଇତିହାସର ପୃଷ୍ଠା ଲେଉଟାଇଲେ ମେ’ ମାସରେ ମଧ୍ୟ ଓଡ଼ିଶା ଅନେକ ଥର ବାତ୍ୟାକୁ ସାମ୍ନା କରିଛି । ହେଲେ ଏଥର ଆସୁଥିବା ସାମୁଦ୍ରିକ ଝଡ଼ ବାତ୍ୟା ଫନି କେଉଁଠୁ ଆସିଲା ଆଉ ଏହାର ନାମକରଣ କିଭଳି ହୋଇଛି ସେ ସମ୍ପର୍କରେ ଆସନ୍ତୁ ଜାଣିବା ।

ଅକ୍ଟୋବର ହେଉ କି ମେ’ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ କୌଣସି ମାସ ଅଶୁଭ ବୋଲି ଧରାଯାଇନପାରେ । କାରଣ ବିଶ୍ବ ଜଳବାୟୁ ପରିବର୍ତ୍ତନ ହିଁ ଏଥି ପାଇଁ ଦାୟୀ । ପୂର୍ବରୁ ମେ’ ମାସରେ ବି ବାତ୍ୟା ହୋଇଛି । ଇତିହାସର ପୃଷ୍ଠାକୁ ଆଡ଼େଇଲେ  ୧୮୯୩, ୧୯୧୪, ୧୯୧୭, ୧୯୮୨, ୧୯୮୯ ମେ ମାସରେ ବାତ୍ୟା ହୋଇଥିବା ଜଣାପଡ଼ୁଛି । ତେବେ ୧୧ ଅକ୍ଟୋବର ୨୦୧୮ରେ ତିତ୍‌ଲି ବାତ୍ୟାକୁ ସାମ୍ନା କରିଥିବା ଓଡ଼ିଶାବାସୀ ମାତ୍ର ୬ମାସ ବ୍ୟବଧାନରେ ପୁଣି ଏକ ବାତ୍ୟାକୁ ନେଇ ଆତଙ୍କିତ ହେବା ସ୍ବାଭାବିକ୍‌ । ତେବେ ବାରମ୍ବାର ଆସୁଥିବା ଏହି ସାମୁଦ୍ରିକ ଝଡ଼ ବାତ୍ୟା ଗୁଡ଼ିକର ନାମକରଣକୁ ନେଇ ମଧ୍ୟ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ । ଫାଇଲିନ୍‌, ହୁଦ୍‌ ହୁଦ୍‌, ତିତିଲି ପରେ ଫନି ଭଳି ବାତ୍ୟାର ନାମ କରଣ କେମିତି ହେଉଛି ?  ପ୍ରକୃତରେ ଏହି ବାତ୍ୟାର ନାମ ପାଣିପାଗ ନାମ ‘ଟ୍ରପିକାଲ ସାଇକ୍ଲୋନ’କୁ ସହଜରେ ମନେ ରଖିବା ପାଇଁ ଏଭଳି ନାମକରଣ କରାଯାଉଛି । ଜଳବାୟୁ ଦୃଷ୍ଟିରୁ ସାମଞ୍ଜସ୍ୟ ଥିବା ଦେଶଗୁଡ଼ିକୁ ଏକାଠି କରାଯାଇ ୧୦ଟି ଜଳବାୟୁ ଜୋନ୍‌ରେ ତିଆରି କରାଯାଇଛି । ଏହି ଜୋନ୍‌ ଅନୁସାରେ ବାଂଲାଦେଶ, ମାଲଦ୍ବୀପ, ପାକିସ୍ତାନ, ମିଆଁମାର, ଓମାନ, ଶ୍ରୀଲଙ୍କା, ଥାଇଲାଣ୍ଡ ଓ ଭାରତକୁ ଭାରତ ମହାସାଗରର ଉତ୍ତରରେ ଥିବା ପାଣିପାଗ ଜୋନ୍‌ ମଧ୍ୟରେ ରଖାଯାଇଛି । ଏହା ଅନୁସାରେ ସଂପୃକ୍ତ କ୍ଷେତ୍ରରୁ ସୃଷ୍ଟି ହେଉଥିବା ଟ୍ରପିକାଲ ସାଇକ୍ଲୋନ୍‌ ଗୁଡ଼ିକୁ ଏହି ୮ଟି ଦେଶ ହିଁ ନାମକରଣ କରିଥାନ୍ତି । ଏ ନେଇ ସ୍ବତନ୍ତ ପ୍ରସ୍ତାବ ମଧ୍ୟ ପାରିତ କରାଯାଇଛି । ଏସବୁ ଦେଶଗୁଡ଼ିକ ଭିତରେ ପାଣିପାଗ ତଥ୍ୟ ମଧ୍ୟ ଆଦାନପ୍ରଦାନ ହୋଇଥାଏ । କିନ୍ତୁ ଏବେ ଓଡ଼ିଶା ଆଡ଼କୁ ମାଡ଼ି ଆସୁଥିବା ସାମୁଦ୍ରିକ ଝଡ଼ ବାତ୍ୟା ଫନିର ନାମକରଣ କରିଛି ବାଂଲାଦେଶ୍‌ । କାରଣ ଭୟଙ୍କର ରୂପ ଧାରଣ କରୁଥିବା ସାମୁଦ୍ରିକ ଝଡ଼ ବାତ୍ୟାକୁ ଅନୀଲ, ଅଗ୍ନି, ନିଶା, ଗିରି, ହେଲେନ୍ଥ, ଚପଳା,  ଓକ୍‌ଚି, ଫନି ଆଦି ନାମ କରଣ କରିବାକୁ ବାଂଲାଦେଶକୁ ଅଧିକାର ଦିଆଯାଇଛି ।  ସେହିଭଳି ଭାରତ ପକ୍ଷରୁ ଅଗ୍ନି, ଜଳ, ଆକାଶ, ବିଜୁଳି, ଲହର, ମେଘ, ସାଗର, ବାୟୁ ଆଦି ନାମକୁ ବାତ୍ୟା ନାମକରଣ ପାଇଁ ବଛାଯାଇଛି । ସେହିଭଳି ନର୍ଗିସ୍‌, ଲୈଲା, ନିଲମ, ନିଲୋଫର୍‌, ବାର୍ଦା, ତତ୍‌ଲି, ବୁଲବୁଲ୍‌ ଭଳି ବାତ୍ୟାଗୁଡ଼ିକର ନାମକରଣ କରିବ ପାକିସ୍ତାନ । ଏଥି ସହ ଶ୍ରୀଲଙ୍କା, ମିଆଁମାର୍‌ ମଧ୍ୟ ସେମାନଙ୍କୁ ଦ୍ବାରା ନିର୍ଦ୍ଧାରିତ ନାଁଗୁଡ଼ିକୁ ବାତ୍ୟାର ନାମକରଣ ଭାବେ ବ୍ୟବହାର କରିପାରିବେ । ହେଲେ ଏବେ ଗଭୀର ସମୁଦ୍ର ଭିତରେ ଏକ୍ସଟ୍ରିମ୍‌ଲି ସିଭିୟର ସାଇକ୍ଲୋନରେ ପରିଣତ ହୋଇଥିବା ଫନି ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବା ପରେ ଏହାର ଭୟାବହତା କ’ଣ ରହିବ ତାହା ଦେଖିବାର କଥା ।



from News7 http://bit.ly/2UULPMZ
ଉଗ୍ରରୂପ ନେଉଛି ସାମୁଦ୍ରିକ ବାତ୍ୟା ‘ଫନି’, ଜାଣନ୍ତୁ କିଭଳି ହୋଇଛି ଏହାର ନାମକରଣ ଉଗ୍ରରୂପ ନେଉଛି ସାମୁଦ୍ରିକ ବାତ୍ୟା ‘ଫନି’, ଜାଣନ୍ତୁ କିଭଳି ହୋଇଛି ଏହାର ନାମକରଣ Reviewed by SUBHENDU BARAL on May 01, 2019 Rating: 5

No comments:

Powered by Blogger.