ନେତାଙ୍କ ଫୋକସରେ ଦକ୍ଷିଣ ଓଡ଼ିଶା ! ନିର୍ବାଚନୀ ପ୍ରଚାର ପାଇଁ ଆସୁଛନ୍ତି ହେଭିୱେଟ୍ ନେତା ଓ ତାରକା Kanak News

ବିଜେଡି, ବିଜେପି, କଂଗ୍ରେସର ଫୋକସରେ ଦକ୍ଷିଣ ଓଡ଼ିଶା। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୩ ଲୋକସଭା ଆସନରେ ନିଜ ସ୍ଥିତି ସୁଦୃଢ଼ ସହ ଭୋଟରକୁ ନିଜ ସପକ୍ଷରେ ଆଣିବା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି। ଏପ୍ରିଲ୍ ପ୍ରଥମ ସପ୍ତାହରେ ଏଥିପାଇଁ ଜାତୀୟ ଓ ଆଞ୍ଚଳିକ ଦଳର ହେଭିୱେଟ୍ ନେତା ଓ ସିନେ ତାରକା ଅବିଭକ୍ତ କୋରାପୁଟ ଓ ଗଂଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି। ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର୍ କରିବା ପାଇଁ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ପକ୍ଷରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ବଲିଉଡ ଅଭିନେତ୍ରୀ ହେମାମାଳିନୀ, କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ତେଲୁଗୁ ଅଭିନେତା, ଅଭିନେତ୍ରୀଙ୍କୁ ସାମିଲ୍ କରିବାକୁ ଯୋଜନା କରିଛି। ତେବେ ତିନି ପ୍ରମୁଖ ଦଳକୁ ଚ୍ୟାଲେଂଜ୍ ଦେବା ପାଇଁ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ପକ୍ଷରୁ ଦଳୀୟ ସୁପ୍ରିମୋ ମାୟାବତୀ ମଧ୍ୟ ପ୍ରଚାର ପାଇଁ ଆସିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

ଏପ୍ରିଲ୍ ୧୧ ତାରିଖରେ ଦକ୍ଷିଣ ଓଡ଼ିଶାର ୩ ଲୋକସଭା ଆସନ (କୋରାପୁଟ, ନବରଂଗପୁର, ବ୍ରହ୍ମପୁର) ପାଇଁ ଭୋଟ ଗ୍ରହଣ ହେବ। ଗଞ୍ଜାମ ଜିଲ୍ଲାର ଆସିକା ଲୋକସଭା ଆସନ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁ ଥିଲେ ମଧ୍ୟ ପ୍ରଥମ ପର୍ଯ୍ୟାୟ ପ୍ରଚାର କାର୍ଯ୍ୟକ୍ରମ ଭିତରେ ଏହାକୁ ସାମିଲ୍ କରିବା ପାଇଁ ସବୁ ଦଳ ଯୋଜନା କରିଛନ୍ତି। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏପ୍ରିଲ୍ ୩ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରାୟଗଡାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନୀ ସଭାରେ ଯୋଗଦେବାକୁ ଆସୁଛନ୍ତି। କୋରାପୁଟ ଲୋକସଭା ସମେତ ରାୟଗଡା, ଗୁଣପୁର, ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଶାହ ପ୍ରଚାର କରିବା ସହ ଭୋଟ ଭିକ୍ଷା କରିବେ। ଅମିତ ଶାହଙ୍କ ସହ ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ ପ୍ରଚାରରେ ସାମିଲ ହେବେ। ରାୟଗଡା ପରେ କୋରାପୁଟ, ନବରଂଗପୁର ଓ ଗଂଜାମ ଗସ୍ତରେ ଯିବେ ଶାହ।

ସେହିପରି ଏପ୍ରିଲ ୫ କିମ୍ବା ୬ ତାରିଖରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ରାୟଗଡା ଓ ମାଲକାନଗିରିରେ ହେବାକୁ ଥିବା ନିର୍ବାଚନୀ ସଭାରେ ଯୋଗଦେଇ ପ୍ରଚାର କରିବେ। ପ୍ରିୟଙ୍କାଙ୍କ ସହିତ ତେଲୁଗୁ ଅଭିନେତା ଓ ଅଭିନେତ୍ରୀ ପ୍ରଚାରରେ ସାମିଲ୍ ହେବାର ସମ୍ଭାବନା ରହିଛି। ନିର୍ବାଚନ ପ୍ରଚାର ଶେଷ ହେବାର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ଏପ୍ରିଲ୍ ୭ ତାରିଖରେ ବିଜେଡି ସୁପ୍ରିମୋ ରାୟଗଡା ଗସ୍ତରେ ଆସିବା ନେଇ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। କୋରାପୁଟ ଲୋକସଭା ପ୍ରାର୍ଥୀଙ୍କ ସହ ରାୟଗଡା ଜିଲ୍ଲାର ୩ ନିର୍ବାଚନମଣ୍ଡଳୀରେ ପୃଥକ୍ ପୃଥକ୍ ନିର୍ବାଚନୀ ସଭା କରିବାକୁ ବିଜେଡି ଯୋଜନା କରିଛି। ରାୟଗଡା, ମୁନିଗୁଡା, ଗୁଣପୁରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବା ସହ ସ୍ବତନ୍ତ୍ର ବସ୍ ଯୋଗେ ରୋଡ୍ ସୋ’ କରିବେ। ମୁଖ୍ୟମନ୍ତ୍ରୀଙ୍କ ସମେତ ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତିଙ୍କ ସମେତ ଦଳର ଷ୍ଟାର୍ ପ୍ରଚାରକ ସାମିଲ୍ ହେବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପକ୍ଷରେ ଚଳିତ ନିର୍ବାଚନରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ମୁଣ୍ଡ ଟେକିଥିବା ବିଏସପି ମଧ୍ୟ ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର୍ କରିବାକୁ ଯୋଜନା କରିଛି। ରାୟଗଡା ଜିଲ୍ଲାର ବିଷମକଟକ ଓ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ମାୟାବତୀ ପ୍ରଚାର କରିବାକୁ ଆସିବାକୁ ଦଳୀୟ ନେତା ଅନୁରୋଧ କରିଛନ୍ତି। କିଛି ଦିନ ଭିତରେ ଏହି ସମସ୍ତ ହେଭିୱେଟଙ୍କ ଗସ୍ତ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଯିବ ବୋଲି ସମସ୍ତ ଦଳୀୟ ସଭାପତି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମାର୍ଚ୍ଚ ପ୍ରଥମ ସପ୍ତାହରେ ଜୟପୁରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିର୍ବାଚନୀ ସଭା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜୟପୁର ଗସ୍ତରେ ଆସି ଦଳୀୟ ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର୍ କରିଛନ୍ତି।



from Kanak News https://ift.tt/2I1eLQP https://ift.tt/2OBuIye
ନେତାଙ୍କ ଫୋକସରେ ଦକ୍ଷିଣ ଓଡ଼ିଶା ! ନିର୍ବାଚନୀ ପ୍ରଚାର ପାଇଁ ଆସୁଛନ୍ତି ହେଭିୱେଟ୍ ନେତା ଓ ତାରକା Kanak News ନେତାଙ୍କ ଫୋକସରେ ଦକ୍ଷିଣ ଓଡ଼ିଶା ! ନିର୍ବାଚନୀ ପ୍ରଚାର ପାଇଁ ଆସୁଛନ୍ତି ହେଭିୱେଟ୍ ନେତା ଓ ତାରକା Kanak News Reviewed by SUBHENDU BARAL on March 30, 2019 Rating: 5

No comments:

Powered by Blogger.