ଚତୁର୍ଥ ଦିନିକିଆ ଜିତିଲା ନ୍ୟୁଜିଲ୍ୟାଣ୍ଡ OTV KHABAR BUREAU

cricket

ହାମିଲ୍‌ଟନ୍‌: ଚତୁର୍ଥ ଦିନିକିଆରେ ଭାରତକୁ ହରାଇଛି ନ୍ୟୁଜିଲ୍ୟାଣ୍ଡ। ଦଳ ୮ ୱିକେଟ୍‌ରେ ଟିମ୍ ଇଣ୍ଡିଆକୁ ହରାଇବା ସହିତ ସିରିଜ୍‌କୁ ୩-୧ ସ୍ଥିତିକୁ ଆଣିଛି। ଏହା ସହିତ ୫-୦ରେ ସିରିଜ୍ ଜିତିବା ନେଇ ଭାରତ ଯେଉଁ ଲକ୍ଷ୍ୟ ରଖିଥିଲା ତାହା ଧୂଳିସାତ୍ ହୋଇଛି।

ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଆଜି ପଡ଼ିଆକୁ ଓହ୍ଲାଇ ଥିବା ଟିମ୍ ଇଣ୍ଡିଆ ମାତ୍ର ୩୦.୫ ଓଭରରେ ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ୯୨ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ମାତ୍ର ୧୪.୪ ଓଭରରେ ଦୁଇଟି ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା।

ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍କତ୍ତି ନେଇଥିଲା। ପୂର୍ବ ତିନି ମ୍ୟାଚ୍ ଭଳି ଏ ମ୍ୟାଚ୍‌କୁ ଜିତିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳକୁ ୫.୫ ଓଭରରେ ପ୍ରଥମ ଝଟକ ଲାଗିଥିଲା ଓପନର ଶିଖର ଧୱନ ମାତ୍ର ୧୩ ରନ୍ କରି ଆଉଟ୍ ହୋଇଥିଲେ। ଅଧିନାୟକ ରୋହିତ ଶର୍ମା ବି ଅଧିକ ସମୟ ରହିପାରି ନଥିଲେ। ୭.୬ ଓଭରରେ ମାତ୍ର ୭ ରନ୍ କରି ସେ ଆଉଟ୍ ହୋଇଯାଇଥିଲେ। ଏ ଦୁହିଁଙ୍କୁ ଟ୍ରେଣ୍ଟ ବୋଲ୍ଟ ଆଉଟ୍ କରିଥିଲେ।

ଆଜି ଡେବ୍ୟୁ ମ୍ୟାଚ୍ ଖେଳିଥିବା ଶୁଭମନ୍ ଗିଲ୍ ମାତ୍ର ୯ ରନ୍ (୨୧ ରନ୍) କରି ଆଉଟ୍ ହୋଇଥିଲେ। ୪ ଓ ୫ ନମ୍ବରରେ ଆସିଥିବା ଅମ୍ବାତି ରାୟୁଡୁ ଓ ଦୀନେଶ କାର୍ତ୍ତିକ ଖାତା ଖୋଲି ପାରିନଥିଲେ। ଏ ଦୁହେଁ କଲିନ୍‌ ଡି ଗ୍ରାଣ୍ଡହୋମଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ। କେଦାର ଯାଦବ ମାତ୍ର ୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ସେ ଟ୍ରେଣ୍ଟ ବୋଲ୍ଟଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ।

ବିବାଦ ପରେ ଟିମ୍‌କୁ ଫେରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ବି ଆଜି ଭଲ ଖେଳି ପାରି ନଥିଲେ। ସେ ମାତ୍ର ୧୬ ରନ୍ କରି ଆଉଟ୍ ହୋଇଯାଇଥିଲେ। ସେ ବି ବୋଲ୍ଟ ହୋଇଥିଲେ। କୁଲ୍‌ଦୀପ ଯାଦବ ୧୫ ରନ୍ କରିଥିବା ବେଳେ ୟୁଜଭେନ୍ଦ୍ର ଚହଲ ଅପରାଜିତ ରହି ୧୮ ରନ୍ କରିଥିଲେ। ଖଲିଲ ଅହମଦ ୫ ରନ୍ କରି ଆଉଟ୍ ହୋଇଥିଲେ।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୫ଟି ୱିକେଟ୍ ନେଇଥିବା ବେଳେ କଲିନ୍‌ ଡି ଗ୍ରାଣ୍ଡହୋମ୍‌ ୩ଟି ୱିକେଟ୍ ନେଇଥିଲେ। ଟୋଡ୍ ଆଷ୍ଟେଲ୍ ଓ ଜିମ୍ମୀ ନଶୀମ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

୯୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଘରୋଇ ଟିମ୍‌କୁ ମଧ୍ୟ ପ୍ରାରମ୍ଭିକ ଝଟକା ଲାଗିଥିଲା। ପ୍ରଥମ ଓଭରରେ ମାର୍ଟିନ୍ ଗପ୍ଟିଲ୍ ଆଉଟ୍ ହୋଇଯାଇଥିଲେ। ସେ ୪ଟି ବଲ୍‌ରେ ଦୁଇଟି ଚୌକା ଓ ଗୋଟିଏ ଛକା ସହାୟତାରେ ୧୪ ରନ୍ କରି ଆଉଟ୍ ହୋଇଥିଲେ। ଭୁବନେଶ୍ୱର କୁମାରଙ୍କ ବଲ୍‌ରେ ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଅଧିନାୟକ କେନ୍‌ ୱିଲିୟମସନ୍‌ ୬.୨ ଓଭରରେ ୧୧ ରନ୍ କରି ଦୀନେଶ କାର୍ତ୍ତିକଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଭୁବନେଶ୍ୱର କୁମାରଙ୍କ ବଲ୍‌ରେ ହିଁ ସେ ଆଉଟ୍ ହୋଇଥିଲେ। ହେନରୀ ନିକୋଲସ୍‌ ଅପରାଜିତ ରହି ୩୦ ରନ୍ କରିଥିବା ବେଳେ ରସ୍ ଟେଲର ମଧ୍ୟ ୩୭ ରନ୍ କରି ଅପରାଜିତ ରହିଥିଲେ।

ଏହି ସିରିଜ୍‌ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଫେବୃଆରୀ ୩ ତାରିଖରେ ଖେଳାଯିବ।



from OTV Khabar http://bit.ly/2RvZcSi
ଚତୁର୍ଥ ଦିନିକିଆ ଜିତିଲା ନ୍ୟୁଜିଲ୍ୟାଣ୍ଡ OTV KHABAR BUREAU ଚତୁର୍ଥ ଦିନିକିଆ ଜିତିଲା ନ୍ୟୁଜିଲ୍ୟାଣ୍ଡ OTV KHABAR BUREAU Reviewed by SUBHENDU BARAL on January 31, 2019 Rating: 5

No comments:

Powered by Blogger.