
ଢେଙ୍କାନାଳ: ଢେଙ୍କାନାଳ କମଳାଙ୍ଗରେ ୭ ହାତୀଙ୍କ ମୃତ୍ୟୁ ଘଟଣା ପାଇଁ ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତି PCCF ସନ୍ଦୀପ ତ୍ରିପାଠୀ। ଘଟଣାସ୍ଥଳରେ ଓହଳି ପଡ଼ିଥିବା ବିଦ୍ୟୁତ୍ ତାରକୁ ନ ଉଠାଇବା ଯୋଗୁ ଏତେ ବଡ଼ ଦୁର୍ଘଟଣା ହୋଇଥିବା କହିଛନ୍ତି ପିସିସିଏଫ୍।
ଏ ନେଇ ଏକ ପ୍ରେସ୍ ରିଲିଜ୍ ଜାରି କରିଛନ୍ତି ପିସିସିଏଫ୍। ଟ୍ରାନ୍ସମିଶନ୍ ଲାଇନ୍କୁ ବି କେବୁଲ୍ କରାଯାଇ ନଥିବା କଥା ଏଥିରେ ଉଲ୍ଳେଖ ହୋଇଛି। ତେବେ ଏନେଇ ଗତବର୍ଷ ଢେଙ୍କାନାଳ ଡିଏଫ୍ଓ ସେସୁକୁ ଜଣାଇଥିଲେ। ହେଲେ ସେସୁ କୌଣସି ପଦକ୍ଷେପ ନେଇ ନଥିବା କଥା ପିସିସିଏଫ୍ ପ୍ରେସ୍ ରିଲିଜ୍ରେ ଉଲ୍ଲେଖ କରିଛନ୍ତି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ମଧ୍ୟ ଏହି ଅଘଟଣ ପାଇଁ ସିଧାସଳଖ ସେସୁକୁ ଦାୟୀ କରିଛନ୍ତି। ତେବେ ଏହି ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ଶକ୍ତି ବିଭାଗ ସଚିବ ହେମନ୍ତ ଶର୍ମା।
ତେବେ ହାତୀ ମୃତ୍ୟୁ ପାଇଁ ପରସ୍ପର ଉପରେ ଦୋଷ ଲଦିଛନ୍ତି ଦୁଇ ଇଲେକ୍ଟ୍ରିକ୍ ଡିଭିଜନ୍।
ଢେଙ୍କାନାଳ ଡିଭିଜନ୍ ତାଳଚେର ଡିଭିଜନ୍କୁ ଦୋଷ ଦେଉଥିବାବେଳେ ତାଳଚେର ଡିଭିଜନ୍ ଢେଙ୍କାନାଳ ଡିଭିଜନ୍ ଉପରେ ଦୋଷ ଲଦିଛି। ଯେଉଁ ଜାଗାରେ ହାତୀଗୁଡ଼ିକ ପ୍ରାଣ ହରାଇଛନ୍ତି ସେହି ଜାଗାକୁ ନେଇ ଦୁଇ ଡିଭିଜନ୍ ଭିତରେ ଟଣାଓଟରା ଲାଗିଛି।
ସାତ ହାତୀ ମରି ଯାଇଥିଲେ ବି କେହି ଦୋଷ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହଁନ୍ତି। କାହା ଭୁଲ ଯୋଗୁ ଏତେ ବଡ଼ ଘଟଣା ଘଟିଲା, ସ୍ୱୀକାର କରିବାକୁ ପଛଉଛନ୍ତି ଦୁଇ ଡିଭିଜନ୍ର ଅଧିକାରୀ। ଏହା ଭିତରେ ଘଟଣାସ୍ଥଳରେ ପ୍ରଶାସନ ପହଞ୍ଚିନାହିଁ କି ବର୍ତ୍ତମାନ ଯାଏ ହାତୀଙ୍କ ମୃତଦେହ ଉଠାଯାଇନାହିଁ। ଏହାକୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଏବେ ଆସନ୍ତୁ ନଜର ପକାଇବା ରାଜ୍ୟରେ ଘଟିଥିବା କିଛି ଦୁର୍ଘଟଣା, ଯେଉଁଥିରେ ପ୍ରାଣ ହରାଇଛନ୍ତି ହାତୀ। ଗତ ୧୮ ବର୍ଷ ଭିତରେ ରାଜ୍ୟରେ କେବଳ ବିଦ୍ୟୁତ୍ ଆଘାତରେ ୧୭୫ରୁ ଅଧିକ ହାତୀଙ୍କ ମୃତ୍ୟୁ ହୋଇଛି। ବର୍ଷକୁ ହାରାହାରି ୧୧ରୁ ଅଧିକ ହାତୀ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଉଛନ୍ତି। ସେପ୍ଟେମ୍ବର୍ ୫ ତାରିଖରେ ଯାଜପୁର ଡାଲିଯୋଡ଼ା ରେଞ୍ଜର୍ ବଡ଼ପୋଖରୀ ଗାଁରେ ବିଦ୍ୟୁତ ଆଘାତରେ ୨ଟି ହାତୀର ମୃତ୍ୟୁ ହୋଇଥିଲା।
ସେହିପରି ସେପ୍ଟେମ୍ବର୍ ୧୯ ତାରିଖରେ ବଲାଙ୍ଗିର ଜିଲ୍ଲା ଦେଓଗାଁର ଉପରଝରା ଗାଁରେ ବିଦ୍ୟୁତ ତାରରେ ଲାଗି ଗୋଟିଏ ହାତୀ ପ୍ରାଣ ହରାଇଥିଲା। ଗତବର୍ଷ ୨୦୧୭ରେ ଝାରସୁଗୁଡ଼ାରେ ବିଦ୍ୟୁତ ଆଘାତରେ ୧୩ଟି ହାତୀ ପ୍ରାଣ ହରାଇଥିଲେ। ଅକ୍ଟୋବର୍ ୨୩ ତାରିଖ ୨୦୧୭ରେ ଝାରସୁଗୁଡ଼ା ବାଗିଡିହିରେ ମାଆ ଓ ଶିଶୁ ହାତୀ ବିଦ୍ୟୁତ ତାରରେ ଲାଗି ପ୍ରାଣ ହରାଇଥିଲେ।
ସେହଭିଳି ଜୁନ୍ ୧୦, ୨୦୧୭ରେ ଢେଙ୍କାନାଳ ରେଞ୍ଜରେ ତିନିଟି ହାତୀ ବିଦ୍ୟୁତ ଆଘାତରେ ମରିଥିଲେ। ୨୦୧୬ ଜୁନ୍ ୭ରେ ହିନ୍ଦୋଳରେ ଗୋଟିଏ ହାତୀ ବିଦ୍ୟୁତ ତାରରେ ଲାଗି ପ୍ରାଣ ହରାଇଥିଲା। ୨୦୧୬ ଜୁଲାଇ ୧୦ରେ ଡାଲିଯୋଡ଼ା ରେଞ୍ଜର୍ ଶ୍ରୀକ୍ଷେତ୍ର ଗାର୍ଡେନ୍ ପରିସରରେ ଦୁଇଟି ହାତୀ ପ୍ରାଣ ହରାଇଥିଲେ।
from OTV Khabar https://ift.tt/2yCaZrt
Reviewed by SUBHENDU BARAL
on
October 27, 2018
Rating:
No comments: