
ମୁମ୍ବାଇ:ତିବ୍ର ହେଉଛି #Metoo ଅଭିଯାନ। ଯୌନ ଶୋଷଣ ଏବଂ ଯୌନ ଉତ୍ପୀଡ଼ନରେ ଶିକାର ହୋଇଥିବା ମହିଳାମାନଙ୍କୁ ମୁହଁ ଖୋଲିବାକୁ ଏକ ପ୍ରକାର ସାହସ ଯୋଗାଇଛି ଏହି ‘ମି ଟୁ’। ଏହି ଅଭିଯାନ ଆରମ୍ଭ ହେବାଠାରୁ ଅନେକ ପୀଡ଼ିତ ମହିଳା ଏଥିରେ ସାମିଲ ହେଲେଣି। ଯୌନ କେଳେଙ୍କାରୀର ମୁଖା ଖୋଲୁଥିବା ଏହି ‘ମି ଟୁ’କୁ ନେଇ ବଲିଉଡ୍ର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଏ. ଆର୍. ରହମାନ୍ ନିଜର ପ୍ରତିକ୍ରିୟା ରଖିଛନ୍ତି।
ଫେସ୍ବୁକ୍ରେ ମତ ଦେଇ ସେ କହିଛନ୍ତି ଯେ, କିଛି ଦିନ ହହେଲା ଏହି #Metooକୁ ନେଇ ଅନେକଙ୍କ ବିରୋଧରେ ଅଭିଯୋଗ ଆସୁଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ନାମ ଶୁଣି ମୁଁ ଆଚମ୍ବିତ ହୋଇଛି। ଏହି ତାଲିକାରେ ଉଭୟ ପୀଡ଼ିତ ଏବଂ ଅଭିଯୁକ୍ତ ଅଛନ୍ତି। ଆମର ଇଣ୍ଡଷ୍ଟ୍ରୀ ସମ୍ପୂର୍ଣ୍ଣ ନିର୍ମଳ ହେଉ ବୋଲି ମୁଁ ଚାହେଁ।
ମହିଳାମାନଙ୍କ ପାଇଁ ଆମର ସ୍ୱତନ୍ତ୍ର ସମ୍ମାନ ରହିବା ଉଚିତ୍। ମୁଁ ମୋ ଟିମ୍ ଏବଂ ସହଯୋଗୀମାନଙ୍କୁ ନିଶ୍ଚିତ କରିଦେବାକୁ ଚାହେଁ ଯେ, ଆମେ ଏମିତି ଏକ ପରିବେଶ ତିଆରି କରିଛୁ ଯେଉଁଠି ସମସ୍ତେ ସ୍ୱାଧୀନର ସହ କାମ କରିପାରିବେ।
ତେବେ ଯୌନ ଶୋଷଣରେ ଶିକାର ହୋଇଥିବା ପୀଡ଼ିତମାନେ ନିଜ ସ୍ୱର ଉଠାବା ପାଇଁ ସୋଶାଲ୍ ମିଡିଆ ଏକ ବଡ଼ ପ୍ଲାଟଫର୍ମ ହୋଇପାରିଛି। ନ୍ୟାୟ ପାଇବାର ଅନ୍ୟ ଏକ ବଳିଷ୍ଟ ମାଧ୍ୟମ ପାଲଟିଥିବା ଏହି ଇଣ୍ଟରନେଟ୍ ନ୍ୟାୟ ମଞ୍ଚକୁ ଯେଉଁଭଳି ଦୁରୁପଯୋଗ ନହୁଏ ସେଥିପ୍ରତି ଆମେ ସତର୍କ ରହିବା ଉଚିତ୍ ବୋଲି ଏଆର ରହମନ୍ କହିଛନ୍ତି।
from Odisha Reporter
No comments: