“ସିବିଆଇ ସ୍ଥିତି ଅସାଧାରଣ, ତଦନ୍ତକାରୀ ସଂସ୍ଥାର ସୁରକ୍ଷା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି”

ନୂଆଦିଲ୍ଲୀ: ଗତ ମଧ୍ୟରାତ୍ରିରେ ସିବିଆଇ ପ୍ରସଙ୍ଗରେ ବିଭିନ୍ନ ତନାଘନା ଏବଂ ଶେଷରେ ଦୁଇ ଶୀର୍ଷ ଅଧିକାରୀଙ୍କୁ ଛୁଟି ଦିଆଯିବାପରେ ଯୁଗ୍ମ ନିର୍ଦ୍ଦେଶକ ଏମ୍‌ ନାଗେଶ୍ୱର ରାଓଙ୍କୁ ଅନ୍ତରୀଣ କାଳୀନ ନିର୍ଦ୍ଦେଶକ ଦାୟିତ୍ୱ ପ୍ରଦାନ କରାଯାଇଛି। ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇର ସ୍ଥିତି ଏପରି ସଙ୍ଗିନ୍‌ ହେବାପରେ ଶେଷରେ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀ।

ସେ ସ୍ପଷ୍ଟ କରିଦେଇଛନ୍ତି ଯେ, ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ଏକ ଅନ୍ତରୀଣ କାଳୀନ ନିର୍ଦ୍ଦେଶ ଏବଂ ତଦନ୍ତ ସରିବା ପର୍ଯ୍ୟନ୍ତ ସେ ଛୁଟିରେ ରହିବେ। ଏହା ଏକ ଅସାଧାରଣ ମାମଲା ହୋଇଥିବାରୁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଲା ବୋଲି ସେ କହିଛନ୍ତି। ଏଭଳି ମାମଲାର ତଦନ୍ତରେ ସ୍ୱଚ୍ଛତାର ଆବଶ୍ୟକତା ଜରୁରି ବୋଲି ସେ କହିଥିଲେ।

ଆଜି ଏହି ପ୍ରସଙ୍ଗକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜେଟ୍‌ଲୀଙ୍କ ସହିତ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମଧ୍ୟ ଥିଲେ। ଜେଟଲୀ ଏହି ଅବସରରେ ଆହୁରି ମଧ୍ୟ କହିଥିଲେ, ସିବିଆଇ ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା। ତେଣୁ ଏହାର ଭାବମୂର୍ତ୍ତି ବଜାୟ ରଖିବା ସହିତ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ୍‌ର ସୁପାରିସରେ ସରକାର ନିଷ୍ପତ୍ତି ନେଉଛନ୍ତି। ସିବିଆଇର ଭାବମୂର୍ତ୍ତି ଏବଂ ସଚ୍ଚୋଟତା ବଜାୟ ରଖିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ।

ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ନାମରେ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ଅଭିଯୋଗ ଏବଂ ଅସ୍ଥାନାଙ୍କ ନାମରେ ସିବିଆଇ ରୁଜୁ କରିଥିବା ଏଫ୍‌ଆଇଆର ବାବଦରେ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ୍‌ ହିଁ ତଦନ୍ତ କରିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।

ଶ୍ରୀଯୁକ୍ତ ବର୍ମା କାଳେ ରାଫେଲ୍‌ ଡିଲ୍‌ର ତଦନ୍ତ କରିବାକୁ ଚାହୁଁଥିଲେ ବୋଲି ବିରୋଧୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କରି ସେ କହିଛନ୍ତି, “ବିରୋଧୀ ଯଦି ସମସ୍ତଙ୍କ ମନରେ କ’ଣ ଚାଲିଛି ଜାଣିପାରୁଛନ୍ତି, ସିବିଆଇ ଅଧିକାରୀମାନଙ୍କ ମୁଣ୍ଡରେ କ’ଣ ଚାଲିଛି ମଧ୍ୟ କୁହନ୍ତୁ।”



from Odisha Reporter
“ସିବିଆଇ ସ୍ଥିତି ଅସାଧାରଣ, ତଦନ୍ତକାରୀ ସଂସ୍ଥାର ସୁରକ୍ଷା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି” “ସିବିଆଇ ସ୍ଥିତି ଅସାଧାରଣ, ତଦନ୍ତକାରୀ ସଂସ୍ଥାର ସୁରକ୍ଷା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି” Reviewed by SUBHENDU BARAL on October 24, 2018 Rating: 5

No comments:

Powered by Blogger.