ଅମୃତସରରେ ଟ୍ରେନ୍ ମାଡିଯାଇ ପ୍ରାଣ ହରାଇଥିବା ଲୋକଙ୍କ ପରିବାରର ଦାୟିତ୍ବ ନେବେ ନବଜୋତ ସିଂ ସିଦ୍ଧୁ, ସାମ୍ବାଦିକ ସମ୍ମିଳନୀରେ କଲେ ଘୋଷଣା

ଅମୃତସର ୨୩|୧୦: ଅମୃତସରରେ ଦଶହରା ଦିନ ମାଡିଯାଇ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ପରିବାରର ଦାୟିତ୍ବ ନେବେବୋଲି କହିଛନ୍ତି ଅମୃତସର (ପୂର୍ବ) ବିଧାୟକ ତଥା ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ । ଏକ ସାମ୍ବାଦିକ ସମ୍ମିଳନୀରେ ସିଦ୍ଧୁ କହିଛନ୍ତି ଯେ, ଟ୍ରେନ୍ ମାଡିଯିବା ଯୋଗୁଁ ଯେଉଁ ଛୋଟ ପିଲାମାନେ ପ୍ରଭାବିତ ହୋଇଛନ୍ତି ସେମାନଙ୍କୁ ସେ ପୋଷ୍ୟଭାବେ ଗ୍ରହଣ କରିବେ । ଯେଉଁ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ପ୍ରାଣ ହରାଇଛନ୍ତି ସେହି ପରିବାରର ଭରଣପୋଷଣ ଦାୟିତ୍ବ ମଧ୍ୟ ନେବେ ।

ଅପରପକ୍ଷରେ ଏହି ଘଟଣା ପାଇଁ ଜାତୀୟ ମାନବାଧିକାର କମିଶନ ରେଳ ମନ୍ତ୍ରାଳୟ ଓ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି । ରେଳବାଇ ଓ ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ସୁରକ୍ଷା ପ୍ରଦାନରେ ବିଫଳ ହୋଇଛନ୍ତି ବୋଲି କମିଶନ ତାଙ୍କ ନୋଟିସରେ ଦର୍ଶାଇବା ସହ ୪ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ କହିଛନ୍ତି ।

ନବଜୋତ ସିଂ ସିଦ୍ଧୁଙ୍କ ଘନିଷ୍ଠ ସହଯୋଗୀ ସୌରଭ ମିଠୁ ମଦନ ଏହି ରାବଣ ପୋଡି ଉତ୍ସବର ଆୟୋଜନ କରିଥିଲେ ।ଏହି ଉତ୍ସବରେ ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଉତ୍ସବରେ ଶ୍ରୀମତୀ କୌର ବିଲମ୍ବରେ ପହଞ୍ଚିଥିଲେ । ଫଳରେ ରାବଣ ପୋଡି ବିଳମ୍ବରେ ହୋଇଥିଲା । ଏହି ବିଳମ୍ବ ମଧ୍ୟ ଦୁର୍ଘଟଣାର ଅନ୍ୟତମ କାରଣ ବୋଲି କୁହାଯାଇଛି ।

ଭିଡ ପରିଚାଳନା କ୍ଷେତ୍ରରେ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ଜାତୀୟ ମାନବାଧିକାର କମିଶନ ଅନୁଭବ କରିବା ପରେ ଗଣମାଧ୍ୟମ ରିପୋର୍ଟ ଆଧାରରେ ନିଜଆଡୁ ମାମଲା ଆରମ୍ଭ କରିଛନ୍ତି । ସେହିଭଳି ଘଟଣାର ସିବିଆଇ ତଦନ୍ତ କରିବା ପାଇଁ ପଞ୍ଜାବ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି । ମାମଲା ଆଗତ କରିଥିବା ଦୀନେଶ କୁମାର ଡାକୋରିଆ ତାଙ୍କ ଆବେଦନରେ କହିଛନ୍ତି ଯେ, ଏହି ଦୁଃଖଦ ଘଟଣା  ପାଇଁ ରାବଣ ପୋଡି ଆୟୋଜନକାରୀ ମାନେ ଦାୟୀ । ସେହିଭଳି ବିହାରର ଏକ ସିଜେଏମ ଅଦାଲତରେ ମଧ୍ୟ ଏକ ମାମଲା ଦାୟର ହୋଇଛି । ନବଜୋତ ସିଂ ସିଦ୍ଧୁଙ୍କ  ପତ୍ନୀ ନବଜୋତ କୌରଙ୍କ ବିରୋଧରେ ମାମଲା ପଞ୍ଜିକୃତ କରିବା ପାଇଁ ଏହି ମାମଲାରେ କୋର୍ଟଙ୍କୁ ନିବେଦନ କରାଯାଇଛି । ଗତକାଲି ପଞ୍ଜାବ କଂଗ୍ରେସ ସଭାପତି ସୁନୀଲ ଝାଖଡଙ୍କ ସହ ନବଜୋତ ସିଂ ଆୟୋଜିତ କରିଥିବା ସାମ୍ବାଦିକ ସମ୍ମିଳନୀରେ ରେଳ ବିଭାଗର ହୃଦୟହୀନତା ନେଇ ପ୍ରଶ୍ନ ଉଠାଯାଇଛି । ରେଳ ବିଭାଗର ଏ ଘଟଣାରେ କିଛି ଭୁଲ ନାହିଁ ବୋଲି କହି ରେଳ ରାଷ୍ଟ୍ର ମନ୍ତ୍ରୀ ଏବଂ ରେଳବାଇ ବୋର୍ଡ ଅଧ୍ୟକ୍ଷ ଯେଉଁଭଳି ହାତ ଧୋଇଦେଇଛନ୍ତି ତାକୁ ଝାଖଡ ତୀବ୍ର ସମାଲୋଚନା କରିଛନ୍ତି । ଏପରିକି ଘଟଣାର ୮ଘଣ୍ଟା ମଧ୍ୟରେ ଟ୍ରେନର ଡ୍ରାଇଭରଙ୍କୁ ରେଳ ବିଭାଗ କିଭଳି କ୍ଲିନ୍ ଚିଟ୍ ପ୍ରଦାନ କଲା ବୋଲି ମଧ୍ୟ ସେ କ୍ଷୋଭ ବ୍ୟକ୍ତ କରିଛନ୍ତି ।

ଇତିମଧ୍ୟରେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୬୦ଜଣଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ୨୧ଜଣଙ୍କ ପରିବାରକକୁ ୫ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ହସ୍ତାନ୍ତର କରିଛନ୍ତି ।



from News7 https://ift.tt/2ypX1sI
ଅମୃତସରରେ ଟ୍ରେନ୍ ମାଡିଯାଇ ପ୍ରାଣ ହରାଇଥିବା ଲୋକଙ୍କ ପରିବାରର ଦାୟିତ୍ବ ନେବେ ନବଜୋତ ସିଂ ସିଦ୍ଧୁ, ସାମ୍ବାଦିକ ସମ୍ମିଳନୀରେ କଲେ ଘୋଷଣା ଅମୃତସରରେ ଟ୍ରେନ୍ ମାଡିଯାଇ ପ୍ରାଣ ହରାଇଥିବା ଲୋକଙ୍କ ପରିବାରର ଦାୟିତ୍ବ ନେବେ ନବଜୋତ ସିଂ ସିଦ୍ଧୁ, ସାମ୍ବାଦିକ ସମ୍ମିଳନୀରେ କଲେ ଘୋଷଣା Reviewed by SUBHENDU BARAL on October 23, 2018 Rating: 5

No comments:

Powered by Blogger.