ଏଠାରେ ‘ଗୋ ସେବା’ ହିଁ ଧର୍ମ: ଅସୁସ୍ଥ ଓ ଆହତ ଗୋରୁଙ୍କୁ ମିଳେ ନୂଆ ଜୀବନ

ଭୁବନେଶ୍ୱର(ଅବିନାଶ ପତି)ବହିରେ କୁହା ଯାଉଥିବା ନୀତିବାଣୀ ସବୁକୁ ବାସ୍ତବ ଜୀବନରେ କରି ଦେଖାଇବା ସହଜ କଥା ନୁହେଁ। କିନ୍ତୁ ଖୁବ୍‌ କଷ୍ଟକର ଲାଗୁଥିବା ସେହି ମହତ୍‌ କାମଗୁଡ଼ିକୁ କିଛି ବ୍ୟକ୍ତି ଜୀବନର ଧର୍ମ ଓ ଲକ୍ଷ୍ୟ ବୋଲି ଗ୍ରହଣ କରି ସେଥିରେ ନିଜକୁ ସଂପୂର୍ଣ୍ଣ ସମର୍ପଣ ମଧ୍ୟ କରିଦିଅନ୍ତି। ଆଜି ବି ଆମ ଆଖପାଖରେ ଏହିଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜ ଉତ୍ସର୍ଗୀକୃତ ସେବା ମନୋଭାବ ଯୋଗୁ ଅନ୍ୟ ପାଇଁ ନିଆରା ଉଦାହରଣ ସୃଷ୍ଟି କରୁଛନ୍ତି।  ଭୁବନେଶ୍ୱର ସାମନ୍ତରାପୁର ଠାରେ ଥିବା ‘ବାବା ଲିଙ୍ଗରାଜ ଗୋ ସେବା’ କେନ୍ଦ୍ରରେ ଏପରି ସେବା ସମର୍ପିତ କିଛି ବିରଳ ସ୍ୱଭାବର ବ୍ୟକ୍ତିଙ୍କୁ ଭେଟିଥିଲା ଓଡ଼ିଶା ରିପୋର୍ଟର୍‌।

ସାମନ୍ତରାପୁରରେ ଥିବା ଏହି ଗୋ ସେବା କେନ୍ଦ୍ରରେ ଅସୁସ୍ଥ ଓ ଦୁର୍ଘଟଣାରେ ଆହତ ହୋଇଥିବା ବୁଲା ଗାଈ ଗୋରୁଙ୍କୁ ସେବା କରି ଏକ ସୁସ୍ଥ ତଥା ନୂଆ ଜୀବନ ଦେଉଛନ୍ତି କିଛି ସମର୍ପିତ ବ୍ୟକ୍ତି। ବୟସ, ବର୍ଗ ଓ ବେଉସା କଥା ପଛକୁ ରଖି ଏମାନେ ଏକାଠି ହୋଇଛନ୍ତି ଖାସ୍‌ ଫୁଟ୍‌ପାଥ୍‌ର ଆଘାତପ୍ରାପ୍ତ ଗାଈ, ବଳଦ ଓ ଷଣ୍ଢଙ୍କ ସେବା ଶୁଶ୍ରୁଷା ପାଇଁ। ଏମାନଙ୍କ ପାଇଁ ଗାଈ ଗୋରୁଙ୍କ ସେବା ହିଁ ଧର୍ମ।

କିଏ ଶୀତ, କାକର, ଝଡ଼ି ବର୍ଷା ଅବା ତୋଫାନରେ ବି ପ୍ରତିଦିନ ସକାଳୁ ଗୋରୁଙ୍କ ପାଇଁ ଘାସ ଆଣୁଛନ୍ତି ତ ଆଉ କିଏ ନିଜ ହାତରୁ ପଇସା ଖର୍ଚ୍ଚ କରି ସେମାନଙ୍କ ଚିକିତ୍ସା କରୁଛନ୍ତି।
ସାମନ୍ତରାପୁରର ଏହି ‘ବାବା ଲିଙ୍ଗରାଜ ଗୋ ସେବା’ କେନ୍ଦ୍ରରେ ଆଖ ପାଖରେ ଗାଡି ଧକ୍କାରେ ଆଘାତ ପାଇଥିବା ଗାଈ ଗୋରୁଙ୍କୁ ରଖି ସୁସ୍ଥ ହେବା ଯାଏ ନିରବଚ୍ଛିନ୍ନ ସେବା କରାଯାଇଥାଏ।

କେବେଠୁ ଆରମ୍ଭ ହେଲା ଏମିତି କାର୍ଯ୍ୟ

୨୦୧୫ରେ ଜଣେ ସ୍ଥାନୀୟ ବ୍ୟକ୍ତି ନିଜ ଆଖି ଆଗରେ ଏକ ଦୁର୍ଘଟଣାରେ ଆହତ ହୋଇଥିବା ଗାଈକୁ ଆଣି ଏଠାରେ ତା’ର ଚିକିତ୍ସା କରିବା ଆରମ୍ଭ କରିଥିଲେ। ଆହତ ଗାଈଟି ସୁସ୍ଥ ହେବା ପରେ ନିଜ ସଫଳତାକୁ ଆଖି ଆଗରେ ଦେଖି ସଂପୃକ୍ତ ବ୍ୟକ୍ତିଙ୍କ ଜିଦ୍‌ ବଢ଼ିଥିଲା। ଆଉ ସେବେଠାରୁ ସେ ନିଷ୍ପତ୍ତି ନେଇଥିଲେ ଯେ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଗାଈ ବଳଦ ଓ ଷଣ୍ଢଙ୍କୁ ଏପରି ଚିକିତ୍ସା କରି ସୁସ୍ଥ କରିବେ।

ସେହି ବ୍ୟକ୍ତିଙ୍କ ଏଭଳି ଉତ୍ସର୍ଗୀକୃତ ସେବା ଦେଖି କିଛି ସ୍ଥାନୀୟ ପିଲା ଏଥିରେ ଅନୁପ୍ରେରିତ ହୋଇ ତାଙ୍କ ସହ ଏକାଠି ହେଲେ। ଏବେ ବୟସ୍କ, ଯୁବକ ଓ କିଶୋରଙ୍କୁ ମିଶାଇ ‘ବାବା ଲିଙ୍ଗରାଜ ଗୋ ସେବା’ କେନ୍ଦ୍ରରେ ୧୫ରୁ ୨୦ ଜଣ ଗୋ ସେବାରେ ଲାଗିଛନ୍ତି।

ଏମାନଙ୍କ ସହ ସାମିଲ୍ ହୋଇଥିବା କିଛି ପିଲା ପାଠ ମଧ୍ୟ ପଢନ୍ତି। ସେମାନଙ୍କ କହିବା ଅନୁଯାୟୀ “କଲେଜ୍‌ରୁ ଫେରିବା ପରେ ଆମେ ଏହି ଗୋ ସେବା କେନ୍ଦ୍ରକୁ ଆସି ଗୋରୁଙ୍କ ସେବା କରୁ। ଏହା ଦ୍ୱାରା ଆମକୁ ଖୁସି ଲାଗେ। ”

ଅନ୍ୟମାନଙ୍କ ମଧ୍ୟରେ ଏଠାରେ କିଛି କର୍ମଜୀବୀ ଏବଂ ବ୍ୟବସାୟୀ ମଧ୍ୟ ଅଛନ୍ତି, ଯେଉଁମାନେ ନିଜ ହାତରୁ ପଇସା ଦେଇ ଗୋରୁଙ୍କ ସେବା ଓ ଚିକିତ୍ସା ଖର୍ଚ୍ଚ ତୁଲାଇ ଥା’ନ୍ତି। ସେମାନଙ୍କ କହିବା ଅନୁଯାୟୀ, “ ଗୋରୁଙ୍କ ସେବା ଓ ଚିକିତ୍ସା ବାବାଦକୁ ମାସକୁ ୨୦ରୁ ୨୫ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। କଦବା କ୍ୱଚିତ୍‌ କେହି ଆମେ ଏମିତି ସେବା କରୁଥିବାର ଦେଖି କିଛି ପଇସା ଦିଅନ୍ତି, ନଚେତ୍‌ ସବୁ କିଛି ଆମମାନଙ୍କୁ ହିଁ ଯୋଗାଡ଼ କରିବାକୁ ପଡ଼ିଥାଏ। ”

ଏହି ସ୍ୱେଚ୍ଛାସେବୀମାନଙ୍କ ବାସ୍‌ ଏତିକି ଇଚ୍ଛା ଯେ ଗାଡ଼ି ଚଳାଇବା ସମୟରେ ରାସ୍ତାରେ ବୁଲୁଥିବା ଗାଈ ଗୋରୁ ଓ ଷଣ୍ଢଙ୍କ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ। ଏଥିସହ ବାହାରେ ପଲିଥିନ୍‌ ଜରି ଫିଙ୍ଗନ୍ତୁ ନାହିଁ। କାରଣ ଗୋରୁମାନେ ଏହି ପଲିଥିନ୍‌ ଖାଇ ଅସୁସ୍ଥ ହୋଇ ପଡ଼ୁଛନ୍ତି।



from Odisha Reporter
ଏଠାରେ ‘ଗୋ ସେବା’ ହିଁ ଧର୍ମ: ଅସୁସ୍ଥ ଓ ଆହତ ଗୋରୁଙ୍କୁ ମିଳେ ନୂଆ ଜୀବନ ଏଠାରେ ‘ଗୋ ସେବା’ ହିଁ ଧର୍ମ: ଅସୁସ୍ଥ ଓ ଆହତ ଗୋରୁଙ୍କୁ ମିଳେ ନୂଆ ଜୀବନ Reviewed by SUBHENDU BARAL on October 15, 2018 Rating: 5

No comments:

Powered by Blogger.