‘ମୋଦିନୋମିକ୍ସ’ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ‘ସିଓଲ୍‌ ଶାନ୍ତି ପୁରସ୍କାର’

ସିଓଲ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସ୍ୱତନ୍ତ୍ର ପରିଚିତି ‘ମୋଦିନୋମିକ୍ସ’ ବଳରେ ଭାରତ ଏବଂ ବିଶ୍ୱ ପାଇଁ ସଫଳ ଅର୍ଥନୀତିକ ଅଭିବୃଦ୍ଧି ସମ୍ଭବ କରାଇପାରିଥିବାରୁ ତାଙ୍କୁ ୨୦୧୮ ବର୍ଷ ପାଇଁ ‘ସିଓଲ୍‌ ଶାନ୍ତି ପୁରସ୍କାର’ରେ ସମ୍ମାନିତ କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, “ବିଶ୍ୱଶାନ୍ତି ପାଇଁ ତାଙ୍କର ଅବଦାନ, ମାନବ ବିକାଶର ପୁନରୁଦ୍ଧାର ଏବଂ ଭାରତରେ ଗଣତନ୍ତ୍ରର ବ୍ୟାପକତା ବଢ଼ାଇବା ପାଇଁ ସେ ଏହି ସମ୍ମାନର ହକ୍‌ଦାର ହୋଇପାରିଛନ୍ତି।” ପ୍ରଧାନମନ୍ତ୍ରୀ ମୋଦି ଏହି ପୁରସ୍କାର ପାଇବାରେ ୧୪ତମ ବ୍ୟକ୍ତି ବୋଲି ଜଣାଯାଇଛି।


ମନ୍ତ୍ରଣାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, “ସିଓଲ୍‌ ପୁରସ୍କାର କମିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୨୦୧୮ ବର୍ଷ ପାଇଁ ସମ୍ମାନିତ କରିବାର ଅନ୍ୟତମ କାରଣ ହେଉଛି ଅନ୍ତର୍ଜାତୀୟ ସହଯୋଗ, ଅର୍ଥନୀତିକ ଅଭିବୃଦ୍ଧି, ମାନବ ବିକାଶ ଆଦିରେ ସଂସ୍କାର ଆଣିବା ସହିତ ଭାରତକୁ ସବୁଠାରୁ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ଅର୍ଥନୀତିକ ରାଷ୍ଟ୍ରରେ ପରିଣତ କରିପାରିଛନ୍ତି। ଏତଦ୍‌ବ୍ୟତୀତ ସାମାଜିକ ସମସ୍ୟା ଓ ଦୁର୍ନତି ବିରୋଧରେ ସେ ନେଇଥିବା ପଦକ୍ଷେପ କାରଣରୁ ଗଣତନ୍ତ୍ର ସୁଦୃଢ଼ ହୋଇପାରିଛି।”

ମୋଦିଙ୍କୁ ସମ୍ମାନିତ କରିବା ଅବସରରେ ପୁରସ୍କାର କମିଟି ମୋଦିଙ୍କ ସ୍ୱକୀୟ ‘ମୋଦିନୋମିକ୍ସ’ ବାବଦରେ ମଧ୍ୟ ଉଲ୍ଲେଖ କରିଛନ୍ତି, ଯାହାକି ଗରିବ ଏବଂ ଧନୀଙ୍କ ମଧ୍ୟରେ ସାମାଜିକ ଓ ଅର୍ଥନୀତିକ ପାର୍ଥକ୍ୟକୁ କମ୍‌ କରିଛି ବୋଲି କୁହାଯାଇଛି। ସକ୍ରିୟ ବୈଦେଶିକ ନୀତି ଜରିଆରେ ଆଞ୍ଚଳିକ ଏବଂ ବିଶ୍ୱ ସ୍ତରରେ ଶାନ୍ତି ପ୍ରତିଷ୍ଠା ପାଇଁ ତାଙ୍କ ଅବଦାନକୁ ମଧ୍ୟ କମିଟି ପ୍ରଶଂସା କରିଛି। ଏହି ଅବସରରେ ମୋଦିଙ୍କ ଶାସନରେ ନୋଟ୍‌ବନ୍ଦୀ ପଦକ୍ଷେପ ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି କୁହାଯିବା ସହିତ ତାଙ୍କର ‘ଆକ୍ଟ ଇଷ୍ଟ ପଲିସି’ ବିଶ୍ୱ ଶାନ୍ତି ପ୍ରତିଷ୍ଠାରେ ପ୍ରଶଂସନୀୟ ଭୂମିକା ନେଇଛି ବୋଲି କୁହାଯାଇଛି। ‘ସିଓଲ୍‌ ଶାନ୍ତି ପୁରସ୍କାର’ କମିଟି ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବରେ ମୋଦିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।


ଏହି ଅବସରରେ ବିଜେପି ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମାନଜକ ‘ସିଓଲ୍‌ ଶାନ୍ତି ପୁରସ୍କାର’ ପାଇବା ସମଗ୍ର ଦେଶର ୧୩୦ କୋଟି ଜନସାଧାରଣଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ସମାନତା, ସଶକ୍ତିକରଣ ଏବଂ ପୂର୍ବୋଦୟକୁ ପୁରସ୍କାର କମିଟି ପ୍ରଶଂସା କରିବା ନିଶ୍ଚୟ ଖୁସିର ବିଷୟ।

୧୯୯୦ ମସିହାରେ କୋରିଆରେ ଆୟୋଜିତ ୨୪ତମ ସିଓଲ୍ ଅଲମ୍ପିକର ସଫଳତାକୁ ମନେରଖିବା ପାଇଁ ୧୬୦ଟି ରାଷ୍ଟ୍ରକୁ ନେଇ ଆୟୋଜିତ ଏକ ଉତ୍ସବରେ ଏହି ପୁରସ୍କାର ପ୍ରତିଷ୍ଠା ହୋଇଥିଲା। ଜାତିସଂଘର ପୂର୍ବତନ ମହାସଚିବ କୋଫି ଆନ୍ନନ୍‌ ଏବଂ ଜର୍ମାନ୍‌ ଚାନ୍ସେଲର୍‌ ଆଞ୍ଜେଲା ମର୍କେଲ୍‌ ମଧ୍ୟ ଏହି ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି।



from Odisha Reporter
‘ମୋଦିନୋମିକ୍ସ’ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ‘ସିଓଲ୍‌ ଶାନ୍ତି ପୁରସ୍କାର’ ‘ମୋଦିନୋମିକ୍ସ’ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ‘ସିଓଲ୍‌ ଶାନ୍ତି ପୁରସ୍କାର’ Reviewed by SUBHENDU BARAL on October 24, 2018 Rating: 5

No comments:

Powered by Blogger.