ରେଳ ଟ୍ରାକ୍ ଉପରେ ୩ ବର୍ଷରେ ଯାଇଛି ୫୦ହଜାର ଜୀବନ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଟେକ୍ନୋଲୋଜିରେ ଉନ୍ନତି ଆସୁଥିଲେ ମଧ୍ୟ ଟ୍ରେନ୍‌ ଦୁର୍ଘଟଣା ଉପରେ ଏଯାଏ ଲଗାମ୍‌ ଲାଗିପାରିନି। ଗତ ୧୯ ତାରିଖରେ ଅମୃତସରରେ ଟ୍ରାକ୍‌ ଉପରେ ଛିଡ଼ାହୋଇ ରାବଣପୋଡ଼ି ଦେଖୁଥିବା ଲୋକଙ୍କ ଉପରେ ଟ୍ରେନ୍‌ ଚଢ଼ିଯିବା କାରଣରୁ ୬୧ ଜଣଙ୍କ ମୃତ୍ୟୁ ଆହୁରି ମଧ୍ୟ ସ୍ପଷ୍ଟ କରିଦେଇଛି ଟ୍ରେନ୍‌ ଦୁର୍ଘଟଣା ସବୁ ସମୟରେ ଯାନ୍ତ୍ରିକ ତ୍ରୁଟି ନୁହେଁ, ବରଂ ଲୋକଙ୍କ ଅସାବଧାନତା ମଧ୍ୟ ଏଭଳି ‘ଳୌହଦାନବର ରକ୍ତଭୋଜି’ ପାଇଁ ଦାୟୀ। ଏହାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଛି ଏବଂ ଦୋଷ ଲଦାଲଦି ଓ କାଦୁଅ ଫୋପଡ଼ା ଫୋପଡ଼ି ମଧ୍ୟ ଚାଲୁ ରହିଛି, କିନ୍ତୁ ସମାଧାନର ବାଟ ଏଯାଏ ବାହାରିପାରିନି।

ଭାରତୀୟ ରେଲ୍‌ୱେ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଜଣାଯାଇଛି ୨୦୧୫ରୁ ୨୦୧୭ ମସିହା ମଧ୍ୟରେ ରେଲ୍‌ୱେ ଟ୍ରାକ୍‌ରେ ହୋଇଥିବା ବିଭିନ୍ନ ଦୁର୍ଘଟଣାରେ ୪୯,୭୯୦ ଲୋକ ପ୍ରାଣ ହରାଇଛନ୍ତି। ଏମଧ୍ୟରୁ ଉତ୍ତର ରେଲ୍‌ୱେ ଜୋନ୍‌ରେ ହୋଇଥିବା ଦୁର୍ଘଟଣାରେ ସର୍ବାଧିକ ୭,୯୦୮ ଜଣ, ଦକ୍ଷିଣ ରେଲ୍‌ୱେ ଜୋନ୍‌ରେ ୬,୧୪୯ ଜଣ ଏବଂ ପୂର୍ବ ଜୋନ୍‌ରେ ୫,୬୭୦ ଜଣ ପ୍ରାଣ ହରାଇଛନ୍ତି। ସରକାରୀ ରେଲ୍‌ୱେ ପୁଲିସ୍‌ (ଜିଆର୍‌ପି) ପକ୍ଷରୁ ଜୋନ୍‌ୱାରୀ ତାଲିକା କରାଯାଇଥାଏ, କିନ୍ତୁ ଚଳିତ ବର୍ଷର ତଥ୍ୟ ଏକାଠି କରିବା କାର୍ଯ୍ୟ ସରିନଥିବା ଜଣାଯାଇଛି।

ଏଭଳି ମୃତ୍ୟୁ ସାଧାରଣତଃ ଅନଧିକାର ପ୍ରବେଶ, ସୁରକ୍ଷା ନିୟମ ଏବଂ ସତର୍କ ସୂଚନା ନମାନିବା, ଓଭର୍‌ବ୍ରିଜ୍‌ରେ ନଯାଇ ଟ୍ରାକ୍‌ ଉପରେ ଯିବା, ଟ୍ରାକ୍‌ ଉପରେ ଯିବା ସମୟରେ ମୋବାଇଲ ଫୋନ୍‌ କିମ୍ବା ସେଭଳି କିଛି ଇଲେକ୍ଟ୍ରୋନିକ୍‌ ଗ୍ୟାଜେଟ୍‌ ବ୍ୟବହାର କରିବା କାରଣରୁ ହୋଇଥାଏ। ଏପରି ସ୍ଥିତି ଏଡ଼ାଇବା ପାଇଁ ରେଲ୍‌ୱେ ପକ୍ଷରୁ ଷ୍ଟେସନ୍‌ ମାନଙ୍କରେ ଫୁଟ୍‌ ଓଭର ବ୍ରିଜ୍‌ ବ୍ୟବହାର କରିବା ପରି ବିଭିନ୍ନ ସତର୍କବାଣୀ ଘୋଷଣା କରିବା ସହିତ ସଚେତନତା ଅଭିଯାନସବୁ ଆୟୋଜନ କରାଯାଉଛି।

ରେଲ୍‌ୱେ ଆଇନ ୧୯୮୯ର ଧାରା ୧୪୭ ଅନୁଯାୟୀ ଅନଧିକାରଭାବେ ରେଲ୍‌ୱେ ଟ୍ରାକ୍‌ କିମ୍ବା ଷ୍ଟେସନ୍‌ରେ ବୁଲିବା ଏକ ଅପରାଧିକ କାର୍ଯ୍ୟ। କେବଳ ୨୦୧୮ ମସିହା ସେପ୍ଟେମ୍ବର ମାସ ସୁଦ୍ଧା ୧,୨୦,୯୨୩ ଜଣ ଏପରି ଅପରାଧରେ ଗିରଫ ହୋଇସାରିଲେଣି। ସେମାନଙ୍କୁ ରେଲୱେ ସୁରକ୍ଷା ବଳ (ଆରପିଏଫ୍‌) ପକ୍ଷରୁ ଗିରଫ କରାଯାଇଥିବା ବେଳେ କୋର୍ଟ ଏପରି ଅପରାଧୀଙ୍କୁ ୨.୯୪ କୋଟି ଟଙ୍କାର ଅର୍ଥଦଣ୍ଡ ଦେଇସାରିଲେଣି। ଗତବର୍ଷ ଏପରି ଅପରାଧ ପାଇଁ ୧,୭୫,୯୯୬ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କୁ ମୋଟ ୪.୩୫ କୋଟି ଟଙ୍କାର ଅର୍ଥ ଦଣ୍ଡ ଦିଆଯାଇଥିଲା।



from Odisha Reporter
ରେଳ ଟ୍ରାକ୍ ଉପରେ ୩ ବର୍ଷରେ ଯାଇଛି ୫୦ହଜାର ଜୀବନ ରେଳ ଟ୍ରାକ୍ ଉପରେ ୩ ବର୍ଷରେ ଯାଇଛି ୫୦ହଜାର ଜୀବନ Reviewed by SUBHENDU BARAL on October 23, 2018 Rating: 5

No comments:

Powered by Blogger.