Results for ଓଡିଶା ରିପୋର୍ଟର OdishaReporter Bureau

ଲାଲ୍‌ କିରଣରେ ଝଟକୁଥିଲା ନାଗ ସାପର ଫଣା, ଦେଖିବା ପରେ ଲୋକେ ପୂଜା କଲେ

October 25, 2018

ବେଙ୍ଗାଲୁରୁ(ଓଡ଼ିଶା ରିପୋର୍ଟର୍‌):ଫଣା ଟେକିଥିବା ଏକ ନାଗ ସାପର ମୁଣ୍ଡରୁ ବାହାରୁଥିଲା କିରଣ। ଏହାର ପୂରା ଫଣାଟି ଲାଲ୍‌ ରଙ୍ଗରେ ଝଟକୁଥିଲା। ଏହାକୁ ମଣିଯୁକ୍ତ ନାଗ ଏବଂ ଦେବତା ଭାବି ଦେଖଣାହାରୀ, ସାପଟିର ପୂଜାର୍ଚ୍ଚନା ମଧ୍ୟ ଆରମ୍ଭ କଲେ। ଫିଲ୍ମର କାହାଣୀ ନୁହେଁ, ଏପରି ଘଟଣା କର୍ଣ୍ଣାଟକର ଚିକ୍କମଗାଲୁରୁରେ ଦେଖିବାକୁ ମିଳିଛି।

ଚିକ୍କମଗାଲୁରୁର ହୋଲମାକି ଗାଁର ଲୋକେ ଏପରି ସାପକୁ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ପରେ ଘଟଣାସ୍ଥଳରେ ଦେଖଣାହାରୀଙ୍କ ଭିଡ଼ ବଢ଼ିବାରେ ଲାଗିଥିଲା। କିଛି ଦେଖଣାହାରୀ ଏହାକୁ ବିରଳ ପ୍ରଜାତିର ନାଗ ସାପ ଏବଂ ଏହାକୁ ନାଗ ଦେବତାଙ୍କ ସ୍ୱରୂପ ବୋଲି ମନେ କରି ପୂଜା ମଧ୍ୟ କରିଥିଲେ।

ଏହି ସାପର ଫଟୋ ଓ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ସୂଚନା ଅନୁଯାୟୀ, ଗାଁର ଅବିନାଶ ନାମ୍ନୀ ଜଣେ ବ୍ୟକ୍ତି ବିଲରେ କାମ କରୁଥିବାବେଳେ ହଠାତ୍‌ ତାଙ୍କ କୁକୁର ଭୋକିବାର ଲାଗିଲା। କୁକୁର କାହିଁକି ଭୋକୁଛି ଜାଣିବାକୁ ଚାହିଁ ଅବିନାଶ ସେହି ସାପଟିକୁ ଫଣା ଟେକିଥିବା ଅବସ୍ଥାରେ ଦେଖିଥିଲେ। ସାପକୁ ଦେଖି ପ୍ରଥମେ ଏହା ଏକ ଭିନ୍ନ ପ୍ରଜାତିର ଜନ୍ତୁ ବୋଲି ସେ ଭାବିଥିଲେ।

ପରେ କିନ୍ତୁ ସାପ ମୁଣ୍ଡରୁ କିରଣ ବାହାରୁଥିବା ଖବର ପ୍ରଚାରିତ ହୋଇ ଯାଇଥିଲା ଏବଂ ସାପଟି ଦୀର୍ଘ ସମୟ ଯାଏ ସେହି ସମାନ ମୁଦ୍ରାରେ ରହିଥିଲା।

ତେବେ ସର୍ପ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏଥିରେ କୌଣସି ଚମତ୍କାରିତା ନାହିଁ। କାରଣ କୌଣସି ପ୍ରଜାତିର ସାପ ମୁଣ୍ଡରୁ କେବେ ବି ରଶ୍ମୀ ବା କିରଣ ବାହାରେ ନାହିଁ। ସାପ ମୁଣ୍ଡରେ ସୂର୍ଯ୍ୟଙ୍କ ରଶ୍ମୀ ପଡ଼ି ଏହା ଆଲୋକିତ ହୋଇଛି ଏବଂ ଫଣାଟି ସମ୍ପୂର୍ଣ୍ଣ ଲାଲ୍‌ ଦେଖାଯାଉଛି।



from Odisha Reporter
ଲାଲ୍‌ କିରଣରେ ଝଟକୁଥିଲା ନାଗ ସାପର ଫଣା, ଦେଖିବା ପରେ ଲୋକେ ପୂଜା କଲେ ଲାଲ୍‌ କିରଣରେ ଝଟକୁଥିଲା ନାଗ ସାପର ଫଣା, ଦେଖିବା ପରେ ଲୋକେ ପୂଜା କଲେ Reviewed by SUBHENDU BARAL on October 25, 2018 Rating: 5

ଅତିଷ୍ଠ କଲା ଋଣ ଚିନ୍ତା, ଜୀବନ ହାରିଲେ ଯୁବଚାଷୀ!

October 25, 2018

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଋଣ କରି ଧାନ ଚାଷ କରିଥିଲେ ଜଣେ ଯୁବ ଚାଷୀ। ଭାବିଥିଲେ ଭଲ ଫସଲ ହେଲେ ଧାନ ବିକ୍ରିକରି ଋଣ ଟଙ୍କା ପରିଶୋଧ କରିଦେବେ। ହେଲେ ଦଇବ ସାହା ହେଲା ନାହିଁ। ବର୍ଷା ଅଭାବରୁ ଚାଷ ମରିଗଲା। ଏହି ଚିନ୍ତାରେ ଜୀବନ ହାରିଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଜଣେ ଚାଷୀ।

ଗମ୍ଭାରୀଗୁଡ଼ା ଗାଁର ଚାଷୀ ପରମାନନ୍ଦ ଲହଜଲ ଜଣେ ଯୁବ ଚାଷୀ। ଚଳିତବର୍ଷ ସେ ୪ ଏକର ଜମିରେ ଧାନ ଚାଷ କରିଥିଲେ। ଏଥିପାଇଁ ସ୍ୱୟଂସହାୟକ ଗୋଷ୍ଠୀରୁ ୩୫ ହଜାର ଟଙ୍କା ଋଣ ଓ ସୁନା ବନ୍ଧକ ରଖି ମହାଜନଠାରୁ ଟଙ୍କା ଆଣିଥିଲେ। ମାତ୍ର ବର୍ଷା ନହେବାରୁ ଚାଷ ମରିଗଲା। ଏହାକୁ ନେଇ ଦୀର୍ଘ ଦିନ ଧରି ପରମାନନ୍ଦ ଚିନ୍ତାରେ ଥିଲେ।

ଆଜି ସକାଳେ ମାନସିକ ଭାରସାମ୍ୟ ହରାଇ ପରମାନନ୍ଦ ବିଷ ପିଇଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।



from Odisha Reporter
ଅତିଷ୍ଠ କଲା ଋଣ ଚିନ୍ତା, ଜୀବନ ହାରିଲେ ଯୁବଚାଷୀ! ଅତିଷ୍ଠ କଲା ଋଣ ଚିନ୍ତା, ଜୀବନ ହାରିଲେ ଯୁବଚାଷୀ! Reviewed by SUBHENDU BARAL on October 25, 2018 Rating: 5

ଦିଲ୍ଲୀ ମୁଖ୍ୟ ସଚିବଙ୍କୁ ମାଡ଼ ଘଟଣା: କେଜ୍ରି ଓ ୧୨ ଆପ୍‌ ବିଧାୟକଙ୍କୁ ଜାମିନ୍‌

October 25, 2018

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ମାଡ଼ ମାରିବା ଅଭିଯୋଗରେ ଫସିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଅନ୍ୟ ୧୧ ଜଣ ଆପ୍‌ ବିଧାୟକଙ୍କୁ ଆଜି ପଟିଆଲା ହାଉସ୍‌ କୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି।

ତେବେ କୋର୍ଟ କେଜ୍ରିୱାଲ ଓ ସିସୋଦିଆଙ୍କ ଯିବା ଆସିବା ଉପରେ କଟକଣା ଲଗାଇଛନ୍ତି। ମାଲାର ବିଚାର ନ ସରିବା ଯାଏ,ଉଭୟ ଦିଲ୍ଲୀ ବାହାରକୁ ଯିବାକୁ ଚାହିଁଲେ କୋର୍ଟଙ୍କ ଅନୁମତି ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଚଳିତ ବର୍ଷ ଫେବୃଆରୀ ୧୯ ତାରିଖ ରାତିରେ ଦିଲ୍ଲୀ ମୁଖ୍ୟ ସଚିବ ଅଂଶୁ ପ୍ରକାଶ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଥିଲେ। ଏହି ସମୟରେ କୌଣସି ଏକ ବିଷୟକୁ ନେଇ କେଜ୍ରିୱାଲଙ୍କ ଉପସ୍ଥିତିରେ ୧୧ ଜଣ ବିଧାୟକ ତାଙ୍କୁ ମାଡ଼ ମାରିଥିବା ସେ ଅଭିଯୋଗ କରିଥିଲେ।

ଏହାର ପରଦିନ ପୁଲିସ୍‌ ମାମଲା ରୁଜୁ କରି ଆପ୍‌ ବିଧାୟକ ଅମ୍ମାଥୁଲ୍ଲା ଖାନ୍‌ ଓ ପ୍ରକାଶ ଜରୱାଲଙ୍କୁ ଗିରଫ କରିଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ଉଭୟ ଜାମିନ୍‌ରେ ଖଲାସ ହୋଇଥିଲେ



from Odisha Reporter
ଦିଲ୍ଲୀ ମୁଖ୍ୟ ସଚିବଙ୍କୁ ମାଡ଼ ଘଟଣା: କେଜ୍ରି ଓ ୧୨ ଆପ୍‌ ବିଧାୟକଙ୍କୁ ଜାମିନ୍‌ ଦିଲ୍ଲୀ ମୁଖ୍ୟ ସଚିବଙ୍କୁ ମାଡ଼ ଘଟଣା: କେଜ୍ରି ଓ ୧୨ ଆପ୍‌ ବିଧାୟକଙ୍କୁ ଜାମିନ୍‌ Reviewed by SUBHENDU BARAL on October 25, 2018 Rating: 5

‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ କରିବାକୁ ରାଜ୍ୟ ବାହାରୁ ଆସିବେ ଦୁଇଟି ଟିମ୍‌

October 25, 2018

ଅନୁଗୋଳ (ବିରଜା ଦାସ): ମଣିଷଖିଆ ବାଘୁଣୀ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ କରିବାକୁ ବାହାରୁ ଆସିବେ ୨ଟି ଟିମ୍। ମଧ୍ୟପ୍ରଦେଶର ‘କାହ୍ନା’ ଓ ‘ପେଞ୍ଚ’ ବ୍ୟାଘ୍ର ପ୍ରକଳ୍ପରୁ ଦୁଇଟି ଟିମ୍ ଆସିବେ। ଆସନ୍ତା ୨ରୁ ୩ ଦିନ ଭିତରେ ସେମାନେ ସାତକୋଶିଆରେ ପହଞ୍ଚିବେ। ବର୍ତ୍ତମାନ ବାଘୁଣୀ ‘ସୁନ୍ଦରୀ’ ବାଘମୁଣ୍ଡା ଜଙ୍ଗଲରେ ଅଛି। ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ପିସିସିଏଫ୍ ସୁଦର୍ଶନ ପଣ୍ଡା।

ଟ୍ରାଙ୍କୁଲାଇଜ୍‌ ପାଇଁ ତୃତୀୟ ଦିନରେ ୩ଟି ଟିମ୍‌ ଉଦ୍ୟମ ଜାରି ରଖିଛନ୍ତି। ଗତକାଲି ମଧ୍ୟ ‘ସୁନ୍ଦରୀ’କୁ ଧରିବାକୁ ଚାଲିଥିବା ତୃତୀୟ ପର୍ଯ୍ୟୟ ଅଭିଯାନ ଫେଲ୍ ମାରିଥିଲା। ଦୁଇ ଦିନ ଦୁଇ ରାତି ବିତିଥିଲେ ମଧ୍ୟ ଏଯାଏ ଧରାପଡ଼ିନି ମଣିଷଖିଆ ବାଘୁଣୀ। ‘ସୁନ୍ଦରୀ’କୁ ଧରିବାର ମିଶନ ଫେଲ୍ ମାରୁଥିବାରୁ ଫେରି ଯାଇଛନ୍ତି OUAT ବିଶେଷଜ୍ଞ। ଅନ୍ୟ ଟ୍ରାଙ୍କୁଲାଇଜ୍ ଟିମ୍‌କୁ ନେଇ ଚତୃର୍ଥ ପର୍ଯ୍ୟାୟ ଅଭିଯାନ ପୁଣି ଥରେ ଆରମ୍ଭ ହୋଇଛି।

‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଗତକାଲି ରାତିରେ ବିଶେଷଜ୍ଞ ଟିମ୍ କୁମୁରୀ ଗାଁ ନିକଟ ବାଘମୁଣ୍ଡା ପାହାଡ଼ରେ ମଞ୍ଚା ବାନ୍ଧି ଜଗିଥିଲେ। ବାଘୁଣୀକୁ ଟ୍ରାପ୍ କରିବା ପାଇଁ ତଳେ ଗୋଟିଏ ଛେଳି ମଧ୍ୟ ବାନ୍ଧି ରଖିଥିଲେ। ଏପରିକି ବାଘୁଣୀକୁ ଆକର୍ଷିତ କରିବା ପାଇଁ ପୁରୁଷ ବାଘର ପରିସ୍ରା ବି ଛିଞ୍ଚିଥିଲେ। ପରିସ୍ରାର ଗନ୍ଧ ବାରି ଅନ୍ଧାର ରାତିରେ ‘ସୁନ୍ଦରୀ’ ଏଠିକୁ ଆସିଥିଲା। ହେଲେ ତାକୁ ଟ୍ରାଙ୍କୁଲାଇଜ୍ ଉଦ୍ୟମ କଲା ବେଳକୁ ସେ ଡିଆଁ ମାରି ପଳାଇ ଯାଇଥିଲା।



from Odisha Reporter
‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ କରିବାକୁ ରାଜ୍ୟ ବାହାରୁ ଆସିବେ ଦୁଇଟି ଟିମ୍‌ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ କରିବାକୁ ରାଜ୍ୟ ବାହାରୁ ଆସିବେ ଦୁଇଟି ଟିମ୍‌ Reviewed by SUBHENDU BARAL on October 25, 2018 Rating: 5

ଲୋକାୟୁକ୍ତ ନିଯୁକ୍ତ ନହେବା ପଛରେ ନବୀନ ମାଷ୍ଟରମାଇଣ୍ଡ୍ : କଂଗ୍ରେସ

October 25, 2018

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶାରେ ଲୋକାୟୁକ୍ତ ନିଯୁକ୍ତିରେ ଅହେତୁକ ବିଳମ୍ବ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଦାୟୀ ଓ ମାଷ୍ଟର ମାଇଣ୍ଡ୍ ବୋଲି ପ୍ରଦେଶ କଂଗ୍ରେସ ଅଭିଯୋଗ କରିଛି।
ଆଜି ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ଲୋକୟୁକ୍ତ ଆଇନକୁ ନିର୍ବାଚନୀ ଫାଇଦା ପାଇଁ ନବୀନ ବାବୁଙ୍କ ସରକାର ବ୍ୟବହାର କରୁଛନ୍ତି। ଗତ ସାଧାରଣ ନିର୍ବାଚନ କେଇମାସ ପୂର୍ବରୁ ନିଜର ଭାବମୂର୍ତ୍ତି ରକ୍ଷା କରିବାକୁ ନବୀନ ପଟ୍ଟନାୟକ ସରକାର ଲୋକାୟୁକ୍ତ ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କଲେ। ୨୦୧୫ ଜାନୁୟାରୀ ୧୬ରେ ଲୋକାୟୁକ୍ତ ବିଲକୁ ରାଷ୍ଟ୍ରପତି ଅନୁମୋଦନ କଲେ।

ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନବୀନ ସରକାର ପଦକ୍ଷେପ ନେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ଆଇନ୍ ବିଭାଗ ପରେ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖି ଲୋକାୟୁକ୍ତ ବିଲ୍ ଫାଇଲକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିଜ ପାଖକୁ ନେଇଗଲା। ଆଉ ଏହି ଫାଇଲ୍ ଉପରେ ୩ବର୍ଷ ୪ ମାସ ଯାଏ କୌଣସି ପଦକ୍ଷେପ ନନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାକୁ ନିଜ ପାଖରେ ଚାପି ରଖିଲେ।

ସୁପ୍ରିମକୋର୍ଟଙ୍କ ତାଗିଦକୁ ଦେଖି ତରବରିଆ ଭାବେ ୨୦୧୮ ଜୁନ୍ ୨୩ରେ ବିଲର ବ୍ୟବସ୍ଥା ଅନୁଯାୟୀ ତାକୁ ଗେଜେଟରେ ପ୍ରକାଶ କରାଗଲା ଏବଂ ୨୦୧୮ ଜୁଲାଇ ୭ରୁ ଏହା କାର୍ଯ୍ୟକାରୀ ହେଲା ବୋଲି କୁହାଗଲା। ଏଥିସହିତ ଲୋକପାଳ ନିଯୁକ୍ତି ପାଇଁ ଉପର ଠାଉରିଆ ଭାବେ ଏକ ସର୍ଚ୍ଚ କମିଟି ଗଠନ କରାଗଲା। ଏବେ ଆଉ ୩ ମାସ ଅଧିକ ସମୟର ଆବଶ୍ୟକତା ଅଛି ବୋଲି କହି ସୁପ୍ରିମକୋର୍ଟଙ୍କ ଠାରୁ ମହଲତ ମାଗିଲେ। ଯାହାକୁ ଅଦାଲତ ଅଗ୍ରାହ୍ୟ କରିବା ସହ ରାଜ୍ୟ ସରକାରଙ୍କ ମତିଗତିକୁ ଭର୍ତ୍ସନା କରିଛନ୍ତି।

ଲୋକପାଳ ଗଠନକୁ ବିଳମ୍ବ କରିବା ଏବଂ ନିଯୁକ୍ତିରେ ଟାଳଟୁଳ ନୀତି ଆପଣେଇବା ପଛର ମାଷ୍ଟରମାଇଣ୍ଡ୍ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି କଂଗ୍ରେସ ଅନୁଭବ କରୁଛି। ଏଥିସହିତ ୩ ବର୍ଷ ୪ ମାସ ଧରି ଲୋକାୟୁକ୍ତ ଗଠନ ଫାଇଲକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କାହିଁକି ଚାପି ରଖିଲା, ତା’ର ଜବାବ ଓଡିଶାବାସୀଙ୍କ ସମ୍ମୁଖରେ ରଖାଯାଉ ବୋଲି କଂଗ୍ରେସ ଦାବି କରିଛି।



from Odisha Reporter
ଲୋକାୟୁକ୍ତ ନିଯୁକ୍ତ ନହେବା ପଛରେ ନବୀନ ମାଷ୍ଟରମାଇଣ୍ଡ୍ : କଂଗ୍ରେସ ଲୋକାୟୁକ୍ତ ନିଯୁକ୍ତ ନହେବା ପଛରେ ନବୀନ ମାଷ୍ଟରମାଇଣ୍ଡ୍ : କଂଗ୍ରେସ Reviewed by SUBHENDU BARAL on October 25, 2018 Rating: 5

ସିବିଆଇ କଳିରେ ଯୋଡ଼ିହେଲା ଗୁଇନ୍ଦାଗିରି ପ୍ରସଙ୍ଗ, ସରକାରଙ୍କୁ ଘେରିଲେ ବିରୋଧୀ

October 25, 2018

ନୂଆଦିଲ୍ଲୀ: ସିବିଆଇର ଦୁଇ ବରିଷ୍ଠ ଅଧିକାରୀ ରାକେଶ ଆସ୍ଥାନା ଓ ଆଲୋକ ବର୍ମାଙ୍କ କଳି ମଧ୍ୟରେ ଆଜି ଗୁଇନ୍ଦାଗିରି ପ୍ରସଙ୍ଗ ଯୋଡ଼ି ହୋଇଯିବା ପରେ ପୂରା ଘଟଣା ନୂଆ ମୋଡ଼ ନେଇଛି।

ପୂର୍ବତନ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ଘର ନିକଟରୁ ୪ ଜଣ ଗୁଇନ୍ଦା ବିଭାଗ ଅଧିକାରୀ ଧରା ପଡ଼ିବା ପରେ ବିରୋଧୀଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରିଛନ୍ତି। ସିବିଆଇ ମୁଖ୍ୟଙ୍କ ଘର ନିକଟରେ ବୁଧବାର ରାତିରୁ ଗୁଇନ୍ଦା ଅଧିକାରୀମାନେ କ’ଣ କରୁଥିଲେ, ତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।

ଆଜି ସକାଳୁ ୪ ଜଣ ଗୁଇନ୍ଦା ଅଧିକାରୀ ଆଲୋକ ବର୍ମାଙ୍କ ଘର ବାହାରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ବେଳେ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ଦ୍ୱାରା ଧରାପଡ଼ିଥିଲେ। ଏହାପରେ ଏହାକୁ ନେଇ ରାଜନୀତିକ ବୟାନବାଜି ଆରମ୍ଭ ହୋଇଯାଇଛି। କେନ୍ଦ୍ର ସରକାର ଶ୍ରୀ ବର୍ମାଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଏଭଳି କରୁଛନ୍ତି ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ ଆଣିଛନ୍ତି।

ଅନ୍ୟପକ୍ଷରେ ଗୁଇନ୍ଦା ବିଭାଗ ପକ୍ଷରୁ ଅଟକ ଥିବା ୪ ଜଣ ବ୍ୟକ୍ତି ଗୁଇନ୍ଦା କର୍ମଚାରୀ ଏବଂ ସେମାନେ ନିୟମିତ ରୁଟିନ୍‌ ଅନୁଯାୟୀ ଉକ୍ତ ଅଞ୍ଚଳରେ ବୁଲାବୁଲି କରୁଥିଲେ ବୋଲି କହିଛି।

ଜଣେ ବରିଷ୍ଠ ଗୁଇନ୍ଦା ଅଧିକାରୀ କହିଛନ୍ତି, ଅଟକ ୪ ଅଧିକାରୀ ଜନପଥରେ ଡ୍ୟୁଟି କରୁଥିଲେ। କାରଣ ଶ୍ରୀ ବର୍ମାଙ୍କ ଘର ଆଗରେ ପୂର୍ବଦିନ ଗୁଡ଼ିକ ଅପେକ୍ଷା ଆଜି ଅଧିକ ଗହଳି ଥିଲା। ଉଲ୍ଲେଖଯୋଗ୍ୟ, ଜନପଥରେ ଅନେକ ଭିଆଇପିମାନଙ୍କର ସରକାରୀ ବାସଭବନ ରହିଛି। ସେମାନଙ୍କ ଜୀବନ ଓ ସୁରକ୍ଷା ପ୍ରତି ଯେମିତି କୌଣସି ବିପଦ ସୃଷ୍ଟି ନ ହୁଏ, ସେଥିପାଇଁ ଏହା ଉପରେ ଗୁଇନ୍ଦା ବିଭାଗ ନଜର ରଖିଥିଲା। ସମ୍ବେଦନଶୀଳ ଅଞ୍ଚଳରେ ଗୁଇନ୍ଦା ବିଭାଗର ଅଧିକାରୀମାନେ ସର୍ବଦା ନିୟୋଜିତ ହୋଇଥାଆନ୍ତି। ବେଳେ ବେଳେ ସ୍ଥାନୀୟ ପୁଲିସ୍‌ ସହ ମିଶି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଏ। ଏହାଦ୍ୱାରା ଅନେକ ସମୟରେ ଆଇନ୍‌ ଶୃଙ୍ଖଲା ପରିସ୍ଥିତିକୁ ବିଗିଡ଼ିବା ପୂର୍ବରୁ ରୋକା ଯାଇ ପାରିଛି। ଏହା ସତ୍ତ୍ୱେ ୪ ଜଣ ଅଧିକାରୀଙ୍କୁ ଅଟକ ରଖାଯିବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି।

‘ଟାଇମ୍ସ ନାଓ’ରେ ପ୍ରକାଶିତ ଖବର ଅନୁଯାୟୀ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ବର୍ମାଙ୍କ ଉପରେ କୌଣସି ଗୁଇନ୍ଦାଗିରି ହେଉ ନଥିବା କଥାକୁ ସ୍ପଷ୍ଟ କରିଛି। ତଥାପି ଏହାର ତଦନ୍ତ ଚାଲିଛି। ସେମାନଙ୍କ ପାଖରେ ଗୁଇନ୍ଦା ବିଭାଗର ପରିଚୟପତ୍ର ଥିଲା। ତଥାପି ସେମାନଙ୍କୁ ଅଟକ ରଖାଯାଇଛି। ଏହା ନିନ୍ଦନୀୟ ଘଟଣା ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଏହି ଘଟଣାକୁ କେନ୍ଦ୍ରକରି କଂଗ୍ରେସ ମୁଖ୍ୟପାତ୍ର ରଣଦୀପ ସୂର୍ଯ୍ୟେୱାଲା ଟ୍ୱିଟ୍‌ କରି କହିଛନ୍ତି, “ ଜୋରଜବରଦସ୍ତି ସିବିଆଇ ମୁଖ୍ୟଙ୍କୁ ଛୁଟିରେ ପଠାଇଥିବା ମୋଦି ସରକାର ଏବେ ତାଙ୍କ ଉପରେ ଆଇବି ଜରିଆରେ ଗୁଇନ୍ଦାଗିରି କରିବା ଆରମ୍ଭ କରିଛନ୍ତି।”

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି, ସିବିଆଇ ମୁଖ୍ୟଙ୍କୁ ଛୁଟିରେ ପଠାଇବା ପୂର୍ବରୁ ତାଙ୍କୁ ନିଯୁକ୍ତି ଦେଇଥିବା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି କିମ୍ବା କମିଟିଠାରୁ ଅନୁମିତି ନେଇନାହାନ୍ତି।

ସିବିଆଇ ମୁଖ୍ୟ ରାଫେଲ୍‌ ଡିଲ୍‌ ସମ୍ପର୍କରେ ତଦନ୍ତ କରିବାକୁ ଚାହୁଁଥିବାରୁ ତାଙ୍କୁ ରାତି ୧ଟା ବେଳେ ଛୁଟିରେ ପଠାଇ ଦିଆଗଲା ବୋଲି ରାହୁଲ କହିଛନ୍ତି। ସେହିପରି ବରିଷ୍ଠ କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀଦଳ ନେତା ମଲ୍ଲିକାର୍ଜୁନ ଖାଡଗେ ସାମ୍ବାଦିକ ସମ୍ମିଳନୀର କରି ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି।

ସେହିପରି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ମଧ୍ୟ ମୋଦି ସରକାର ସମସ୍ତ ସମ୍ବିଧାନିକ ସଂସ୍ଥାର କାର୍ଯ୍ୟକଳାପରେ ହସ୍ତକ୍ଷେପ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି।



from Odisha Reporter
ସିବିଆଇ କଳିରେ ଯୋଡ଼ିହେଲା ଗୁଇନ୍ଦାଗିରି ପ୍ରସଙ୍ଗ, ସରକାରଙ୍କୁ ଘେରିଲେ ବିରୋଧୀ ସିବିଆଇ କଳିରେ ଯୋଡ଼ିହେଲା ଗୁଇନ୍ଦାଗିରି ପ୍ରସଙ୍ଗ, ସରକାରଙ୍କୁ ଘେରିଲେ ବିରୋଧୀ Reviewed by SUBHENDU BARAL on October 25, 2018 Rating: 5

ଏୟାରସେଲ୍‌ ମ୍ୟାକ୍ସିସ୍‌: ଚିଦାମ୍ବରମ୍‌ଙ୍କୁ ମୁଖ୍ୟ ଅଭିଯୁକ୍ତ ସଜାଇଲା ଇଡି

October 25, 2018

ନୂଆଦିଲ୍ଲୀ: ବହୁର୍ଚ୍ଚିତ ଏୟାରସେଲ୍‌ ମ୍ୟାକ୍ସିସ୍‌ରେ ହୋଇଥିବା ୩୫ ହଜାର କୋଟି ଟଙ୍କାର ଘୋଟାଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ ଫାଇଲ୍‌ କରିଛି।

ଦିଲ୍ଲୀର ପଟିଆଲା ହାଉସ୍‌କୋର୍ଟରେ ଇଡି ଦାଖଲ କରିଥିବା ଚାର୍ଜଶିଟ୍‌ରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ନଂ ୧ ଅଭିଯୁକ୍ତ ଦର୍ଶା ଯାଇଛି। ଏଥିସହ ଏହି ଚାର୍ଜଶିଟ୍‌ରେ ଅନ୍ୟ ଯେଉଁ ୯ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି, ସେମାନଙ୍କ ମଧ୍ୟରେ ପି ଚିଦାମ୍ବରମ୍‌ଙ୍କ ପୁଅ କାର୍ତ୍ତିଙ୍କ ନାଁ ମଧ୍ୟ ରହିଛି। ତା’ ସହିତ କାର୍ତ୍ତିଙ୍କ କମ୍ପାନୀର ଆକାଉଣ୍ଟାଣ୍ଟ ଭାସ୍କର ରମନଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।

ସିବିଆଇ ଓ ଇଡି ଚିଦାମ୍ବରମ୍‌ ବାପା ପୁଅଙ୍କ ନାଁରେ ମନିଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। କୋର୍ଟ ଆସନ୍ତା ନଭେମ୍ବର ୨୬ରେ ଚାର୍ଜଶିଟ୍‌ ଉପରେ ଶୁଣାଣି କରିବେ ବୋଲି ଦିନ ଧାର୍ଯ୍ୟ କରିଛନ୍ତି।

୨୦୦୬ରେ ଚିଦାମ୍ବରମ୍‌ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ଏୟାରସେଲ୍‌ ମ୍ୟାକ୍ସିସ୍‌ ଡିଲ୍‌ ହୋଇଥିଲା। ଯେଉଁଥିରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଛି।

ସିବିଆଇର କହିବା ଅନୁଯାୟୀ, ମରିସସ୍‌ରେ ଅବସ୍ଥାପିତ ଏକ କମ୍ପାନୀ ମ୍ୟାକ୍ସିସ୍‌ ନାଁରେ ଏୟାରସେଲ୍‌ରେ ୮୦୦ ମିଲିୟନ୍‌ ଡଲାର ନିବେଶ କରିବାକୁ ଅନୁମତି ଲୋଡ଼ିଥିଲା। ସବୁ ନିୟମକୁ ଜଳାଞ୍ଜଳି ଦେଇ ଚିଦାମ୍ବରମ୍‌ ଏହି ପୁଞ୍ଜି ନିବେଶକୁ ଅନୁମତି ଦେଇଥିଲେ ବୋଲି କୁହାଯାଉଛି।



from Odisha Reporter
ଏୟାରସେଲ୍‌ ମ୍ୟାକ୍ସିସ୍‌: ଚିଦାମ୍ବରମ୍‌ଙ୍କୁ ମୁଖ୍ୟ ଅଭିଯୁକ୍ତ ସଜାଇଲା ଇଡି ଏୟାରସେଲ୍‌ ମ୍ୟାକ୍ସିସ୍‌: ଚିଦାମ୍ବରମ୍‌ଙ୍କୁ ମୁଖ୍ୟ ଅଭିଯୁକ୍ତ ସଜାଇଲା ଇଡି Reviewed by SUBHENDU BARAL on October 25, 2018 Rating: 5
Powered by Blogger.