Ayodhya Ram Mandir: ରାମ ନାମ ଜପ କଲେ ମଣିଷ ହୋଇଯାଏ ଶକ୍ତିଶାଳୀ; କ’ଣ ରହିଛି ବୈଜ୍ଞାନିକ କାରଣ Pramod Behera

ରାମ କେବଳ ଏକ ଶବ୍ଦ ନୁହେଁ, ଏହା ହେଉଛି ଏକ ତତ୍ତ୍ୱ। ପ୍ରାଣ ସହିତ ଜଡିତ ଶବ୍ଦର ଅନ୍ୟନାମ ହେଉଛି ‘ରାମ’। ଯେଉଁଠି ‘ରାମ’ ଅଛି ସେଠି ଜୀବନ ଅଛି। ‘ରାମ’ ବିନା ଜୀବନ ଶୂନ୍ୟ। ଯଦି ‘ରାମ’ ଶବ୍ଦକୁ ନେ‍ଇ ଯୋଗଶାସ୍ତ୍ର ଅନୁସାରେ ବିଚାର କରାଯାଏ ତେବେ ଏହା ‘‍ଇଡା’ ଓ ‘ପିଙ୍ଗଳା’ ନାଡି ସହିତ ସଂଯୁକ୍ତ। ‘ରା’ର ଉଚ୍ଚାରଣରେ ଉଷ୍ମ ବାୟୁ ନିଷ୍କାସନ ହୋଇଥାଏ। ‍ପିଙ୍ଗଳା ନାଡିକୁ ସୂର୍ଯ୍ୟ ନାଡି କୁହାଯାଉଥିବାରୁ ଏହି ଅକ୍ଷରର ସଂପର୍କ ପିଙ୍ଗଳା ନାଡି ସହିତ ରହିଛି।

ସେହିପରି ‘ମ’ ଶବ୍ଦ ଉଚ୍ଚାରଣରେ ଶୀତଳ ବାୟୁ ଶରୀରକୁ ପ୍ରବେଶ କରିଥାଏ। ଇଡା ନାଡି ବା ଚନ୍ଦ୍ର ନାଡି ଶୀତଳତାର ପ୍ରତୀକ ହୋ‍ଇଥିବାରୁ ଏହି ଅକ୍ଷରକୁ ଇଡା ନାଡି ସହ ତୁଳନା କରାଯାଏ।

ସୂର୍ଯ୍ୟ ଓ ଚନ୍ଦ୍ରର ମିଳନ ରାମ:

ରାମ ହେଉଛନ୍ତି ଉଭୟ ସୂର୍ଯ୍ୟ ଓ ଚନ୍ଦ୍ରର ସମ୍ମିଳିତ ଏକ ଗୁଢ ତତ୍ତ୍ୱ। ତେଣୁ ସେ ସୂର୍ଯ୍ୟବଂଶରେ ଜନ୍ମ ନେଇ ମଧ୍ୟ ରାମଚନ୍ଦ୍ର ନାମ ଧାରଣ କରିଛନ୍ତି। ଯଦି ଜଣେ ବାରମ୍ବାର ‘ରାମ’ ଶବ୍ଦ ଜପ କରେ ତେବେ ତା’ର ପ୍ରାଣାୟାମ କାମଟି ମଧ୍ୟ ହେଇଯାଏ। ସେହିଭଳି ‘ରା’ ହେଉଛି ‘ଆଲୋକ’ ଓ ‘ମ’ ହେଉଛି ‘ଭିତରେ’। ତେଣୁ ଆମ ଭିତରେ ଥିବା ଦିବ୍ୟ ଆଲୋକ ଶକ୍ତିଟି ହେଉଛି ‘ରାମ’।

ରାମ ହେଉଛି ଏକ ମନ୍ତ୍ର। ଏହି ମନ୍ତ୍ରରେ ରହିଛି ଅପାର ଶକ୍ତି। ଏହି ମନ୍ତ୍ର ନିର୍ଧନକୁ ଧନୀ କରିପାରେ, ଏହି ମନ୍ତ୍ର ରୋଗୀକୁ ନିରୋଗୀ କରିପାରେ, ଏହି ମନ୍ତ୍ର ଦାନବକୁ ମଧ୍ୟ ମହାମାନବରେ ରୂପାନ୍ତର କରିପାରେ। ଏହା ନ ହୋ‍ଇଥିଲେ ଦସ୍ୟୁ ରତ୍ନାକର କ’ଣ ଏହି ନାମ ଜପକରି ମହର୍ଷି ବାଲ୍ମିକୀ ହୋଇପାରିଥାନ୍ତେ। ଅନ୍ୟାନ୍ୟ ଗାୟତ୍ରୀ ମନ୍ତ୍ର ପରି ରାମ ଗାୟତ୍ରୀ ମନ୍ତ୍ର ମଧ୍ୟ ଜୀବନର ରକ୍ଷା କବଚ ସାଜିଥାଏ।

“ଓମ୍ ଦଶରଥାୟ ବିଦ୍‌ମହେ ସିତା ବଲ୍ଲଭାୟ ଧିମହି

ତନ୍ନୋ ରାମଃ ପ୍ରଚୋଦୟାତ୍”

ଏହି ପ୍ରାର୍ଥନା ଦ୍ୱାରା ଜଣେ ବ୍ୟକ୍ତି ନିଜର ସ୍ୱଚ୍ଛ ଚିନ୍ତାଧାରା ଓ ସ୍ୱଚ୍ଛ ବିଚାରର କାମନା କରିଥାଏ।

ମଣିପୁର ଚକ୍ରର ମନ୍ତ୍ର 'ରାମ':

ଯୋଗଶାସ୍ତ୍ର ଅନୁସାରେ ଆମ ଶରୀରରେ ୭ଟି ଚକ୍ର ଅଛି। ଏହି ଚକ୍ରଗୁଡିକ ହେଲା ମୂଳାଧାର, ସ୍ୱାଧିଷ୍ଠାନ, ମଣିପୁର, ଅନାହତ, ବିଶୁଦ୍ଧି, ଆଜ୍ଞା ଓ ଶହସ୍ରାହାର। ପ୍ରତ୍ୟେକ ଚକ୍ରରେ ଏକ ବୀଜ ମନ୍ତ୍ର ଅଛି, ଯାହା ସେହି ଚକ୍ରକୁ ଜାଗ୍ରତ କରିଥାଏ। ଶରୀରର ତୃତୀୟ ଚକ୍ର ମଣିପୁରର ବୀଜ ମନ୍ତ୍ର ହେଉଛି ‘ରଂ’ (ରାମ)।

ଏହି ଚକ୍ର ନାଭି ପଛରେ ମେରୁଦଣ୍ଡରେ ଥାଏ। ଏହି ଚକ୍ର ହେଉଛି ଶକ୍ତିର ସବୁଠାରୁ ବଡ କେନ୍ଦ୍ର, ଏଠାରୁ ହିଁ ଶକ୍ତି ଶରୀରର ଅନ୍ୟ ସ୍ଥାନକୁ ବିସ୍ତାର ହୋଇଥାଏ। ଏହା ଅଗ୍ନି ତତ୍ତ୍ୱକୁ ନିୟନ୍ତ୍ରଣ କରେ ଏବଂ ରାଜସିକ ଗୁଣକୁ ସକ୍ରିୟ କରେ। ଏହି ଚକ୍ର ସକ୍ରିୟ ହେବା ଦ୍ୱାରା ଲଜ୍ଜା, ମନ୍ଦ ଭାବନା, ଈର୍ଷା, ସୁଷୁପ୍ତି, ବିଷାଦ, କଷଣ, ତୃଷ୍ଣା, ମୋହ, ଘୃଣା ଏବଂ ଭୟ ନିୟନ୍ତ୍ରିତ ହୁଏ। ମନ କିମ୍ବା ଶରୀର ଉପରେ ପଡୁଥିବା ପ୍ରଭାବ ସିଧାସଳଖ ମଣିପୁର ଚକ୍ର ଉପରେ ପଡେ। ଏହି ଚକ୍ର ମନୁଷ୍ୟର ଭାଗ୍ୟକୁ ନିୟନ୍ତ୍ରଣ କରିବା ସହ ଶରୀରକୁ ଶକ୍ତି ପ୍ରଦାନ କରେ। ଏହି ଚକ୍ର ଖୋଲିବାକୁ 'ରାମ' ମନ୍ତ୍ର ଜପ କରାଯାଏ। ‘ରା’ ଉଚ୍ଚାରଣରେ ‘ପିଙ୍ଗଳା’ ବା ସୂର୍ଯ୍ୟ ଶକ୍ତି ସକ୍ରିୟ ହୁଏ ଓ ‘ମ’ ଉଚ୍ଚାରଣରେ ‘ଇଡା’ ବା ଚନ୍ଦ୍ର ଶକ୍ତି ସକ୍ରିୟ ହୁଏ। ଯାହାର ସ୍ପନ୍ଦନ ସିଧା ମୂଳାଧାର ଚକ୍ର ଉପରେ ପଡେ।



from Latest Odisha News, Breaking News Today | Top Updates on Corona - OTV News https://ift.tt/Rx6vT7z
Ayodhya Ram Mandir: ରାମ ନାମ ଜପ କଲେ ମଣିଷ ହୋଇଯାଏ ଶକ୍ତିଶାଳୀ; କ’ଣ ରହିଛି ବୈଜ୍ଞାନିକ କାରଣ Pramod Behera Ayodhya Ram Mandir: ରାମ ନାମ ଜପ କଲେ ମଣିଷ ହୋଇଯାଏ ଶକ୍ତିଶାଳୀ; କ’ଣ ରହିଛି ବୈଜ୍ଞାନିକ କାରଣ Pramod Behera Reviewed by SUBHENDU BARAL on January 20, 2024 Rating: 5

No comments:

Powered by Blogger.