୨୦୨୩ ଦିନିକିଆ ବିଶ୍ୱକପ୍ ଶେଷ ହେବା ପରେ ଟିମ୍ ଇଣ୍ଡିଆ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳୁଛି। ଏଥିରେ ବିଶ୍ୱକପ୍ ଟିମ୍ର ସଦସ୍ୟ ଥିବା ସୂର୍ଯ୍ୟକୁମାର ଯାଦବ, ଈଶାନ କିଶନ ଓ ପ୍ରସିଦ୍ଧ କ୍ରିଷ୍ଣା ଖେଳୁଛନ୍ତି। ଏହାଛଡ଼ା ଶେଷ ଦୁଇ ମ୍ୟାଚ୍ରେ ଶ୍ରେୟସ ଆୟର ଟିମ୍ ସହ ଯୋଗ ଦେବେ। ଅନ୍ୟମାନଙ୍କୁ ବିଶ୍ରାମ ଦିଆଯାଇଛି ଏବଂ ଯୁବ ଖେଳାଳିମାନଙ୍କୁ ସୁଯୋଗ ମିଳିଛି।
ଏହି ସିରିଜ୍ ଆରମ୍ଭ ହେବା ଓ ଏଥିରେ ଯୁବ ଖେଳାଳି ପ୍ରଭାବଶାଳୀ ପ୍ରଦର୍ଶନ କରିବା ସହିତ ଭାରତର ଦୁଇ ଶ୍ରେଷ୍ଠ ଖେଳାଳି - ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ଏକ ବଡ଼ ପ୍ରଶ୍ନ ଉଠିଛି।
ବିଶ୍ୱକପ୍ରେ ଦମ୍ଦାର ପ୍ରଦର୍ଶନ କରିଥିବା ବିରାଟ ଓ ରୋହିତ ଆଗକୁ ଆଉ କେତେ ଦିନ ଖେଳିବେ? ଏଠାରୁ ସେମାନଙ୍କ ଭିତରେ ଆଉ କେତେ କ୍ରିକେଟ୍ ବାକି ଅଛି?
ଏ ପ୍ରଶ୍ନର ଉତ୍ତର ଦେବା ଏତେ ସହଜ ନୁହେଁ। ଉଭୟ ନିଜେ ହିଁ ଏହାର ଉତ୍ତର ଦେଇପାରିବେ।
୩୫ବର୍ଷୀୟ ବିରାଟ ଓ ୩୬ବର୍ଷୀୟ ରୋହିତ ୨୦୨୩ ବିଶ୍ୱକପ୍ର ଟପ୍ ସ୍କୋରର୍ଙ୍କ ତାଲିକାରେ ପ୍ରଥମ ଦୁଇ ସ୍ଥାନରେ ଥିଲେ। ବିରାଟ ତ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଥିଲେ । କିନ୍ତୁ ବୟସ ଦୃଷ୍ଟିରୁ ସେମାନେ ଏବେ ସେହି ସୋପାନରେ ପହଞ୍ଚିଛନ୍ତି, ଯେଉଁଠି ସବୁ ଫର୍ମାଟ୍ରେ ଖେଳ ଜାରି ରଖିବା ଓ ଶୀର୍ଷସ୍ତରର ପ୍ରଦର୍ଶନ କରିବା ସହଜ କଥା ନୁହେଁ।
ଉଭୟଙ୍କ ପ୍ରଦର୍ଶନକୁ ଦେଖିଲେ କୁହାଯାଇପାରିବ ଯେ ସେମାନେ ଆଉ କିଛି ବର୍ଷ ଖେଳିପାରିବେ । କିନ୍ତୁ ଆଉ କେତେ ବର୍ଷ? ସମ୍ଭବତଃ ଦୁଇ-ତିନି ବର୍ଷ, ହେଲେ ପରବର୍ତ୍ତୀ ଦିନିକିଆ ବିଶ୍ୱକପ୍ ପର୍ଯ୍ୟନ୍ତ ନୁହେଁ।
ଆସନ୍ତା ଦୁଇ ବର୍ଷରେ କ’ଣ ରହିଛି ଚାଲେଞ୍ଜ୍:
ଆସନ୍ତା ଦୁଇ ବର୍ଷ ମଧ୍ୟରେ ଭାରତୀୟ ଟିମ୍ ତିନି ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିବ। କିନ୍ତୁ ତିନି ପ୍ରତିଯୋଗିତାରେ ରୋହିତ ଓ ବିରାଟ ଖେଳିବେ ବୋଲି ଦୃଢ଼ ଭାବେ କହିହେବ ନାହିଁ।
୨୦୨୪ ଜୁନ୍ରେ ଭାରତ ଟି-୨୦ ବିଶ୍ୱକପ୍ ଖେଳିବ। ଏହାପରେ ୨୦୨୫ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବ। ଏହାଛଡ଼ା ଟିମ୍ ଇଣ୍ଡିଆ ଯୋଗ୍ୟତା ହାସଲ କରିବା ସ୍ଥଳେ ୨୦୨୫ରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍ ମଧ୍ୟ ଖେଳିବ।
ଆଗାମୀ ଦିନରେ ରୋହିତ ଓ ବିରାଟ ସବୁ ଫର୍ମାଟ୍ରେ ଖେଳି ନ ପାରନ୍ତି। ତେଣୁ ଏହି ତିନି ପ୍ରତିଯୋଗିତାରେ ସେମାନଙ୍କ ଉପସ୍ଥିତି ସୁନିଶ୍ଚିତ ନୁହେଁ।
ଅବଶ୍ୟ ଆଗାମୀ ଏକ ବର୍ଷ ମଧ୍ୟରେ ଟିମ୍ ଇଣ୍ଡିଆ ମାତ୍ର ଆଠ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବ। ତେଣୁ ଅଧିକ ମ୍ୟାଚ୍ର ଚାପ ରହିବନି। ତେବେ ସେମାନଙ୍କ ଭବିଷ୍ୟତ କେଉଁ ଆଡ଼କୁ ଗତି କରିବ, ତାହା ଟି-୨୦ ବିଶ୍ୱକପ୍ ପରେ ସ୍ପଷ୍ଟ ହୋଇଯାଇପାରେ।
ଟିମ୍ ଇଣ୍ଡିଆର ପରବର୍ତ୍ତୀ ଲକ୍ଷ୍ୟ ଛଅ ମାସ ପରେ ଆମେରିକା ଓ ୱେଷ୍ଟଇଣ୍ଡିଜ୍ ଠାରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିବା। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଚୟନକାରୀ ରୋହିତ ଓ ବିରାଟଙ୍କ ଉପରେ ଆସ୍ଥା ପ୍ରକଟ କରିବେ ନା ଯୁବ ଖେଳାଳିଙ୍କୁ ନେଇ ପ୍ରୟୋଗ କରିବେ, ଏହା ଉପରେ ସମସ୍ତଙ୍କ ନଜର ରହିବ।
୨୦୨୨ ଟି-୨୦ ବିଶ୍ୱକପ୍ର ସେମିଫାଇନାଲ୍ ହାରିବା ଯାଏଁ ରୋହିତ ଓ ବିରାଟ ଟି-୨୦ ଟିମ୍ର ଅଂଶବିଶେଷ ଥିଲେ। କିନ୍ତୁ ଏବେ କ୍ରିକେଟ୍ର କ୍ଷୁଦ୍ରତମ ଫର୍ମାଟ୍ରେ ଚୟନକାରୀ ଯୁବ ଖେଳାଳିମାନଙ୍କୁ ଅଗ୍ରାଧିକାର ଦେଉଛନ୍ତି।
ହାର୍ଦ୍ଦିକ ପାଣ୍ଡ୍ୟା ଅଧିକାଂଶ ଟି-୨୦ ମ୍ୟାଚ୍ରେ ଟିମ୍ର ନେତୃତ୍ୱ ନେଇଛନ୍ତି। ତାଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି । ଏପରି ସ୍ଥଳେ ଆଇପିଏଲ୍ରେ ଗୁଜରାଟ ଟାଇଟନ୍ସକୁ ଥରେ ଚାମ୍ପିଅନ୍ ଓ ଥରେ ରନର୍ସଅପ୍ କରାଇଥିବା ହାର୍ଦ୍ଦିକ ଆଗାମୀ ଟି-୨୦ ବିଶ୍ୱକପ୍ରେ ଭାରତୀୟ ଟିମ୍ର ଅଧିନାୟକ ହେବାର ଯଥେଷ୍ଟ ସମ୍ଭାବନା ରହିଛି।
ସମ୍ଭବତଃ ୨୦୨୪ ଟି-୨୦ ବିଶ୍ୱକପ୍ ପରେ ରୋହିତ ଓ ବିରାଟ ନିଜ କ୍ୟାରିଅରକୁ ଦୀର୍ଘ କରିବା ପାଇଁ ଏହି ଫର୍ମାଟ୍ ଛାଡ଼ିଦେଇପାରନ୍ତି। ଏହା ପୂର୍ବରୁ ସେମାନେ ଟି-୨୦ ଫର୍ମାଟ୍ ଛାଡ଼ିବାର ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇ ନ ପାରେ।
ତେବେ ଟି-୨୦ ବିଶ୍ୱକପ୍ ପରେ ଆଇସିସିର ଦୁଇ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟକୁ ଦୃଷ୍ଟିରେ ରଖି ଚୟନକାରୀ ରୋହିତ ଓ ବିରାଟଙ୍କୁ ନେଇ ନିଜ ବିଚାରରେ ପରିବର୍ତ୍ତନ ଆଣିପାରନ୍ତି ଏବଂ ୨୦୨୫ ଯାଏଁ ସେମାନେ ଉଭୟ ଦିନିକିଆ ଓ ଟେଷ୍ଟ ଟିମ୍ରେ ରହିପାରନ୍ତି।
ଅନ୍ୟପଟେ, ୩୭ ବର୍ଷୀୟ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ଆଗାମୀ ଦିନରେ ଦିନିକିଆ କି ଟି-୨୦ ଟିମ୍ରେ ସ୍ଥାନ ମିଳିବା କଷ୍ଟ। ୩୪ ବର୍ଷୀୟ ରବୀନ୍ଦ୍ର ଜାଡ଼େଜା ଓ ୩୩ ବର୍ଷୀୟ ମହମ୍ମଦ ଶାମୀଙ୍କୁ କାର୍ଯ୍ୟଭାର ଦୃଷ୍ଟିରୁ ଫର୍ମାଟ୍ ବାଛିବାକୁ ପଡ଼ିପାରେ।
ସମସ୍ତେ ସଚିନ ହୋଇପାରିବେ ନାହିଁ:
ପେସାଦାର କ୍ରିକେଟ୍ରେ ପରାଜୟ କିମ୍ବା ବିଜୟ ପରେ ଆଗକୁ ବଢ଼ିବାର ଆଶା କରାଯାଏ । କିନ୍ତୁ ସବୁ ପେସାଦାର କ୍ୟାରିଅର୍ରେ ଏମିତି ଏକ ସମୟ ଆସେ, ଯେତେବେଳେ ଖେଳାଳି ଏହା ଭାବିବାକୁ ବାଧ୍ୟ ହୁଅନ୍ତି ଯେ ଏଠାରୁ ଆଗକୁ କ’ଣ କରିବାକୁ ହେବ?
ତେବେ ବର୍ତ୍ତମାନ ସମୟରେ ଖେଳାଳି ସମ୍ପୂର୍ଣ୍ଣ ରୂପେ କ୍ରିକେଟ୍ରୁ ଅବସର ଘୋଷଣା କରିବା ସହଜ ନିଷ୍ପତ୍ତି ନୁହେଁ, କାରଣ ଏବେ ଖେଳ ଜାରି ରଖିବା ପାଇଁ ଅଧିକ ବିକଳ୍ପ ରହିଛି । ଟେଷ୍ଟ ବିଶେଷଜ୍ଞ କିମ୍ବା ଟି-୨୦ ବିଶେଷଜ୍ଞ ଭାବେ ଖେଳାଳି ନିଜ କ୍ୟାରିଅର୍କୁ ଦୀର୍ଘ କରିପାରିବେ। ଏହାଛଡ଼ା ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ ଭଳି ଟୁର୍ଣ୍ଣାମେଣ୍ଟ ରୂପରେ ମଧ୍ୟ ଖେଳାଳିଙ୍କ ପାଖରେ ଉତ୍ତମ ବିକଳ୍ପ ରହିଛି।
ଏ କଥା ବୁଝିବାକୁ ହେବ ଯେ ସମସ୍ତେ କିମ୍ବଦନ୍ତୀ କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ଭଳି କ୍ରମାଗତ ୨୩-୨୪ ବର୍ଷ ଧରି ଦିନିକିଆ ଓ ଟେଷ୍ଟ କ୍ରିକେଟ୍ ଖେଳିପାରିବେ ନାହିଁ। ଯେତେ ବଡ଼ ଖେଳାଳି ହେଲେ ବି ବୟସର ଗୋଟିଏ ସ୍ତରରେ ପହଞ୍ଚିଗଲେ, ସେମାନଙ୍କୁ ନିଜ କ୍ୟାରିଅର୍କୁ ଆଗକୁ ନେବା ପାଇଁ ଫର୍ମାଟ୍ ଚୟନ କରିବାକୁ ପଡ଼େ। ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍୍ଙ୍କ ଭଳି ଖେଳାଳିଙ୍କୁ ଉଦାହରଣ ଭାବେ ନିଆଯାଇପାରିବ ଯିଏକି କେବଳ ଟେଷ୍ଟରେ ଖେଳୁଛନ୍ତି।
ବିରାଟ ସବୁବେଳେ ଟେଷ୍ଟ କ୍ରିକେଟ୍ ପ୍ରତି ନିଜ ପ୍ରତିବଦ୍ଧତା ଦେଖାଇ ଆସିଛନ୍ତି। ଏପରିସ୍ଥଳେ ସେ ଆଗକୁ ସମ୍ଭବତଃ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପରେ ଟେଷ୍ଟ କ୍ରିକେଟ୍କୁ ଚୟନ କରିପାରନ୍ତି। ରୋହିତଙ୍କ କ୍ଷେତ୍ରରେ ମଧ୍ୟ ସେଇଆ ଦେଖିବାକୁ ମିଳିପାରେ। ତାଙ୍କୁ ବି ଦିନିକିଆ ଓ ଟେଷ୍ଟ ମଧ୍ୟରୁ ଗୋଟିଏ ଫର୍ମାଟ୍କୁ ବାଛିବାକୁ ହେବ, ଯାହା ଫଳରେ ତାଙ୍କ କ୍ୟାରିଅର୍ ଦୀର୍ଘ ହୋଇପାରିବ।
ବାକି ରହିଲା ଅଧିନାୟକ ପ୍ରସଙ୍ଗ। ୨୦୨୩ ଦିନିକିଆ ବିଶ୍ୱକପ୍ରେ ରୋହିତ ଭାରତୀୟ ଟିମ୍ର ଦୃଢ଼ ନେତୃତ୍ୱ ନେଇଥିଲେ ଏବଂ ଟିମ୍ ଫାଇନାଲ୍ରେ ପହଞ୍ଚିଥିଲା। ଦିନିକିଆରେ ତାଙ୍କ ଉତ୍ତରାଧିକାରୀ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା, ଲୋକେଶ ରାହୁଲ ପ୍ରମୁଖ ଦୌଡ଼ରେ ଅଛନ୍ତି। କିନ୍ତୁ ନେତୃତ୍ୱରେ ପରିବର୍ତ୍ତନ କେବେ ହେବ, ଏହାକୁ ନେଇ ଏବେ ସଠିକ୍ ଆକଳନ କରାଯାଇପାରିବନି।
ଅବଶ୍ୟ ଏହା ନିଶ୍ଚିତ ଯେ ପରବର୍ତ୍ତୀ ଦିନିକିଆ ବିଶ୍ୱକପ୍ରେ ଭାରତ ନୂଆ ଅଧିନାୟକଙ୍କ ନେତୃତ୍ୱରେ ଖେଳିବ। ଏପରିକି ସେତେବେଳକୁ ରୋହିତ ଓ ବିରାଟ ଟିମ୍ରେ ବି ନ ଥିବେ; ହେଲେ ଶୀର୍ଷସ୍ତରରେ ଖେଳି ସେମାନେ ଯେଉଁ ବାଟ ଦେଖାଇଛନ୍ତି, ପରବର୍ତ୍ତୀ ଅଧିନାୟକ ସେହି ଦିଗରେ ଟିମ୍କୁ ଆଗେଇ ନେବେ।
ଇମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)
from Latest Odisha News, Breaking News Today | Top Updates on Corona - OTV News https://ift.tt/09KT48x
No comments: