ବିଜୟ ସତ୍ତ୍ୱେ ଲଜ୍ଜାଜନକ ରେକର୍ଡ ଦୋହରାଇଲେ ଓପନିଂ ଯୋଡି : ରୋହିତ ଓ ଇଷାନ ଯୋଡି ଶୂନରେ ଆଉଟ୍ ହୋଇ ଦୋହରାଇଲେ ୪୦ ବର୍ଷର ରେକର୍ଡ Kanak News
କନକ ବ୍ୟୁରୋ : ବିଶ୍ୱକପର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ନାମରେ ଏକ ଲଜ୍ଜାଜନକ ରେକର୍ଡ ହୋଇଛି । ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ଉଭୟ ଭାରତୀୟ ଓପନର୍ କୌଣସି ରନ୍ କରିନପାରି ଆଉଟ୍ ହୋଇ ଥିଲେ । ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଏବଂ ଜୋଶ ହାଜଲେଉଡ୍ ଭାରତୀୟ ଓପନରଙ୍କୁ ସହଜରେ ପାଭିଲିୟନକୁ ଫେରାଇ ଦେଇଥିଲେ ।
ବିଶ୍ୱକପରେ ୪୦ ବର୍ଷ ପରେ ଏହା ଘଟିଛି ଯେତେବେଳେ ଭାରତର ଉଭୟ ଓପନିଂ ବ୍ୟାଟ୍ସମ୍ୟାନ୍ ଶୂନରେ ଆଉଟ୍ ହୋଇଛନ୍ତି । ଏହା ପୂର୍ବରୁ ୧୯୮୩ ବିଶ୍ୱକପରେ ଘଟିଥିଲା । ଏବେର ମ୍ୟାଚରେ ଇଶାନ କିଶନ ଅଧିନାୟକ ରୋହିତ ଶର୍ମାଙ୍କ ସହ ଭାରତ ପାଇଁ ଓପନିଂ ଆସିଥିଲେ । ୧୯୮୩ ବିଶ୍ୱକପରେ ଭାରତୀୟ ଓପନର୍ ଜିମ୍ବାୱେ ବିପକ୍ଷ ମ୍ୟାଚରେ ଶସ୍ତାରେ ପାଭିଲିୟନକୁ ଫେରିଥିଲେ । ଜିମ୍ବାୱେ ବିପକ୍ଷ ମ୍ୟାଚରେ ସୁନୀଲ ଗାଭାସ୍କର ଏବଂ କ୍ରିସ ଶ୍ରୀକାନ୍ତ ଭାରତ ପାଇଁ ଓପନିଂ କରିଥିଲେ ।
ତେବେ ଅଷ୍ଟ୍ରେଲିଆକୁ ମାତ୍ ଦେଇ ବିଜୟ ସହ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି ଭାରତ । ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇ ବିଜୟ ହୋଇଛି ମେନ୍ ଇନ୍ ବ୍ଳ୍ୟ । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ବିରାଟ କୋହଲି ଓ କେ.ଏଲ ରାହୁଲ ପାଳି ସମ୍ଭାଳିଥିଲେ । ଦୁହିଙ୍କ ଚମକ୍ରାର ବ୍ୟାଟିଂ ଯୋଗୁଁ କଙ୍ଗାରୁ ଦଳ ପରାଜିତ ହୋଇଛି । ବିରାଟ ୮୫ ଓ ରାହୁଲ ଅପରାଜିତ ୯୭ ରନ କରିଥିଲେ । ଲୋ’ ସ୍କୋରିଂ ମ୍ୟାଚ୍ ସତ୍ୱେ ଚେନ୍ନାଇରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ କଡ଼ା ଟକ୍ଟର ହୋଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ । ତେବେ ଭାରତର ମାପଚୁପ ବୋଲିଂ, ପ୍ରଥମରୁ ହିଁ ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ହାତ ଖୋଲିବାକୁ ଦେଇନଥିଲା ।
କୌଣସି ସ୍କୋର କରିବା ପୂର୍ବରୁ ମିଚେଲ୍ ମାର୍ସଙ୍କୁ ପ୍ୟାଭିଲିୟନକୁ ଫେରାଇ ଦେଇଥିଲେ ଯଶପ୍ରୀତ ବୁମରା । ଡେଭିଡ୍ ୱାର୍ଣ୍ଣର ଓ ଷ୍ଟିଭେନ୍ ସ୍ମିଥ୍ ସ୍କୋରକୁ ଆଗକୁ ବଢ଼ାଉଥିବା ବେଳେ ସ୍ପିନର କୁଳଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ଦୁଇ ଜଣଙ୍କୁ ଆଉଟ୍ କରି ଅଷ୍ଟ୍ରେଲିଆ ବ୍ୟାଟିଂ ଅର୍ଡରକୁ ଅଡୁଆରେ ପକାଇ ଦେଇଥିଲେ । ଜାଡେଜା ୩ଟି ୱିକେଟ୍ ନେଇଥିବା ବେଳେ କୂଳଦୀପ ଯାଦବ ଓ ବୁମ୍ରା ୨ ଟି ଲେଖାଏଁ ୱିକେଟ ନେଇଥିଲେ । ୪୯ ଓଭର ୩ଟି ବଲରେ ମାତ୍ର ୧୯୯ ରନ୍ କରିବାକୁ ସମର୍ଥ ହୋଇଥିଲା ଅଷ୍ଟ୍ରେଲିଆ । ୨୦୦ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା ଭାରତ । ଦୁଇ ଜଣ ଓପନର୍ ଖାତା ଖୋଲି ପାରିନଥିଲେ । ଅଧିନାୟକ ରୋହିତ ଶର୍ମା, ଇସାନ କିସନ୍ କୌଣସି ରନ୍ ନକରି ପ୍ୟାଭିଲିୟନକୁ ଫେରିଥିଲେ ।
ସେହିପରି ଶ୍ରେୟସ୍ ଆୟାର ମଧ୍ୟ ବିନା ସ୍କୋରରେ ଆଉଟ୍ ହୋଇଥିଲେ । ମାତ୍ର ୨ ରନରେ ୩ ୱିକେଟ୍ ହରାଇ ପୂରା ବ୍ୟାକ୍ ଫୁଟକୁ ଚାଲି ଆସିଥିଲା ଟିମ୍ ଇଣ୍ଡିଆ । ୩ଟି ୱିକେଟ୍ ନେଇଥିଲେ ଅଷ୍ଟ୍ରେଲିଆର ହାଜେଲ୍ଉଡ୍ । ନୂଆ ବଲ୍ରେ ତାଙ୍କର ଘାତକ ବୋଲିଂ ଭାରତୀୟ ବ୍ୟାଟିଂ ଅର୍ଡରକୁ ଅସ୍ତବ୍ୟସ୍ତ କରି ପକାଇଥିଲା । ତେବେ ବିରାଟ କୋହଲି ଓ କେ.ଏଲ ରାହୁଲଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ, ଅଷ୍ଟ୍ରେଲିଆର ଆଶା ଉପରେ ପାଣି ପକାଇ ଦେଇଥିଲା ।
ପଂଚମ ୱିକେଟ୍ ଯୋଡି ୧୬୫ ରନ୍ ଯୋଡିଥିଲା । ଭାରତର ବିଜୟ ରାସ୍ତାକୁ ସହଜ କରି ଦେଇଥିଲା । ୮୫ ରନ୍ କରି କୋହଲି ଆଉଟ୍ ହୋଇଥିବା ବେଳେ ୯୭ ରନ୍ କରି ଅପରାଜିତ ରହିଥିଲେ କେ.ଏଲ ରାହୁଲ । ୪୧ ଓଭର ୨ଟି ବଲ୍ରେ ବିଜୟ ଲକ୍ଷ୍ୟ ହାସଲ କରିଛି ଭାରତ । ୧୧ ରନ୍ କରି ହାର୍ଦିକ ପାଣ୍ଡ୍ୟା ଅପରାଜିତ ରହିଥିବା ବେଳେ ଦର୍ଶନୀୟ ଇଂନିସ ଖେଳି ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି କେଏଲ ରାହୁଲ ।
The post ବିଜୟ ସତ୍ତ୍ୱେ ଲଜ୍ଜାଜନକ ରେକର୍ଡ ଦୋହରାଇଲେ ଓପନିଂ ଯୋଡି : ରୋହିତ ଓ ଇଷାନ ଯୋଡି ଶୂନରେ ଆଉଟ୍ ହୋଇ ଦୋହରାଇଲେ ୪୦ ବର୍ଷର ରେକର୍ଡ first appeared on Kanak News.
from Kanak News https://ift.tt/6w3Tmye https://ift.tt/HdtiOfu
No comments: