ଆଉ ଏକ ମହାଯୁଦ୍ଧର ଆରମ୍ଭ: ହମାସର ଆକ୍ରମଣ ପରେ ଯୁଦ୍ଧ ଘୋଷଣା କଲା ଇସ୍ରାଏଲ । ଇସ୍ରାଏଲକୁ ସାରା ବିଶ୍ୱର ସମର୍ଥନ Kanak News
କନକ ବ୍ୟୁରୋ: ଋୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଆଉ ଏକ ଯୁଦ୍ଧ । ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଛି ମହାଯୁଦ୍ଧ । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ଏଥିରେ ବର୍ତ୍ତମାନ ସୁଦ୍ଧା ୪୫୦ରୁ ଅଧିକଙ୍କ ଜୀବନ ଗଲାଣିି । ଆତଙ୍କବାଦୀ ସଙ୍ଗଠନ ହାମାସର ଆକ୍ରମଣରେ ଇସ୍ରାଏଲରେ ୨ ଶହରୁ ଅଧିକଙ୍କ ମୃତ୍ୟୁ ଘଟିଛି । ୫୦ରୁ ଅଧିକ ସାଧାରଣ ନାଗରିକ ଓ ସୈନିକଙ୍କୁ ହାମାସ୍ ବନ୍ଦୀ ରଖିଥିବା କୁହାଯାଉଛି ।
ଅନ୍ୟପଟେ ଆତଙ୍କବାଦୀ ସଙ୍ଗଠନ ହମାସର ଆକ୍ରମଣ ପରେ ପ୍ରଚଣ୍ଡ ପ୍ରତିଆକ୍ରମଣ କରିଛି ଇସ୍ରାଏଲ । ଯୁଦ୍ଧ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ଶତ୍ରୁଙ୍କୁ ନିପାତ କରିବାକୁ ଇସ୍ରାଏଲ ଆରମ୍ଭ କରିଛି ଅପରେସନ ଆଇରନ ସୋର୍ଡ । ଗାଜାରେ ଇସ୍ରାଏଲ ଯୁଦ୍ଧବିମାନ ପକ୍ଷରୁ ବୋମା ବର୍ଷା କରାଯାଉଛି । ଏଥିରେ ପାଲେଷ୍ଟାଇନର ୨ ଶହରୁ ଅଧିକଙ୍କ ଜୀବନ ହେଲାଣି । ଶନିବାର ସକାଳୁ ଇସ୍ରାଏଲରେ ଘନ-ଘନ ଆକ୍ରମଣ ଆରମ୍ଭ କରିଥିଲା ଆତଙ୍କୀ ସଂଗଠନ ହମାସ । ଏଥିରେ ଇସ୍ରାଏଲର ଅନେକ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ସ୍ଥିତି ଏବେବି ଅସ୍ପଷ୍ଟ ରହିଛି । ଇସ୍ରାଏଲର କିଛି ଜାଗାରେ ଆତଙ୍କୀ ଓ ସେନା ମଧ୍ୟରେ ଏବେବି ଲଢ଼େଇ ଜାରି ରହିଥିବା କୁହାଯାଉଛି । ଇସ୍ରାଏଲରେ ପ୍ରାୟ ୧ ହାଜାର ଲୋକ ଆହତ ହୋଇଥିବା କୁହାଯାଉଛି । ହାମାସର ଆକ୍ରମଣ ପରେ ମହାଯୁଦ୍ଧ ଆଡକୁ ମୁହାଁଇଛି
ଇସ୍ରାଏଲକୁ ସାରା ବିଶ୍ୱରୁ ସମର୍ଥନ ମିଳିଛି । ଭାରତ ଖୋଲାଖୋଲି ଇସ୍ରାଏଲକୁ ସମର୍ଥନ କରିଛି । ସେପଟେ ଆମେରିକା ମଧ୍ୟ ଇସ୍ରାଏଲକୁ ସମର୍ଥନ କରିବା ସହ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛି । ଇସ୍ରାଏଲରେ ଥିବା ନାଗରରିକଙ୍କୁ ଘରୁ ନବାହାରିବାକୁ ଭାରତ ଆଡଭାଇଜରି ଜାରି କରିଛି । ଅନ୍ୟପଟେ ଇରାନ ଆତଙ୍କୀ ସଂଗଠନ ହାମାସକୁ ସମର୍ଥନ କରିଛି ।
ଇରାନ ଓ ଇସ୍ରାଏଲ ମଧ୍ୟରେ ଶତ୍ରୁତା ରହିଆସିଛି । ପାକିସ୍ତାନ ମଧ୍ୟ ପରୋକ୍ଷରେ ହାମାସକୁ ସମର୍ଥନ କରିଛି । ସେପଟେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ବିଶ୍ୱର ଏକ ଶ୍ରେଷ୍ଠ ଗୁଇନ୍ଦା ସଂସ୍ଥା ଭାବେ ଗଣାଯାଏ । ଏହାସହ ଇସ୍ରାଏଲ ସେନା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ । ହେଲେ ଏସବୁ ସତ୍ତେ୍ୱ କେମିତି ହମାସ୍ ଆତଙ୍କବାଦୀ ଏତେ ବଡ଼ ଆକ୍ରମଣ କରିବାରେ ସଫଳ ହେଲେ, ତାକୁ ନେଇ ଚର୍ଚ୍ଚା ଜାରି ରହିଛି । ଇସ୍ରାଏଲ ଗୁଇନ୍ଦା ସଂସ୍ଥାର ଏହା ଏକ ବଡ ବିଫଳତା ବୋଲି କୁହାଯାଉଛି ।
The post ଆଉ ଏକ ମହାଯୁଦ୍ଧର ଆରମ୍ଭ: ହମାସର ଆକ୍ରମଣ ପରେ ଯୁଦ୍ଧ ଘୋଷଣା କଲା ଇସ୍ରାଏଲ । ଇସ୍ରାଏଲକୁ ସାରା ବିଶ୍ୱର ସମର୍ଥନ first appeared on Kanak News.
from Kanak News https://ift.tt/7VfctSn https://ift.tt/WuGXd0Q
No comments: