ସକ୍ରିୟ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ : ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା Kanak News
କନକ ବ୍ୟୁରୋ : ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି । ଆସନ୍ତା ୨୪ ଘଣ୍ଟା ଭିତରେ ଆହୁରି ଘନୀଭୂତ ହୋଇ ସ୍ୱଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବା ସମ୍ଭାବନା । ଏହାର ପ୍ରଭାବରେ ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।
ଏହାସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ହୋଇପାରେ । ଆଜିଠାରୁ ବର୍ଷାର ପରିମାଣ ଓ ବିସ୍ତୃତି ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
୧ ତାରିଖରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଲଘୁଚାପ ପ୍ରଭାବରେ ପ୍ରାୟ ଏକ ସପ୍ତାହ ଧରି ବର୍ଷା ଜାରି ରହିବ । ଆଜି ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ପାଗ ମେଘୁଆ ରହିବ । କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ହେବ । ଦିନର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ ।
ଅନ୍ୟପଟେ ଜୁନ୍ ୧ରୁ ଆଜି ଗତକାଲି ମଧ୍ୟରେ ରାଜ୍ୟରେ ସର୍ବମୋଟ ୧୧୦୫.୪ ମିମି ବର୍ଷା ହୋଇଯାଇଛି । ଯାହାକି ଏହି ସମୟ ଅବଧି ମଧ୍ୟରେ ହେଉଥିବା ସ୍ୱାଭାବିକଠୁ ୩% କମ୍ । ଏହି ସମୟ ମଧ୍ୟରେ ରାଜ୍ୟର ଝାରସୁଗୁଡ଼ା ଓ ବୌଦ୍ଧରେ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ନବରଙ୍ଗପୁର, କେନ୍ଦ୍ରାପଡ଼ା ଓ ପୁରୀରେ ନିଅଣ୍ଟିଆ ବର୍ଷା ହୋଇଯାଇଛି । ଏଥିସହ ଅବଶିଷ୍ଟ ୨୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି ।
The post ସକ୍ରିୟ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ : ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା first appeared on Kanak News.
from Kanak News https://ift.tt/a7BGFyP https://ift.tt/duPnpJi
No comments: