
କନକ ବ୍ୟୁରୋ : ଆଜି ଇନ୍ଦ୍ରୋତ୍ସବ ପୂର୍ଣ୍ଣିମା ଓ ଭାଗବତ ଜନ୍ମ । ଆଜିର ତିଥିରେ ଶ୍ରୀମନ୍ଦିରରେ ପବିତ୍ର ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ସହ ଇନ୍ଦ୍ର ହାତୀ ପ୍ରସ୍ତାବ ନୀତି ଅନୁଷ୍ଠିତ ହେବ । ସଂଧ୍ୟା ଆଳତି ସରିବା ପରେ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଆସିଥାଏ ।
ଏହା ପରେ ଶ୍ରୀଦୋଳଗୋବିନ୍ଦ ପାଲିଙ୍କିରେ ଯାଇ ବଡ଼ ଛତା ମଠ ପାର୍ଶ୍ୱରେ ବିଜେ କରନ୍ତି । ଘଣ୍ଟ, ଛତା ଓ କାହାଳୀ ସହ ପାଲିଙ୍କିରେ ଆସିଥାନ୍ତି ଶ୍ରୀଦୋଳଗୋବିନ୍ଦ । ଏହା ପରେ ବଡ଼ ଛତା ମଠ ପାଶ୍ୱର୍ରେ ଶୀତଳ ଭୋଗ କରାଯାଏ । ପରେ ଇନ୍ଦ୍ର, ଚନ୍ଦ୍ର ଓ ଗୋବିନ୍ଦଙ୍କୁ ବନ୍ଦାପନା କରାଯାଇଥାଏ । ବନ୍ଦାପନା ଶେଷ ହେବା ପରେ ଶ୍ରୀଦୋଳଗୋବିନ୍ଦ ବଡ଼ଦେଉଳକୁ ବିଜେ କରନ୍ତି ।
ପୁରୀ ଜଗନ୍ନାଥ ମନ୍ଦିରରେ ମଧ୍ୟ ଇନ୍ଦ୍ରଙ୍କ ଏକ ବିଗ୍ରହ ଏବଂ ଏକ ମନ୍ଦିର ରହିଛି । ତାହାକୁ ଲୋକେ ସୂର୍ଯ୍ୟ ମନ୍ଦିର ବୋଲି ଜାଣନ୍ତି । କୋଣାର୍କର ପତନପରେ ସୂର୍ଯ୍ୟମୂର୍ତ୍ତିକୁ ଅଣାଯାଇ ଇନ୍ଦ୍ରଙ୍କ ସମ୍ମୁଖରେ ରଖାଯାଇଛି । କଳ୍ପବଟ ତଳେ ଦେବୀ ଇନ୍ଦ୍ରାଣୀଙ୍କ ମନ୍ଦିର ବିରାଜମାନ, ଯାହା ଘୁମୁଷର ପଣ୍ଡାଙ୍କ ଅଧିନରେ । ଲକ୍ଷ୍ମୀ ମନ୍ଦିର ସମ୍ମୁଖସ୍ଥ ଶ୍ରୀମନ୍ଦିରର ପିଢ଼ୀକୁ ଦେବସଭା ବୋଲି କୁହାଯାଏ । ଇନ୍ଦ୍ରୋତ୍ସବ ଦିନ ଲକ୍ଷେ ବଳିତା ଝାଡ଼ ଜଳାଯାଇ ଇନ୍ଦ୍ରୋତ୍ସବକୁ ସ୍ୱାଗତ କରାଯାଏ ।
ଇନ୍ଦ୍ରଗୋବିନ୍ଦ ମହୋତ୍ସବ ରାଜକୀୟ ଉତ୍ସବ ହୋଇଥିବାରୁ ଏହା ଶ୍ରୀମନ୍ଦିର ମଧ୍ୟରେ ଓ ରାଜନବରରେ ପରିପାଳିତ । ଏପରି ଅନ୍ୟତ୍ର ପ୍ରାୟ ବିରଳ । ଏକ କାଠନିର୍ମିତ ଐରାବତ ହସ୍ତୀପୃଷ୍ଠରେ ଇନ୍ଦ୍ର ହରଚଣ୍ଡି ସାହି ଆଖାଡ଼ାଘରଠାରୁ ବାଲିସାହି ମଧ୍ୟଦେଇ ସିଂହଦ୍ୱାର ସମ୍ମୁଖରେ ଉପସ୍ଥିତ ହୁଅନ୍ତି । ଇନ୍ଦ୍ର ଓ ଗୋବିନ୍ଦ ଉଭୟଙ୍କୁ ବନ୍ଦାପନା କରାଯାଇ ଉତ୍ସବ ସମାହିତ ହୋଇଥାଏ ।
The post ଆଜି ଇନ୍ଦ୍ରୋତ୍ସବ ପୂର୍ଣ୍ଣିମା ଓ ଭାଗବତ ଜନ୍ମ । ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି first appeared on Kanak News.
from Kanak News https://ift.tt/VAQxN9L https://ift.tt/375Kf4U
No comments: