ଓଡ଼ିଶାରେ ଆଉ ଗଡିବନି ପୁରୁଣା ଗାଡ଼ି। ରାସ୍ତାରେ ଆଉ ଦିଶିବନି ୧୫ ଓ ୨୦ ବର୍ଷର ପୁରୁଣା ଯାନ। କାରଣ ରାଜ୍ୟ ସରକାର ଖୁବଶୀଘ୍ର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାରଙ୍କ ଭେଇକିଲ ସ୍କ୍ରାପେଜ୍ ପଲିସି। ଏହି ନୀତି ଅନୁସାରେ, ୧୫ ବର୍ଷରୁ ଅଧିକ ସମସ୍ତ ବାଣିଜ୍ୟିକ ଓ ୨୦ ବର୍ଷରୁ ଅଧିକ ବୟସର ଘରୋଇ ଯାନକୁ ଏବେ ରାସ୍ତାରୁ ହଟାଯିବ। ରାଜ୍ୟରେ ଏ ନୀତି କାର୍ଯ୍ୟକାରୀ କରିବାକୁ ବହୁ ଦିନର ତର୍ଜମା ପରେ ଏବେ ପୁରୁଣା ଗାଡି କିଣିବା ଲାଗି ୨୦୨୨ ମେକ ଇନ ଓଡ଼ିିଶା କନକ୍ଲେଭରେ ଏକ ସଂସ୍ଥା ସହ ଏମଓୟୁ ସ୍ବାକ୍ଷର କରିବ ପରିବହନ ବିଭାଗ।
ପୁରୁଣା ଗାଡିମାଲିକମାନେ ନିଜ ଗାଡ଼ିକୁ ସ୍ରାପ ଦରରେ ବିକ୍ରି କଲେ ସେମାନଙ୍କୁ କିଛି ମୂଲ୍ୟ ଦେବାକୁ ଧାର୍ଯ୍ୟ କରିଛନ୍ତି ସରକାର। ପୁରୁଣା ଗାଡିର ମୂଲ୍ୟ ସେହି ଗାଡିର ଏକ୍ସ ସୋରୁମ୍ ମୂଲ୍ୟର ୬ ପ୍ରତିଶତ ରହିବ। ପୁରୁଣା ଗାଡି ବିକିବା ପରେ ଏକ ପ୍ରମାଣପତ୍ର ମିଳିବ। ଗାଡ଼ି ମାଲିକ ଯଦି ନୂଆ ଗାଡି କିଣନ୍ତି, ତେବେ ସେମାନେ ସେହି ପ୍ରମାଣପତ୍ର ଦେଖାଇଲେ ଘରୋଇ ଯାନ ପାଇଁ ୨୫ ପ୍ରତିଶତ, ବାଣିଜ୍ୟିକ ଯାନ ଲାଗି ୮ ବର୍ଷ ପାଇଁ ୧୫ ପ୍ରତିଶତ ଟିକସରେ ରିହାତି ମିଳିବ। ସେହିଭଳି ନୂଆ ଗାଡି କିଣିବା ବେଳେ କମ୍ପାନୀ ପକ୍ଷରୁ ୫ ପ୍ରତିଶତ ରିହାତି ମିଳିପାରିବ।
ତଥ୍ୟ ଅନୁସାରେ ଓଡ଼ିଶାରେ ଏବେ ପ୍ରାୟ ୧୬ ଲକ୍ଷ ୬୧ ହଜାର ପୁରୁଣା ଗାଡ଼ି ରହିଛି। ଏହା ମଧ୍ୟରୁ ୮ ଲକ୍ଷ ୨୮ ହଜାରରୁ ଅଧିକ ଗାଡ଼ି ୨୦ ବର୍ଷରୁ ବେଶି ପୁରୁଣା ହୋଇଥିଲା ବେଳେ ୮ ଲକ୍ଷ ୩୩ ହଜାରରୁ ଅଧିକ ଗାଡ଼ି ୧୫ ବର୍ଷରୁ ବେଶି ପୁରୁଣା। ପୂର୍ବରୁ କେନ୍ଦ୍ର ସରକାର ଦେଶରେ ସ୍କ୍ରାପିଙ୍ଗ୍ ପଲିସି ଲାଗୁ କରି ସାରିଛନ୍ତି। ତେବେ ରାଜ୍ୟରେ ଏହି ନୀତି ଲାଗୁ ହେଲେ ଲୋକେ ଏହାକୁ ନିଶ୍ଚିତ ସ୍ବାଗତ କରିବେ ବୋଲି ଆଶା କରୁଛନ୍ତି ସଡ଼କ ସୁରକ୍ଷା କର୍ମୀ। ସେପଟେ ପୁରୁଣା ଗାଡ଼ିର ମୂଲ୍ୟ ନୂଆ ଗାଡ଼ି ତୁଳନାରେ ମାତ୍ର ୬ ପ୍ରତିଶତ ହୋଇଥିବାରୁ ଲୋକେ ଏହାକୁ କେତେଦୂର ଗ୍ରହଣ କରୁଛନ୍ତି, ତାକୁ ଦ୍ୱନ୍ଦ୍ୱ ରହିଛି।
ପ୍ରଦୂଷଣ ରୋକିବା, ଦୁର୍ଘଟଣା କମାଇବା ଆଦି ଲକ୍ଷ୍ୟ ନେଇ ରାସ୍ତାରୁ ପୁରୁଣା ଗାଡ଼ି ହଟାଇକୁ ଗତବର୍ଷ ଅଗଷ୍ଟ ୧୩ ତାରିଖରେ କେନ୍ଦ୍ର ସରକାର ଦେଶରେ ସ୍କ୍ରାପିଂଙ୍ଗ ପଲିସି ଘୋଷଣା କରିଥିଲେ। ପରେ ଦିଲ୍ଲୀ ଓ ଗୁଜରାଟ ଭଳି କିଛି ରାଜ୍ୟରେ ଏ ନୀତି କାର୍ଯ୍ୟକାରୀ ହୋଇସାରିଛି।
ଟିଟଲାଗଡ଼ରୁ ମାନସ ମହାନ୍ତି, ଭୁବନେଶ୍ୱରରୁ ଚନ୍ଦନ ପାଇକରାୟ ଓ ସୌମ୍ୟ ରଂଜନ ସାହୁଙ୍କ ରିପୋର୍ଟ
from Latest Odisha News, Breaking News Today | Top Updates on Corona - OTV News https://ift.tt/njCwMzl
No comments: