କଲମ୍ୱୋ ୧୮/୦୪ : ଶ୍ରୀଲଙ୍କାରେ ଏବେ ଭୟଙ୍କର ଅର୍ଥନୈତିକ ସଙ୍କଟ ଦେଖାଦେଇଛି। ଦେଶର ଅର୍ଥନୈତିକ ସଙ୍କଟକୁ ଦୃଷ୍ଟିରେ ରଖି ବିରୋଧିମାନେ ସେଠାରେ ସରକାର ହଟାଇବାକୁ ଦାବି କରୁଛନ୍ତି। ଦେଶର ଏପରି ସ୍ଥିତିକୁ ଦୃଷ୍ଟିରେ ରଖି କିଛିଦିନ ତଳେ ରାଜପେକ୍ଷ ସରକାରରେ ଅନେକ କ୍ୟାବିନେଟ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଏହା ମଧ୍ୟରେ ରାଷ୍ଟ୍ରପତି ଗୋତବାୟା ରାଜପେକ୍ଷ ୧୭ଜଣ ନୂଆ କ୍ୟାବିନେଟ ମନ୍ତ୍ରୀଙ୍କୁ ନିଯୁକ୍ତ କରିଛନ୍ତି। ଏବେ ସେଠାରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ, ଲମ୍ୱା ସମୟ ଧରି ବିଜୁଳି କାଟ, ବଢ଼ୁଥିବା ଦରଦାମ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି ।
ରାଷ୍ଟ୍ରପତି ଗୋତବାୟା ସେଠାରେ ମିଳିତ ସରକାର ଗଠନ କରିବା ପାଇଁ ବିରୋଧିମାନଙ୍କ ସହ ସାକ୍ଷାତ କରିଥିଲେ। କିନ୍ତୁ ସମସ୍ତ ବିରୋଧିମାନେ ଏହାକୁ ପ୍ରତ୍ୟାଖାନ କରିବା ସହିତ ଏବେ ସରକାର ଉପରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଶ୍ରୀଲଙ୍କା ସଂସଦରେ ଆସନ୍ତା ଏପ୍ରିଲ ୧୯ ତାରିଖରେ ନୂଆ କ୍ୟାବିନେଟ ମନ୍ତ୍ରୀମାନଙ୍କର ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ବିରୋଧିମାନେ ରାଷ୍ଟ୍ରପତିଙ୍କୁ ଇସ୍ତଫା ଦେବାପାଇଁ ଚାପ ପକାଇ ପାରନ୍ତି । ପୂର୍ବରୁ ଇସ୍ତଫା ଦେଇଥିବା କିଛି ମନ୍ତ୍ରୀମାନଙ୍କୁ ଏବେ ପୁଣି ନିଯୁକ୍ତ କରାଯାଇଛି। କିନ୍ତୁ ରାଷ୍ଟ୍ରପତିଙ୍କ ଦୁଇ ଭାଇ ଓ ପୁତୁରାଙ୍କୁ ଏହି ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିନାହିଁ।
ବର୍ତ୍ତମାନ ଦେଶରେ ଅଳ୍ପ ବିଦେଶୀ ମୁଦ୍ରା ଥିବାରୁ ଏପରି ଅର୍ଥନୈତିକ ସଙ୍କଟ ଦେଖାଦେଇଛି। ଯାହାଫଳରେ ଶ୍ରୀଲଙ୍କା ଏବେ ଅତ୍ୟାବଶ୍ୟକ ସାମଗ୍ରୀ ସହିତ ଇନ୍ଧନ ଅନ୍ୟ ଦେଶରୁ ଆମଦାନି କରିପାରୁନାହିଁ। ଦେଶ ଗତ ସପ୍ତାହରେ ଅସ୍ଥାୟୀ ଭାବେ ବୈଦେଶିକ ଋଣ ସୁଝିପାରିନାହିଁ ବୋଲି ସ୍ୱୀକାର କରିଥିଲା।ସେଥିରୁ କିଛି ଋଣ ଆଜି ପରିଶୋଧ କରାଯାଇଛି ବୋଲି ଜଣା ପଡ଼ିଛି। ବିରୋଧି ଓ ଦେଶବାସୀଙ୍କର ବଢୁଥିବା ଚାପ ସତ୍ତ୍ୱେବି ରାଷ୍ଟ୍ରପତି ଗୋତବାୟା ରାଜପେକ୍ଷ ଇସ୍ତଫା ଦେବେନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
from Prameya News7 https://ift.tt/ukJx8Gf

No comments: