ଅକ୍ଟୋବର ୪ରେ ବିଜେଡିରେ ମିଶିବେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ !

ଭୁବନେଶ୍ଵର ୧୧।୦୯: ହାତ ଛାଡିବେ କଂଗ୍ରେସ  କାର୍ଯ୍ୟକାରୀ  ସଭାପତି  ପ୍ରଦୀପ ମାଝୀ । ଖୁବ୍‌ ଶୀଘ୍ର ବିଜେଡିରେ ମିଶିବା ନେଇ ବିଶେଷ ସୂତ୍ରରୁ ଜଣାପଡ଼ିଛି । ପୂର୍ବରୁ କଂଗ୍ରେସ ଛାଡି ପ୍ରଦୀପ ବିଜେଡିରେ ଯୋଗଦେବା ନେଇ ନବରଙ୍ଗପୁରରୁ ଭୁବନେଶ୍ଵର ଯାଏ ଚର୍ଚ୍ଚା ଜୋର ଧରିଥିଲା । ଆଜି ପିପିଲି ନିର୍ବାଚନ ସରିବା ପରେ ଏ ନେଇ ଅଧିକ ଅଲୋଚନା ହେଉଛି । ପିପିଲି ନିର୍ବାଚନର ଫଳ ପ୍ରକାଶ ପାଇବା ପରଦିନ ସେ ବିଜେଡି ହାତ ଧରିପାରନ୍ତି ବୋଲି ଜଣାପଡ଼ିଛି । ଏଥି ମଧ୍ୟରେ ପ୍ରଦୀପ ବିଜେଡିର ସାଧାରଣ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହିତ ପ୍ଲାନ୍‌ ମଧ୍ୟ ପ୍ରସ୍ତୁତ କରିସାରିଥିବା ଜଣାପଡ଼ିଛି ! ୩୦ ତିରାଖ ଦିନ ସନ୍ଧ୍ୟାରେ ପ୍ରଣବଙ୍କ ସହ ପ୍ରଦୀପଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା କୁହାଯାଉଛି । ଏଥିରୁ ପ୍ରଦୀପ ଖୁବ୍‌ଶୀଘ୍ର ବିଜିଡିର ହାତ ଧରିବେ ବୋଲି ଚର୍ଚ୍ଚା ହେଉଛି ।

ପୂର୍ବରୁ ପ୍ରଦୀପ ବିଜେଡିରେ ମିଶିବାକୁ ଖଣ୍ଡନ କରୁଥିବା ବେଳେ ଖୁବ୍‌ ଶୀଘ୍ର ସେ ଏହି ଦଳରେ ସାମିଲ୍‌ ହେବେ । ଯାହା ଜଣାପଡ଼ିଛି ଅକ୍ଟୋବର ୪ ତାରିଖରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇପାରେ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ନବରଙ୍ଗପୁରରେ ଆୟୋଜିତ ହେବାକୁ ଥିବା ଏକ ବିରାଟ ସମାବେଶରେ  ନିଜ ଶତାଧିକ ସମର୍ଥକଙ୍କୁ ନେଇ ପ୍ରଦୀପ ମାଝୀ ବିଜେଡିରେ ମିଶିବେ ବୋଲି ଯୋଜନା ହୋଇଥିବା କୁହାଯାଉଥିଲା । କିନ୍ତୁ ସେ ଏଇ ତିନି-ଚାରି ଦିନ ଭିତରେ ବିଜେଡି ହାତ ଧରି ପାରନ୍ତି ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି !

ଏକଦା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ଥିବା ପ୍ରଦୀପଙ୍କ ବାପା ଭଗବାନ ମାଝୀ ରାଜ୍ୟସଭା ସାଂସଦ ହୋଇଥିଲେ  । ଆଉ କଂଗ୍ରେସରୁ ଲଗାତାର ଦୁଇ ଥର ହାରିବା ପରେ ପ୍ରଦୀପ ଏବେ ନିଜ ବାପାଙ୍କ  ରାଜନୀତି ରାସ୍ତାରେ ଯାଇ ବିଜୁଙ୍କୁ ଆଦର୍ଶ କରି ଶଙ୍ଖ ଧରିବେ ବୋଲି ଚର୍ଚ୍ଚା ହେଉଛି। 

କଂଗ୍ରେସର ଏହି ଯୁବ ନେତା ପୂର୍ବରୁ ନବରଙ୍ଗପୁର ଲୋକସଭା ସାଂସଦ ଭାବେ ଜିତିଥିଲେ । ପ୍ରଥମ ଥର ସାଂସଦ ଥିଲେ ବି ଯୁବ ନେତା ଭାବେ  ଦିଲ୍ଲୀ କଂଗ୍ରେସ  ରାଜନୀତିରେ ତାଙ୍କର ପ୍ରଭାବ ଭଲ  ଥିଲା । ଜ୍ୟୋତିରାଦିତ୍ୟ ସିନ୍ଧିଆ, ସଚିନ ପାଇଲଟଙ୍କ ଭଳି ପ୍ରଦୀପ ମାଝୀ ମଧ୍ୟ  ରାହୁଲ ଗାନ୍ଧୀଙ୍କ କୋର ଟିମରେ ସଦସ୍ୟ ଥିଲେ। ହେଲେ ଲଗାତାର ୨ ଥର ସାଂସଦ ପ୍ରାର୍ଥୀ ହୋଇ ବି  ହାରିବା ପରେ ଏବେ ଦଳ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେପ୍ଟେମ୍ବର ମାସରେ ନବରଙ୍ଗପୁରେ ଏକ ବିରାଟ ସମାବେଶରେ ନିଜ ଶତାଧିକ ସମର୍ଥକଙ୍କୁ ନେଇ ବିଜେଡିରେ ମିଶିବେ ବୋଲି ପ୍ଲାନ ହୋଇଥିବା କୁହାଯାଉଥିବା ବେଳେ ଏଥିରେ ଏବେ ପରିବର୍ତ୍ତନ ହୋଇପାରେ । ହେଲେ ଏଭଳି ଚର୍ଚ୍ଚାକୁ ନେଇ ପ୍ରଦୀପ ମାଝି କିନ୍ତୁ ଚୁପ୍‌ ରହିଛନ୍ତି । ତାଙ୍କର କହିବା କଥା ସେ ଏବେ  ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ  ସଭାପତି  ଅଛନ୍ତି । ୨୦୧୪ରୁ ଏବେ ଯାଏ କେବଳ ନିୟମରେ ଚାଲିଛି ବୋଲି କହୁଛନ୍ତି ପ୍ରଦୀପ।

ଏକଦା ଅଣ କଂଗ୍ରେସ ରାଜନୀତିରେ ପ୍ରଦୀପ ମାଝୀଙ୍କ ପରିବାରର  ବେଶ ଦବାଦବା ରହିଥିଲା । ପ୍ରଦୀପ ମାଝୀଙ୍କ ବାପା ଭଗବାନ ମାଝୀ  ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ  ଅନୁଗତ ଥିଲେ । ୧୯୯୨ ରୁ ୯୪ ଯାଏ ଭଗବାନ  ଜନତା ଦଳରୁ ଝରିଗାଁ ବ୍ଲକର ଚେୟାରମ୍ୟାନ ଥିଲେ । ସେହିପରି ୧୯୯୪ରୁ ୨୦୦୦ ମସିହା ଯାଏ ବିଜୁ ପଟ୍ଟନାୟକ ପ୍ରଦୀପଙ୍କ ବାପା ଭଗବାନଙ୍କୁ  ରାଜ୍ୟସଭା ସାଂସଦ କରି ପଠାଇଥିଲେ। ସେମିତି ପ୍ରଦୀପଙ୍କ  ଜେଜେ ନିଳାମ୍ବର ମାଝୀ ଅଣ କଂଗ୍ରସରୁ ସାଂସଦ ପ୍ରାର୍ଥୀ  ଭାବେ ଲଢିଥିଲେ । କେବଳ ସେତିକି ନୁହେଁ ପ୍ରଦୀପ ମାଝୀଙ୍କ ଭାଇ  ପ୍ରସନ୍ନ ମାଝୀ ମଧ୍ୟ ୨୦୦୨ରୁ ୨୦୦୭ ଯାଏ ବିଜେଡି ବ୍ଲକ ଚେୟାର ମ୍ୟାନ ହୋଇଥିଲେ । ଅଣ କଂଗ୍ରେସ ରାଜନୀତିରେ ପ୍ରଦୀପଙ୍କ ପରିବାରର ଇତିହାସ ଏବେ କୁଆଡେ ପୁଣି ପୁନାରାବୃତ୍ତି ହେବାକୁ ଯାଉଛି । ହାତ ଛାଡି ନିଜ ବାପାଙ୍କ ରାସ୍ତାରେ ଚାଲିବାକୁ ପ୍ରଦୀପ ନିଷ୍ପତ୍ତି ନେଇ ସାରିଛନ୍ତି ବୋଲି ଚର୍ଚ୍ଚା ହେଉଛି। କେବଳ ଘୋଷଣାକୁ ଅପେକ୍ଷା । ଆଉ ଯଦି ଏହା ହୁଏ ତେବେ ଅଭିଭକ୍ତ କୋରାପୁଟ ରାଜନୀତିରେ କଂଗ୍ରସ ରାଜନୀତିରେ ବଡ ପ୍ରଭାବ ପଡିବ ବୋଲି ଜିଲ୍ଲା ସଭାପତି ସ୍ବୀକାର କରିଛନ୍ତି ।

ରାହୁଲଙ୍କ  ଘନିଷ୍ଠ ଥିବା ଯୁବ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ହାତ ଛାଡି  ପଦ୍ମ କ୍ୟାମ୍ପରେ ସାମିଲ ହେବା ପରେ ମୋଦି କ୍ୟାବିନେଟରେ ମନ୍ତ୍ରୀ ପଦ ବି ପାଇଛନ୍ତି । ଆଉ ସଚିନ ପାଇଲଟ ଏବେ ଦଳ ଛାଡିବେ ବୋଲି ଚର୍ଚ୍ଚା ହେଉଛି । ଆଉ ସେହି ରାସ୍ତାରେ ଏବେ ପ୍ରଦୀପ ମାଝୀ  ଆଗକୁ ବଢ଼ୁଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଲାଣି ।



from Prameya News7 https://ift.tt/2YegAV1
ଅକ୍ଟୋବର ୪ରେ ବିଜେଡିରେ ମିଶିବେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ! ଅକ୍ଟୋବର ୪ରେ ବିଜେଡିରେ ମିଶିବେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ! Reviewed by SUBHENDU BARAL on September 30, 2021 Rating: 5

No comments:

Powered by Blogger.