ଏମ୍ସରେ ସ୍ନେକ୍ ହେଲ୍ପଲାଇନ୍ ଆପ୍, ୱେବ୍ସାଇଟ୍ ଲୋକାର୍ପିତ : ସାପ କାମୁଡିଲେ କି ପ୍ରକାର ଆଶୁ ଚିକିତ୍ସା କରିବେ ଜାଣିପାରିବେ Kanak News
କନକ ବ୍ୟୁରୋ : ସାପ କାମୁଡାରେ ମୃତ୍ୟୁ ହେଉଥିବା ଖବର ସମସ୍ତଙ୍କୁ ବ୍ୟଥିତ କରେ । ତେବେ ଅନେକ ଲୋକ ଜାଣିନଥାନ୍ତି, ସାପ କାମୁଡିଲେ ସେମାନେ କ’ଣ କରିବେ । ଭୁବନେଶ୍ୱର ଏମ୍ସ ଓ ସ୍ନେକ୍ ହେଲପ୍ ଲାଇନ ସଂଗଠନର ମିଳିତ ଉଦ୍ୟମରେ ଏମ୍ସ ପରିସରରେ ଦ୍ୱିଭାଷୀ ‘ସ୍ନେକ୍ ହେଲ୍ପଲାଇନ୍’ ଆପ୍ ଏବଂ ୱେବସାଇଟର ଉନ୍ମୋଚନ କରାଯାଇଛି । ସାପ କାମୁଡିଲେ କି ପ୍ରକାର ଆଶୁ ଚିକିତ୍ସା କରିବେ ଓ ଆପଣଙ୍କ ଅଂଚଳରେ କେଉଁମାନେ ସାପ ଉଦ୍ଧାରକାରୀ ଅଛନ୍ତି ସ୍ନେକ ହେଲ୍ପଲାଇନରୁ ଜାଣିପାରିବେ । ସାପ କାମୁଡିଲେ, କ୍ଷତକୁ ଧୁଅନ୍ତୁ ନାହିଁ, ବରଫ ମାରନ୍ତୁ ନାହିଁ, କ୍ଷତର ଉପର ଭାଗରେ ଫିତା ବା କନାରେ ହାଲକା ଭାବେ ବାନ୍ଧି ହସ୍ପିଟାଲ ଆସିବାକୁ ପରାମର୍ଶ ଦେଉଛନ୍ତି ବିଶେଷଜ୍ଞ । ଯଦି ସାପ ମରିଯାଇଛି, ତାର ଫଟୋ ମୋବାଇଲରେ ନେଇ ଆସନ୍ତୁ, ଫଳରେ ସାପକୁ ଚିହ୍ନି ପାରି ଉପଯୁକ୍ତ ଚିକିତ୍ସା କରିପାରିବେ ଡାକ୍ତର ।
ସୂଚନା ଅନୁଯାୟୀ, ଆପ୍ ପ୍ରସ୍ତୁତ ପାଇଁ ଏକ ବର୍ଷରୁ ଊର୍ଧ୍ବ ସମୟ ଲାଗିଛି । ଏଥିରେ ଓଡ଼ିଶାର ସ୍ଥଳଭାଗରେ ଦେଖାଯାଉଥିବା ବିଷଧର, ବିଷହୀନ, ସ୍ବଳ୍ପ ବିଷାକ୍ତ ସାପ ଚିତ୍ରଣ କରାଯାଇଛି। ଏହା ସାପ ଚିହ୍ନଟ ପାଇଁ ସହାୟକ ହୋଇପାରିବ। ସେହିପରି ୱେବ୍ସାଇଟ୍ରେ ୫ପୃଷ୍ଠା ବିଶିଷ୍ଟ ସାପ କାମୁଡ଼ା ଜନିତ ବିଭିନ୍ନ ସୂଚନା ରହିଛି । ବିଷଧର, ବିଷହୀନ ସାପ କାମୁଡ଼ା ଦାଗ ଜାଣିବା ପାଇଁ ବାଇଟ୍ ମାର୍କସ, ଲକ୍ଷଣ ଜାଣିବା ପାଇଁ, ପ୍ରାଥମିକ ଚିକିତ୍ସା ପାଇଁ ଫାଷ୍ଟଏଡ୍, ଅଙ୍ଗପ୍ରତ୍ୟଙ୍ଗ ବିକୃତ ହେଲେ ପ୍ଲାଷ୍ଟିକ ସର୍ଜରି, ଆର୍ଥିକ ଅନୁକମ୍ପା ପାଇଁ ଏକ୍ସଗ୍ରାସିଆ ପୃଷ୍ଠା ରହିଛି। ସାପ କାମୁଡ଼ାରେ ମୃତ୍ୟୁ ହେଲେ ବ୍ୟକ୍ତିଙ୍କ ପରିବାରକୁ ୪ଲକ୍ଷ ପର୍ଯ୍ୟନ୍ତ ଅନୁକମ୍ପା ରାଶି ଦିଆଯାଇଥାଏ । ଏ ସମ୍ପର୍କରେ ମଧ୍ୟ ଏକ ସୂଚନାଧର୍ମୀ ସ୍ବତନ୍ତ୍ର ପୃଷ୍ଠା ରହିଛି । କାର୍ଯ୍ୟକ୍ରମରେ ସାପ ଉଦ୍ଧାରକାରୀମାନଙ୍କ ପାଇଁ ଅକ୍ୟୁପେସନାଲ ସେଫଟି ପ୍ରୋଟୋକଲ୍ ଫର ସ୍ନେକ ରେସକ୍ୟୁ ଆଣ୍ଡ ରିହାବିଲିଟେସନ ଇନ ଓଡ଼ିଶା-୨୦୨୦ ପୁସ୍ତିକା ଉନ୍ମୋଚନ ହୋଇଥିଲା ।
The post ଏମ୍ସରେ ସ୍ନେକ୍ ହେଲ୍ପଲାଇନ୍ ଆପ୍, ୱେବ୍ସାଇଟ୍ ଲୋକାର୍ପିତ : ସାପ କାମୁଡିଲେ କି ପ୍ରକାର ଆଶୁ ଚିକିତ୍ସା କରିବେ ଜାଣିପାରିବେ first appeared on Kanak News.
from Kanak News https://ift.tt/3mMajK1 https://ift.tt/3t3Rtzo
No comments: