ନୂଆଦିଲ୍ଲୀ,୦୫/୦୭: ଭାରତରେ ମୁସଲିମମାନେ ନ ରୁହନ୍ତୁ ବୋଲି ଯେଉଁମାନେ କହୁଛନ୍ତି ସେମାନେ ହିନ୍ଦୁ ନୁହନ୍ତି ବୋଲି ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ କହିଛନ୍ତି । ଏଥିସହିତ ଆରଏସ୍ଏସ୍ ମୁସଲିମ୍ ବିରୋଧୀ ଏବଂ ଭାରତରେ ସଂଖ୍ୟାଲଘୁମାନେ ଅସୁରକ୍ଷିତ ବୋଲି ଯେଉଁ ବାର୍ତ୍ତା ପ୍ରଚାର କରାଯାଇ ଭୟର ବାତାବରଣ ସୃଷ୍ଟି କରାଯାଉଛି ତାହା ବନ୍ଦ ହେବା ଉଚିତ ବୋଲି ସେ କହିଛନ୍ତି ।
ରବିବାର ଦିନ ଗାଜିଆବାଦ ଠାରେ ଆରଏସ୍ଏସ୍ର ମୁସଲିମ ଶାଖା ‘ମୁସଲିମ୍ ରାଷ୍ଟ୍ରୀୟ ମଞ୍ଚ’ ପକ୍ଷରୁ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେଇ ଭାଗବତ କହିଛନ୍ତି ଯେ ଲୋକମାନେ ଯେତେବେଳେ ହିନ୍ଦୁ-ମୁସଲିମ ଏକତା କଥା କହୁଛନ୍ତି, ଆମେ ସେତେବେଳେ କହୁଛୁ କି ଆମେ ଏକାଠି ଅଛୁ, ଅଲଗା ନୁହେଁ । ଯେତେବେଳେ ସଂଖ୍ୟାଲଘୁଙ୍କ ଉପରେ କୌଣସି ଆକ୍ରମଣ ହେଉଛି ସେତେବେଳେ ସଂଖ୍ୟାଗରିଷ୍ଠଙ୍କ ଠାରୁ ପ୍ରତିବାଦର ସ୍ୱର ଶୁଣାଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି ବିଭିନ୍ନ ଧର୍ମର ଲୋକଙ୍କୁ ଏକାଠି କରିବା କାର୍ଯ୍ୟ ଆରଏସ୍ଏସ୍ କରୁଛି । ଏହି କାର୍ଯ୍ୟ ରାଜନୈତିକ ଦଳ ଉପରେ ଛାଡିବା ଉଚିତ ନୁହେଁ।
ସେହିଭଳି ଗୋ ସୁରକ୍ଷା ନାମରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣ ସମ୍ପର୍କରେ ସେ କହିଛନ୍ତି ଭାରତରେ ଗାଈଙ୍କୁ ପୂଜା କରାଯାଉଛି । ଗୋ ସୁରକ୍ଷା ନାମରେ ହିଂସା ଅକ୍ଷମଣୀୟ । ଏହି ମାମଲାରେ ଆଇନ ତା ବାଟରେ ଯିବା ଉଚିତ । ଦୋଷୀ ଯିଏ ହୋଇଥାନ୍ତୁ ନା କାହିଁକି ଠିକ୍ ଭାବେ ତଦନ୍ତ କରି ତାଙ୍କୁ ଦଣ୍ଡିତ କରାଯିବା ଦରକାର । ଯେଉଁମାନେ ଗୋ ସୁରକ୍ଷା ନାମରେ ହତ୍ୟା କରୁଛନ୍ତି ସେମାନେ ମଧ୍ୟ ହିନ୍ଦୁ ନୁହନ୍ତି ବୋଲି ଭାଗବତ କହିଥିଲେ । ଏହି ଅବସରରେ ସେ ଖ୍ୱାଜା ଇଫତେକାର ଅହମ୍ମଦଙ୍କ ଲିଖିତ ପୁସ୍ତକ ‘ଦି ମିଟିଂ ଅଫ୍ ମାଇଣ୍ଡସ୍’ ଉନ୍ମୋଚନ କରିଥିଲେ ।
from Prameya News7 https://ift.tt/36gYmCN
No comments: