ରୋଜଗାର ପାଇଁ ଯୁବ ଇଞ୍ଜିନିୟରଙ୍କ କୁକୁଡା ଚାଷ । କରୋନା ଛଡାଇନେଲା ଚାକିରୀ, ଚାଷ କରି ପାଇଲେ ସଫଳତା, ବାଲେଶ୍ୱରର ରାଜେଶ ଏବେ ଅନ୍ୟଙ୍କ ପାଇଁ ପ୍ରେରଣା । Kanak News
କନକ ବ୍ୟୁରୋ : କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆସେ ଆଉ କଠିନ ପରିଶ୍ରମ କଲେ ସୁଫଳ ମିଳେ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ରୁପସାର ରାଜେଶ କୁମାର ପରିଡା । କରୋନା ମହାମାରୀ ରୋଜଗାର ହରାଇବାକୁ ବାଧ୍ୟ କରିଥିବା ବେଳେ ସ୍ୱାବଲମ୍ବୀ ହେବାର ଇଚ୍ଛା ସଫଳତା ଆଣି ଦେଇଛି ।
ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ରୁପସା କଶିପଦା ଗ୍ରାମର ରାଜେଶ କୁମାର ପରିଡ଼ା । ଇଞ୍ଜିନିୟରିଂ ପାସ କରିବା ପରେ ୨୦୧୪ ମସିହାରେ ମୁମ୍ବାଇର ଭିରାଜ ଷ୍ଟିଲ ପ୍ଲାଣ୍ଟରେ ଇଞ୍ଜିନିୟର ଭାବେ ନିଯୁକ୍ତି ପାଇଥିଲେ, ଉତ୍ତମ କାର୍ୟ୍ୟଦକ୍ଷତା ପାଇଁ ଗୁଜୁରାଟର ହିଣ୍ଡାଲକୋ କମ୍ପାନୀ ତାଙ୍କୁ ନେଇଥିଲା, ସେଠାରେ କାମ କରୁଥିବା ସମୟରେ କମ୍ପାନୀରୁ ଛୁଟି ନେଇ ଘରକୁ ଆସିଥିଲେ । ମାତ୍ର କରୋନାର ଭୟାବହତା କାରଣରୁ ଆଉ ଗୁଜୁରାଟ ଫେରିପାରିନଥିଲେ । ଘରେ ବସି କଣ କରିବା ପାଇଁ ଚିନ୍ତା କରୁ କରୁ କୁକୁଡା ଚାଷ କରିବା ପାଇଁ ମନସ୍ଥ କରି ଆରମ୍ଭ କଲେ କୁକୁଡା ଚାଷ । ଯାହା ତାଙ୍କୁ ବେଶ ସଫଳତା ଦେଇଛି । ଆଉ ଏହି କୁକୁଡ଼ା ଚାଷରୁ ମାସକୁ ରୋଜଗାର କରୁଛନ୍ତି ୨୫ ରୁ ୩୦ ହଜାର ଟଙ୍କା । ଘରେ ବାପା-ମାଆ ପରିବାର କଥା ବୁଝିବା ସହିତ କମ୍ପାନୀ ଦରମା ଅପେକ୍ଷା ଅଧିକ ରୋଜଗାର ହେଉଥିବା କହିଛନ୍ତି ରାଜେଶ ।
ରାଜେଶ ତାଙ୍କ ଫାର୍ମରେ ଦେଶୀ, ବନରାଜ, ହେଚେରୀ, ଲେୟର, ରୋଡେଲ, ବ୍ରୟେଲର ଏବଂ ବେଙ୍ଗଲ ଟାଇଡର କୁକୁଡା ଚାଷ କରିଛନ୍ତି । ସେ ପାରାଦୀପରୁ କୁକୁଡ଼ା ଯାଆଁଳା ଆଣିଥାନ୍ତି, ଯାଆଁଳ ଗୁଡିକ ୫୦ ରୂ ୬୦ ଦିନ ମଧ୍ୟରେ ୨ ରୁ ୩ କେଜି ପର୍ୟ୍ୟନ୍ତ ବଢିଥାନ୍ତି । ଗୋଟାଏ ଯାଆଁଳ ପିଛା ଦୁଇ ମାସରେ ଖର୍ଚ୍ଚ ହୋଇଥାଏ ୬୦ ରୁ ୭୦ ଟଙ୍କା ଆଉ ବିକ୍ରି ହୋଇଥାଏ ଦେଶୀ କୁକୁଡ଼ା କେଜି ପ୍ରତି ୩୮୦ ରୁ ୪୦୦, ବନରାଜ ୧୮୦ ରୁ ୨୦୦, ହେଚେରୀ ୧୬୦ ରୁ ୧୮୦, ଲେୟର ୧୩୦ ରୁ ୧୫୦, ବେଙ୍ଗଲ ଟାଇଡର ୧୮୦ ରୁ ୨୨୦ ଏବଂ ରୋଡେଲ ଗୋଟା ପ୍ରତି୨୦୦ ରୁ ୨୫୦ ରେ ବିକ୍ରି କରିଥାନ୍ତି । ରାଜେଶ ତାଙ୍କ ଫାର୍ମର କୁକୁଡ଼ାକୁ ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀମାନଙ୍କୁ ବିକ୍ରୀ କରିବା ସହିତ ରୁପସା ବଜାରରେ କମଳା ଚିକେନ ସେଣ୍ଟର ଖୋଲି ଗ୍ରାହକ ମାନଙ୍କ ଆବଶ୍ୟକତା ଅନୁଯାୟୀ କଟା ଏବଂ ଗୋଟା ମଧ୍ୟ ବିକ୍ରି କରୁଛନ୍ତି ।
ଶିକ୍ଷିତ ଯୁବକ ମାନେ ଚାକିରି ଯୋଗାଡ଼ କରିବା ସମୟ ମଧ୍ୟରେ ଅବସର ସମୟକୁ ଅପବ୍ୟୟ ନକରି ନିଜେ କିଛି କିଛି କରିବାକୁ ଚେଷ୍ଟା କଲେ ନିଶ୍ଚିତ ସଫଳତା ପାଇବେ ବୋଲି କହିଛନ୍ତି ରାଜେଶ ।
from Kanak News https://ift.tt/3ue8c2C https://ift.tt/3h9LsNJ
No comments: