ଭୁବନେଶ୍ୱର,୦୨/୦୪: କମିବ ତାତି । ତାତିରୁ ମିଳିବ ତ୍ରାହି । ସବୁଠି କମିବ ତାପମାତ୍ରା । ବର୍ତ୍ତମାନ ତୁଳନାରେ ପ୍ରାୟ ୩ରୁ ୪ ଡିଗ୍ରୀ ସେଲସିୟସ୍ ପାରଦ ଖସିବ । କାଳବୈଶାଖୀ ବର୍ଷା ବି ହେବ । ଯଦିଓ ରାଜ୍ୟରେ ଗରମ କମିବ, ତେବେ ଉପକୂଳ ଓଡ଼ିଶାରେ ସାମୁଦ୍ରିକ ପବନ ଯୋଗୁ ଗୁଳୁଗୁଳି ବଢ଼ିବ । ଲଗାତର ଗ୍ରୀଷ୍ମ ପ୍ରକୋପରେ ସିଝୁଥିବା ଓଡ଼ିଶାରେ ଗୁରୁବାର ତାତି ପ୍ରକୋପ ସାମାନ୍ୟ କମିଥିଲା । ଯଦିଓ ରାଜ୍ୟର ୧୫ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିଲା, ତଥାପି କୌଣସି ଅଞ୍ଚଳ ୪୩ ଡିଗ୍ରୀ ଛୁଇଁନଥିଲା । ଦିନକ ତଳେ ବିଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ଭୁବନେଶ୍ୱରରେ ପାରଦ ୪୦ ଡିଗ୍ରୀ ତଳକୁ ଖସି ଆସିଥିବା ରେକର୍ଡ କରାଯାଇଥିଲା ।
ବୁଧବାର ଭୁବନେଶ୍ୱର ୪୪.୨ ଡିଗ୍ରୀ ଥିବାବେଳେ ଗୁରୁବାର ୩୯.୮ ଡିଗ୍ରୀ ରେକର୍ଡ ହୋଇଛି । ସମଗ୍ର ଉପକୂଳ ଓଡ଼ିଶା ତାପମାତ୍ରା ୪୦ ଡିଗ୍ରୀରୁ କମ୍ ରହିଥିଲା । ଝାଞ୍ଜି ବି ନଥିଲା । ପାଣିପାଗ ବିଭାଗର କହିବାନୁସାରେ, ଏବେ ସାମୟିକ ଭାବେ ଗ୍ରୀଷ୍ମ ଲହରୀ ଆଶଙ୍କା ନାହିଁ । ଶୁକ୍ରବାରଠାରୁ ପାରଦ କ୍ରମାଗତ ଭାବେ କମିବ । ଆସନ୍ତା ଦୁଇ ଦିନରେ ୩ରୁ ୪ ଡିଗ୍ରୀ ଖସିପାରେ । ଶୁକ୍ରବାର ଠାରୁ ରାଜ୍ୟରେ କାଳବୈଶାଖୀ ହେବ । ଶୁକ୍ରବାର ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ବଜ୍ରପାତ ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ଆଶଙ୍କା ଅଛି । ୫ ଯାଏଁ ରାଜ୍ୟରେ କାଳବୈଶାଖୀ ହେବ ବୋଲି ପାଣିପାଗ ବିଭାଗ କହିଛି ।
ସେହିପରି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଶୁକ୍ରବାରଠାରୁ ଉପକୂଳ ଓଡ଼ିଶାକୁ ପଶ୍ଚିମା ପବନ ଆସିବନି । ଉତ୍ତର ଓଡ଼ିଶାକୁ ପୂର୍ବ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଦେଇ ଉତ୍ତରା ପବନ ଆସିବ । ଦକ୍ଷିଣ ଓ କେନ୍ଦ୍ରୀୟ ଉପକୂଳକୁ ସାମୁଦ୍ରିକ ପବନ ବହିବ । ଫଳରେ କେନ୍ଦ୍ରୀୟ ଓଡ଼ିଶାରେ ମଧ୍ୟ ତାତି କମିବ । ପଶ୍ଚିମ ସୀମାନ୍ତ ଜିଲ୍ଲା ଓ ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ କିମ୍ବା ପ୍ରାୟତଃ ଅପରିବର୍ତ୍ତିତ ରହିବ । ୬ ତାରିଖରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ପୁଣି ଗରମ ବଢ଼ିବା ସମ୍ଭାବନା ଅଛି । ସମ୍ଭବତଃ ଭୁବନେଶ୍ୱର ତାପମାତ୍ରା ଆସନ୍ତାକାଲି (ଶୁକ୍ରବାର) ୩୭ ଡିଗ୍ରୀ ସେଲସିୟସ୍ ହୋଇପାରେ । ୮ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିବ । ୨ରୁ ୬ ତାରିଖ ଭିତରେ ଉପକୂଳ ଜିଲ୍ଲାରେ କାଳବୈଶାଖୀଜନିତ ବର୍ଷା ସମ୍ଭାବନା ଅଛି । କେନ୍ଦ୍ରୀୟ ଓ ଉତ୍ତର ଉପକୂଳରେ ବର୍ଷା ସମ୍ଭାବନା ଅଧିକ । ଭୁବନେଶ୍ୱରରେ ୩ ଓ ୪ ତାରିଖରେ କୁଆପଥର ବର୍ଷା ହୋଇପାରେ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଉପକୂଳ ଓଡ଼ିଶାକୁ ସାମୁଦ୍ରିକ ପବନ ପ୍ରବାହ ବଢ଼ିବ । ଏଥିଯୋଗୁ ଯଦିଓ ଗରମ କମିବ, ତେବେ ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼ିବା ଯୋଗୁ ଗୁଳୁଗୁଳି ପ୍ରକୋପ ବଢ଼ିବ ।ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ୱେଲ୍ ମାର୍କଡ ରୂପ ନେଇଛି । ଏହା କେନ୍ଦ୍ରୀୟ ଆଣ୍ଡାମାନ ସାଗର ଉପରେ ଅଛି । ୨୪ ଘଣ୍ଟା ଭିତରେ ଏହା ଅବପାତ ରୂପ ନେଇପାରେ । ଏହାର ଓଡ଼ିଶା ଉପରେ କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ପାଣିପାଗ ବିଭାଗ କହିଛି । ଡକ୍ଟର ପଶୁପାଳକ କହିଛନ୍ତି, ଲଘୁଚାପ ଆଉ ଅଧିକ ଘନୀଭୂତ ହେବନି । ୨ ତାରିଖ ପରେ ଏହାର ଦୁର୍ବଳ ହେବ । ୩ରେ ମିଆଁମାର ଓ ପାଶ୍ୱର୍ବର୍ତ୍ତୀ ଥାଇଲାଣ୍ଡ ପାଖରେ ଉପକୂଳ ଅତିକ୍ରମ କରିବ ।
from Prameya News7 https://ift.tt/3mcQLME
No comments: