ପିପିଲି: ପିପିଲି ଉପନିର୍ବାଚନ ପାଇଁ କମର କସୁଛନ୍ତି ରାଜନୈତିକ ଦଳ। ପ୍ରାର୍ଥୀ ଘୋଷଣା ପରେ ନିର୍ବାଚନମଣ୍ଡିଳ ପରିବେଶ ସରଗରମ। ରାଜ୍ୟ ରାଜନୀତିରେ ବି ଦେଖା ଦେଇଛି ଚାପା ଗୁଞ୍ଜରଣ। ଏସବୁ ଭିତରେ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ଶେଷ ଦିନରେ ନୋମିନେସନ ଦାଖଲ କରିବେ ଉଭୟ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ।
ବିଜେଡି ପ୍ରାର୍ଥୀ ମନୋନୀତ କରିଛି ପିପିଲିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କୁ। ସେହିପରି କଂଗ୍ରେସ ପ୍ରାର୍ଥୀ କରିଛି ଅଜିତ ମଙ୍ଗରାଜଙ୍କୁ । ଉଭୟ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ । ପୂର୍ବରୁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନାମାଙ୍କନ ଦାଖଲ କରିସାରିଛନ୍ତି।
ଏପଟେ ଉପନିର୍ବାଚନକୁ ନେଇ ଏବେଠୁ ଆରମ୍ଭ ହୋଇଛି ତିନି ପ୍ରମୁଖ ଦଳଙ୍କ ମଧ୍ୟରେ ହାରଜିତର ଅବଗଣନା । ମହାରଥୀଙ୍କ ଗଡ଼ରେ ଦଳ ଶାସନ ଗାଦି ବଜାୟ ରଖିବ ବୋଲି ନିଶ୍ଚିତ ଅଛି ବିଜେଡି । ରାଜ୍ୟରେ ବିଜେଡି ଶାସନର ମୂଳଦୂଆ ପଡ଼ିବା ପରଠୁ ଏଠି ବି ଲଗାତର ମହାରଥୀ ଶାସନ ଚାଲିଛି। ନବୀନଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ବଡ଼ ପଦରେ ମନ୍ତ୍ରୀ ବି ହୋଇଛନ୍ତି ମହାରଥୀ।
ସେପଟେ ଆଶ୍ରିତଙ୍କୁ ନେଇ ଜିତିବାର ଆଶା ବାନ୍ଧିଛି ବିଜେପି । ୨୦୧୯ ନିର୍ବାଚନରେ ମଧ୍ୟ ବିଜେପି ଆଶ୍ରିତଙ୍କୁ ପ୍ରାର୍ଥୀ କରିଥିଲା। ସେତେବେଳେ ସେ ୭୨,୭୩୧ ଖଣ୍ଡ ଭୋଟ ପାଇଥିଲେ। ସେ ସମୟରେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ୮୮,୫୧୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ।
ତେଣେ ପିପିଲିରେ ବିକାଶ ଓ ଶାନ୍ତି ପ୍ରତିଷ୍ଠାକୁ ବିଜେପି ମୁଦ୍ଦା କରିଥିବା ବେଳେ ଅର୍ଥବଳ ବିନା ନୀତି ଆଦର୍ଶରେ ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ । ଏବେ ପୁରୀ ଜିଲ୍ଲା କଂଗ୍ରେସର ସଭାପତି ଥିବା ଅଜିତଙ୍କୁ ପ୍ରାର୍ଥୀ କରି ଦୁଇ ଦଳ ବିଜେପି-ବିଜେଡିକୁ ଟକ୍କର ଦେବାକୁ ଆଶା ବାନ୍ଧିଛି କଂଗ୍ରେସ । ଏପ୍ରିଲ ୧୭ରେ ହେବ ପିପିଲି ଉପନିର୍ବାଚନ ପାଇଁ ଭୋଟଗ୍ରହଣ । ଆଜି କଂଗ୍ରେସ ଓ ବିଜେଡି ନାମାଙ୍କନ ପତ୍ର ଦାଖଲ କରି ସାରିବା ପରେ ମୈଦାନରେ ଆରମ୍ଭ ହେବ ଅସଲ ଲଢେଇ ।
The post ପିପିଲି ଉପନିର୍ବାଚନ: ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ରୁଦ୍ର, ଅଜିତ appeared first on OTV Khabar..
from OTV Khabar. https://ift.tt/3dm629M
No comments: