ନୂଆଦିଲ୍ଲୀ, ୨୭|୦୩ : ଆଫଗାନିସ୍ତାନରେ ତାଲିବାନ ଦ୍ୱାରା ହିଂସା ଜାରି ରହିଛି । ଏହାମଧ୍ୟରେ ଆମେରିକା ସୈନ୍ୟ ହଟାଇବା ନେଇ ଯେଉଁ ଆକଳନ କରାଯାଉଥିବା ତାହା କଠିନ ଲାଗୁଛି । ଏନେଇ ନିଜେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି । ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା କଷ୍ଟକର ବୋଲି ସେ କହିଛନ୍ତି । କିନ୍ତୁ ଏଥିରେ ଅଧିକ ସମୟ ଲାଗିବ ନାହିଁ ବୋଲି ସେ କହିଛନ୍ତି । ଅନ୍ୟ ଦିଗରେ ଯଦି ଆମେରିକା ସୈନ୍ୟ ପ୍ରତ୍ୟାହାର ନକରେ ତେବେ ଆକ୍ରମଣ ଜୋରଦାର ହେବ ବୋଲି ତାଲିବାନ ଧମକ ଦେଇଛି ।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଲିବାନ ମଧ୍ୟରେ ଏକ ବୁଝାବଣା ହୋଇଥିଲା । ଏଥିରେ ମେ ୧ ସୁଦ୍ଧା ଆମେରିକା ଆଫଗାନିସ୍ତାନରେ ନିଜର ସୈନ୍ୟଙ୍କୁ ପ୍ରତ୍ୟାହାର କରିବ ବୋଲି କହିଥିଲା । କିନ୍ତୁ ବର୍ତ୍ତମାନର ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି ଯେ, ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସହଜ ନୁହେଁ । କିନ୍ତୁ ସମ୍ପୂର୍ଣ୍ଣ ଭାବେ ସେନା ପ୍ରତ୍ୟାହାର ପାଇଁ ଅଧିକ ସମୟ ଲାଗିବ ନାହିଁ । ଏନେଇ ସେ ନିଜର ସହଯୋଗୀଙ୍କ ସହ କଥା ହେଉଛନ୍ତି । ତେବେ ସମୟ ସୀମା ବୃଦ୍ଧି କରାଗଲେ ଭଲ ହେବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବ ରାଷ୍ଟ୍ରପତିଙ୍କ ଦ୍ୱାରା ତାଲିବାନ ସହ ହୋଇଥିବା ବୁଝାବଣା ଉଚିତ ନଥିଲା । ସେ ନିଜର ସହଯୋଗୀ ଓ ସରକାରୀ ଅଧିକାରୀଙ୍କ ସହ ଏନେଇ ଆଲୋଚନା କରୁଛନ୍ତି । ଏବେ ବି ଆଲୋଚନା ଜାରି ରହିଛି । ସୂଚନାଯୋଗ୍ୟ, ୨୦୧୧ରେ ଅଲକାଏଦା ଦ୍ୱାରା ଆମେରିକାର ଓ୍ୱାର୍ଲଡ୍ ଟ୍ରେଡ୍ ସେଣ୍ଟର ଉପରେ ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଆଫଗାନିସ୍ଥାନରେ ଆମେରିକା ସେନା ମୁତୟନ କରିଥିଲା ।
ଏହାମଧ୍ୟରେ ତାଲିବାନର ଧମକ ସାମ୍ନାକୁ ଆସିଛି । ଯଦି ଆମେରିକା ଦେଇଥିବା ସମୟମୀମା ମଧ୍ୟରେ ସୈନ୍ୟ ପ୍ରତ୍ୟାହାର ନକରେ ତେବେ ଆକ୍ରମଣ ଆହୁରି ତୀବ୍ରତର ହେବ । ଆମେରିକା ସୈନ୍ୟଙ୍କୁ ଟାର୍ଗେଟ୍ କରାଯିବ ବୋଲି ତାଲିବାନ କହିଛି ।
ତାଲିବାନର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ କହିଛନ୍ତି ଯେ, ଦୋହା ଚୁକ୍ତି ଅନୁସାରେ ଆମେରିକା ନିଜର ପ୍ରତିଶ୍ରୁତ ରକ୍ଷା କରିବା ଉଚିତ । ଯଦି ଆମେରିକା କଥା ରଖିବାରେ ବିଫଳ ହୁଏ ତେବେ ଭବିଷ୍ୟତରେ ଯାହା ହେବ ୟୁଏସ ଦାୟୀ ରହିବ । ଏହାସହ ୟୁଏସ ପ୍ରତିଶ୍ରୁତି ପାଳନ କଲେ ତାଲିବାନ ମଧ୍ୟ ଦୀର୍ଘ ୨୦ ବର୍ଷ ଧରି ଜାରି ରହିଥିବା ସଙ୍ଘର୍ଷର ବିରାମ ଘଟାଇବ ।
from Prameya News7 https://ift.tt/3lTWl6B
No comments: