ନୂଆଦିଲ୍ଲୀ,୨୨/୦୩ : ଦେଶରେ ବଢି ଚାଲିଛି କରୋନା କାୟା । ୬ ଟି ରାଜ୍ୟରେ କୋଭିଡ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଛି । ସେହି ରାଜ୍ୟଗୁଡ଼ିକ ହେଉଛି ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ ଏବଂ ମଧ୍ୟପ୍ରଦେଶ। ଦେଶରେ ମୋଟ୍ ସଂକ୍ରମଣର ୮୩ ପ୍ରତିଶତରୁ ଅଧିକ ଏହି ରାଜ୍ୟଗୁଡ଼ିକରୁ ଚିହ୍ନଟ ହୋଇଛି। ଏବେ ଦେଶରେ ୩ଲକ୍ଷ ୯ହଜାର ୮୭ଟି କରୋନା ଆକ୍ଟିଭ୍ କେସ୍ ରହିଛି ।
ସେପଟେ କରୋନା ମହାମାରୀ ବୃଦ୍ଧି ପାଉଥିବାରୁ ମଧ୍ୟପ୍ରଦେଶର ଇନ୍ଦୋର, ଭୋପାଳ, ଜବଲପୁରରେ ଲକଡାଉନ୍ ଘୋଷଣା କରାଯାଇଛି । ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଏହି ୩ଟି ସହରର ସମସ୍ତ ସ୍କୁଲ, କଲେଜକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି । ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଗୁଜୁରାଟ ପରେ ଏବେ ନାଇଟ କର୍ଫ୍ୟୁ ଲାଗୁ କରିଛି ରାଜସ୍ଥାନ। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜସ୍ଥାନର ୮ଟି ଜିଲ୍ଲା ଜୟପୁର, ଯୋଧପୁର, କୋଟା, ଅଜମେର, ଉଦୟପୁର, ଭିଲୱାରା, ସାଗୱାରା ଏବଂ କୁଶଲଗଡରେ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ।
ସୋମବାର ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହେବ। ଏହା ସହ ୬ଟି ରାଜ୍ୟ; କେରଳ, ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ, ପଞ୍ଜାବ ଏବଂ ହରିୟାଣାରୁ ଆସୁଥିବା ଯାତ୍ରୀଙ୍କ ପାଇଁ ନେଗେଟିଭ କରୋନା ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ମାର୍ଚ୍ଚ ୨୫ତାରିଖରୁ ଉପରୋକ୍ତ ରାଜ୍ୟଗୁଡ଼ିକରୁ ଯଦି କେହି ରାଜସ୍ଥାନକୁ ଆସୁଛି, ତେବେ ତାକୁ ୭୨ଘଣ୍ଟା ମଧ୍ୟରେ ପରୀକ୍ଷା କରାଯାଇଥିବା ନେଗେଟିଭ ଆରଟିପିସିଆର ରିପୋର୍ଟ ଦେଖାଇବାକୁ ପଡ଼ିବ ବୋଲି ଗେହଲଟ୍ ସରକାର ଘୋଷଣା କରିଛନ୍ତି। ରାଜ୍ୟ ସରକାର ଆହୁରି କହିଛନ୍ତି ଯେ, ନେଗେଟିଭ ରିପୋର୍ଟ ବିନା ଆସୁଥିବା ଯାତ୍ରୀଙ୍କୁ ୧୫ଦିନ ପାଇଁ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ପଡ଼ିବ। ଅନ୍ୟ ରାଜ୍ୟରୁ ଆସୁଥିବା ଯାତ୍ରୀମାନଙ୍କର ବସ୍ ଷ୍ଟାଣ୍ଡ, ବିମାନବନ୍ଦର ଏବଂ ରେଳ ଷ୍ଟେସନରେ ମଧ୍ୟ କରୋନା ପରୀକ୍ଷା କରାଯିବ।
from Prameya News7 https://ift.tt/3vKLYq1
No comments: