ମଙ୍ଗଳ ପୃଷ୍ଠରେ ସଫଳତା ସହ ଅବତରଣ କଲା ନାସାର ରୋଭର : ଲାଲ୍ ଗ୍ରହରେ ଜୀବ ସତାର ସନ୍ଧାନ ଦିଗରେ ଅନୁସନ୍ଧାନ କରି ମାର୍ସ ପର୍ସିଭେରେନ୍ସ ରୋଭର Kanak News
କନକ ବ୍ୟୁରୋ : ମଙ୍ଗଳ ଗ୍ରହରେ ନୂଆ ଅତିଥି । ପୃଥିବୀରୁ ଯାଇଛି ଏହି ଅତିଥି । ନାସା ପକ୍ଷରୁ ପଠାଯାଇଥିବା ରୋଭର ଗତକାଲି ରାତି ପ୍ରାୟ ୨ଟା ୩୦ ମିନିଟରେ ସଫଳତାର ନିର୍ଦ୍ଧାରିତ ସ୍ଥାନରେ ଅବତରଣ କରିଛି । ମାର୍ସ ପର୍ସିଭେରେନ୍ସ ରୋଭର ମଙ୍ଗଳ ପୃଷ୍ଠରେ ଥିବା ଜେଜେରୋ କ୍ରେଟରରେ ସଫଳତାର ସହ ଅବତରଣ କରିଛି ।
ଏହି କ୍ରେଟର ବା ଘାତ ହେଉଛି ପୂର୍ବରୁ ମଙ୍ଗଳ ଗ୍ରହରେ ବୋହୁଥିବା ଏକ ନଦୀ ବୋଲି ବୈଜ୍ଞାନିକ ମତ ଦିଅନ୍ତି । ଲାଲ ଗ୍ରହରେ ଓହ୍ଲାଇଥିବା ଏହି ଯାନର ମୁଖ୍ୟ କାମ ହେଉଛି ଏହି ଗ୍ରହରେ ପୂର୍ବରୁ ଥିବା ଜୀବ ସତାର ଅନୁସନ୍ଧାନ କରିବା । ମଙ୍ଗଳ ଗ୍ରହର ବାୟୁ ମଣ୍ଡଳରେ ପ୍ରବେଶ କରିବା ପରେ ଏହାକୁ ଅବତରଣ କରିବାକୁ ପ୍ରାୟ ୭ ମିନିଟ ସମୟ ଲାଗିଥିଲା । ଏହି ଅବତରଣ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା ।
ତେବେ ରୋଭର ପହଂଚିବା ପରେ ଏକ ଫଟୋ ପୃଥିବୀକୁ ପଠାଇଛି । ମାର୍ସ ପର୍ସିଭେରେନ୍ସ ରୋଭର ଓଜନ ପ୍ରାୟ ୧ ହଜାର କିଲୋଗ୍ରାମ । ଏଥିରେ ରହିଥିବା ଇଂଜିନ୍ୟୁଟି ହେଲିକପ୍ଟରର ଓଜନ ପ୍ରାୟ ୨ କିଲୋଗ୍ରାମ । ଏହି ରୋଭର ପରମାଣୁ ଶକ୍ତି ଦ୍ୱାରା ପରିଚାଳିତ ହେବ । ପ୍ରଥମ ଥର ପାଇଁ କୌଣସି ରୋଭରରେ ପ୍ଲୁଟୋନିଅମ୍କୁ ଇନ୍ଧନ ଭାବେ ବ୍ୟବହାର କରାଯାଇଛି । ମଙ୍ଗଳ ଗ୍ରହର ପୃଷ୍ଠରେ ଏହି ଯାନ ପ୍ରାୟ ୧୦ ବର୍ଷ ଧରି କାମ କରିବ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ଯାନରେ ୭ଫୁଟର ଏକ ରୋବର୍ଟିକ ଆର୍ମ ରହିଥିବା ବେଳେ ୨୩ଟି କ୍ୟାମେରା ଓ ଡ୍ରିଲ ମେସିନ ଖଂଜାଯାଇଛି । ଏଗୁଡିକ ମଙ୍ଗଳ ପୃଷ୍ଠର ଫଟୋ, ଭିଡିଓ ଓ ନମୁନା ସଂଗ୍ରହ କରିବ । ଏହାର ଗବେଷଣାରୁ ଭବିଷ୍ୟତରେ ଏଠାରେ ମଣିଷ ରହିପାରିବ କି ନାହିଁ ସେନେଇ ମଧ୍ୟ ତଥ୍ୟ ମିଳିପାରିବ ବୋଲି କୁହାଯାଉଛି । ତେବେ ନାସାର ଏହି ସଫଳତା ପାଇଁ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆମେରିକୀୟ ରାଷ୍ଟ୍ରପତି ବାଇଡେନ୍ ।
from Kanak News https://ift.tt/3bdSAE0 https://ift.tt/2M7Uv4y
No comments: