କରୋନାକୁ ନେଇ ଆସିଲା ନୂଆ ତଥ୍ୟ: ଚର୍ମ ଉପରେ ୯ ଘଣ୍ଟା ରହିପାରୁଛି କୋଭିଡ୍-୧୯ ଭାଇରସ୍; ମାସ୍କ ଦେଇ ଶ୍ୱାସକ୍ରିୟା ଅମ୍ଳଜାନସ୍ତରକୁ ବଦଳାଉନାହିଁ Kanak News

କନକ ବ୍ୟୁରୋ: କରୋନାଭୂତାଣୁକୁ ଆମ ଦେହର ଚର୍ମ ଉପରେ ଅବିଚଳିତ କରି ଛାଡ଼ିଦେଲେ ତାହା ଦୀର୍ଘ ନଅ ଘଣ୍ଟା ଧରି ତିଷ୍ଠି ପାରିବ ବୋଲି ସଦ୍ୟ ଏକ ଅନୁଧ୍ୟାନରୁ ଜଣାଯାଇଛି। କୋଭିଡ୍-୧୯ ସଂକ୍ରମଣ ଜଳୀୟ ବାଷ୍ପ କଣିକା(ଏରୋସଲ) ବା କ୍ଷୁଦ୍ର ଜଳବୁନ୍ଦା(ଡ୍ରପ୍ଲେଟ୍) ଦ୍ବାରା ବ୍ୟାପିଥାଏ ବୋଲି ଆଗରୁ ଧାରଣା ରହିଥିଲେ ହେଁ ଏହି ନୂଆ ଅଧ୍ୟୟନରୁ ସଂକ୍ରମଣରୁ ଦୂରେଇ ରହିବା ଲାଗି ହାତକୁ ଠିକ୍ ଭାବରେ ପ୍ରକ୍ଷାଳନ କରିବା ଉପରେ ଗବେଷକମାନେ ଗୁରୁତ୍ବାରୋପ କରିଛନ୍ତି। ସେମାନଙ୍କର ଏହି ଗବେଷଣା ସଂକ୍ରାନ୍ତ ସବିଶେଷ ତଥ୍ୟ କ୍ଲିନିକାଲ୍ ଇନ୍ଫେକ୍ଟସ୍ ଡିଜିଜେସ୍ ପତ୍ରିକାରେ ପ୍ରକାଶ ପାଇଛି। ସାଧାରଣତଃ ଇନ୍ଫ୍ଲୁଏଞ୍ଜା-ଏ ଭୂତାଣୁ ମନୁଷ୍ୟ ଚର୍ମ ଉପରେ ଦୁଇ ଘଣ୍ଟାରୁ କମ୍ ସମୟ ଯାଏ ଜୀବନ୍ତ ରହିପାରୁଥିବା ବେଳେ ସାର୍ସ-କୋଭ୍-୨ ଏପରି ଦୀର୍ଘ ସମୟ ସକ୍ରିୟ ରହିବା ଚିନ୍ତାର ବିଷୟ ହୋଇଛି।
ତେବେ ୮୦ ପ୍ରତିଶତ ଆଲ୍କୋହୋଲ୍ ଥିବା ସାନିଟାଇଜର ପ୍ରୟୋଗରେ ଏହି ଭୂତାଣୁ ୧୫ ସେକେଣ୍ଡ୍ ଭିତରେ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇଯାଉଥିବା ଗବେଷକମାନେ କହିଛନ୍ତି। ତେଣୁ ଦୁଇ ହାତକୁ ଏ ପ୍ରକାର ସାନିଟାଇଜର ଦ୍ବାରା ଭଲଭାବରେ ଘଷାଘଷି କରିଦେଲେ ଅଥବା ସାବୁନ ପାଣିରେ ଅତି କମ୍ରେ ୨୦ ସେକେଣ୍ଡ୍ ଯାଏ ଧୋଇଲେ ହିଁ କରୋନାଭୂତାଣୁ ଦାଉରୁ ବର୍ତ୍ତିହେବ ବୋଲି ପରାମର୍ଶ କରାଯାଇଛି।
ଅନ୍ୟ ଏକ ଅନୁଧ୍ୟାନରେ ଫେସ୍ ମାସ୍କ ପିନ୍ଧି ଶ୍ବାସକ୍ରିୟା କରିବା ଦ୍ବାରା ଆମ ରକ୍ତର ଅମ୍ଳଜାନ ସ୍ତରରେ କୌଣସି ପରିବର୍ତ୍ତନ ଘଟେନାହିଁ ବୋଲି ଗବେଷକମାନେ ଦାବି କରିଛନ୍ତି। ସେମାନଙ୍କ କହିବା କଥା, ମାସ୍କ ପିନ୍ଧିବା ଆମକୁ ଅବାଗ ଲାଗିପାରେ, ମାତ୍ର ଏହା ଦେଇ ଆମ ଫୁସ୍ଫୁସ୍କୁ ଯାଉଥିବା ଅମ୍ଳଜାନ ସ୍ରୋତ ଆଦୌ କମିନଥାଏ। ଗବେଷକମାନେ କହିଛନ୍ତି ଯେ ଆମ ମୁଖମଣ୍ଡଳରେ ଥିବା ସମ୍ବେଦନଶୀଳ ସ୍ନାୟୁଗୁଡ଼ିକର ପ୍ରତିକ୍ରିୟା ଯୋଗୁଁ ଆମକୁ ମାସ୍କ୍ ପିନ୍ଧିଲେ ଅବାଗ ଲାଗିଥାଏ। ତେବେ ଅମ୍ଳଜାନ ଯିବାରେ କୌଣସି ଫରକ ପଡ଼ିନଥାଏ। କରୋନାଭୂତାଣୁ ସଂକ୍ରମଣରୁ ମୁକ୍ତ ରହିବା ଲାଗି ନିୟମିତ ମାସ୍କ ପିନ୍ଧିବା ପାଇଁ ସେମାନେ ପରାମର୍ଶ କରିଛନ୍ତି।
from Kanak News https://ift.tt/2Fbu1f0 https://ift.tt/3nlNlr4
No comments: