କନକ ବ୍ୟୁରୋ : ଆସିକା ନିକଟସ୍ଥ କଲେଜଛକ ଠାରେ ଥିବା ସୂତାକଳ। ଗଞ୍ଜାମ ଜିଲ୍ଲାର ଗର୍ବ ଓ ଗୌରବ ବହନ କରୁଥିବା ଏହି ସୂତାକଳ ଆଜି ଭୂତକୋଠି ପାଲଟି ଯାଇଛି। ୧୯୮୩ ମସିହାରେ ନିର୍ମିତ ଏହି ସୂତାକଳ ବନ୍ଦ ହୋଇ ଇତିମଧ୍ୟରେ ୭ ବର୍ଷରୁ ଅଧିକ ସମୟ ବିତି ସାରିଲାଣି ସତ। କିନ୍ତୁ ଏହାର ପୁନରୁଦ୍ଧାର ଓ ପୁନଃକାର୍ଯ୍ୟକ୍ଷମ ଦିଗରେ ରାଜ୍ୟ ସରକାର କାହିଁକି ତତ୍ପରତା ଦେଖାଉନାହାନ୍ତି, ଏହାକୁ ନେଇ ବର୍ତ୍ତମାନ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବର୍ତ୍ତମାନ ପରିସ୍ଥିତିରେ ଲକ୍ଷାଧିକ ପ୍ରବାସୀ ଶ୍ରମିକ ରାଜ୍ୟ ବାହାରୁ ଭିଟାମାଟିକୁ ଫେରିଥିବା ବେଳେ ଏହି ସୂତାକଳ ବର୍ତ୍ତମାନ ଆଲୋଚନାର ପ୍ରସଙ୍ଗ ପାଲଟିଛି। ଗଣମାଧ୍ୟମଠୁ ଆରମ୍ଭ କରି ବୁଦ୍ଧିଜୀବୀଙ୍କ ସଭିଙ୍କ ମହଲରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଖାଲି ଏତିକି ନୁହେଁ, କିଛି ପୁରୁଖା ରାଜନେତା ଓ ବୁଦ୍ଧିଜୀବୀମାନେ ଆସିକା ସୂତାକଳକୁ ପୁନଃକାର୍ଯ୍ୟକ୍ଷମ କରିବା ପାଇଁ ସରକାରଙ୍କ ପାଇଁ ଏହା ଉପଯୁକ୍ତ ସମୟ ବୋଲି ମତ ରଖିଛନ୍ତି। କାରଣ ସୂତାକଳ ବନ୍ଦ ହୋଇଯିବା ପରେ ୫୦୦ରୁ ଅଧିକ ପୁରୁଷ ଓ ମହିଳା ଶ୍ରମିକ ଜୀବିକା ହରାଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ପଳାଇଥିବା ବେଳେ କେବଳ ୫ଜଣ ସୁରକ୍ଷାକର୍ମୀ ଏହାକୁ ଜଗି ରହିଛନ୍ତି।
ଗଞ୍ଜାମ ଜିଲ୍ଲା ଯୁବକଯୁବତୀଙ୍କୁ ରୋଜଗାର ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କ ଅଧୀନ ଇଡକଲ୍ ସହଯୋଗିତାରେ ପ୍ରାୟ ୧୧ କୋଟି ଟଙ୍କା ବ୍ୟୟରେ ଏହି ସୂତାକଳ ସ୍ଥାପନ ହୋଇଥିଲା। ୧୯୮୭ ମସିହାରେ ଏହା କାର୍ଯ୍ୟକ୍ଷମ ହେଲା। ଏଠାରୁ ପ୍ରସ୍ତୁତ କଟନ୍ ଓ ସିନ୍ଥେଟିକ୍ ସୂତାକୁ ଓଏସଏଚଡିସିଏଲ୍ ଭୁବନେଶ୍ବର, ଓଏସ୍ଏଚ୍ଡବ୍ଲୁସିଏସଏଲ୍ ଭୁବନେଶ୍ବର ଓ ଏନଏଚଡିସିଏଲ୍ ମୁମ୍ବାଇ, କୋଲକାତା, ହାଇଦ୍ରାବାଦ ଓ କାନପୁର ଭଳି ସହରକୁ ପଠାଯାଉଥିଲା। ଉନ୍ନତମାନର ଯନ୍ତ୍ରପାତି ସାଙ୍ଗକୁ ଗଞ୍ଜାମ ଜିଲ୍ଲା ଓ ବାହାରୁ ତୁଳା ଏବଂ ଅନ୍ୟ କଞ୍ଚାମାଲ୍ କିଣି ସୂତା ପ୍ରସ୍ତୁତ ହେଉଥିଲା। ଯାହାକି ସାରା ଦେଶରେ ସୁନାମ ଅର୍ଜନ କରିଥିଲା।
ହେଲେ ୨୦୦୦ ମସିହା ବେଳକୁ ଏହି ଶିଳ୍ପ ଉପରେ ଦୁର୍ଭାଗ୍ୟର କଳା ବାଦଲ ଘୋଟି ଆସିଲା। ଆଉ ଧୀରେ ଧୀରେ ସମୟଚକ୍ରରେ ଏହା ବନ୍ଦ ହୋଇଗଲା। ନିଜସ୍ବ ଓ ଲିଜ୍ ଆକାରରେ ୬୬.୨୫ଏକର ଜାଗା ଉପରେ ନିର୍ମିତ ଏହି ସୂତାକଳକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୨୦୦୫ ମସିହା ଡିସେମ୍ବରରେ ନିଲାମ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହେଲା। ଆଉ ଶାଗମାଛଦରରେ କୋଲକାତାର ‘ଜର୍ଜ ଡ୍ରିଷ୍ଟ୍ରିବ୍ୟୁଟର୍ସ ପ୍ରାଇଭେଟ୍ ଲିମିଟେଡ୍’ ନାମକ ଏକ ସଂସ୍ଥାକୁ ସୂତାକଳକୁ ବିକ୍ରି କରିଦିଆ ଯାଇଥିଲା। ଉକ୍ତ ବେସକାରୀ ସଂସ୍ଥା ଏଠାରେ ପୁଣି ଉତ୍ପାଦନ କାମ ଆରମ୍ଭ କରିଥିଲେ। ୨୫୨୨୮ ସ୍ପିଣ୍ଡଲ୍ସ୍ କ୍ଷମତା ବିଶିଷ୍ଟ ଏହି ସୂତାକଳ ବେସରକାରୀ ସଂସ୍ଥା ହାତକୁ ଗଲା ସତ। କିନ୍ତୁ ଏହାର ଠିକ୍ ପରିଚାଳନା ହୋଇପାରିଲାନି। ଶ୍ରମିକଙ୍କ ମଜୁରି ବୃଦ୍ଧି ସମେତ ବିଭିନ୍ନ ସମସ୍ୟା କାରଣରୁ ୨୦୧୨ ମସିହାରେ ସୂତାକଳରେ ତାଲା ଠୁଙ୍କି ଦିଆଗଲା।
from Kanak News https://ift.tt/3m6CdNY https://ift.tt/33dDnP4
No comments: