କନକ ବ୍ୟୁରୋ : ପୂର୍ବ ଲଦାଖର ପାଙ୍ଗଙ୍ଗ ସୋ ହ୍ରଦ ନିକଟରେ ଚୀନ ସେନା ଦୁଇ ଦିନର ବ୍ୟବଧାନରେ ଦୁଇଥର ଅତିକ୍ରମଣ ଉଦ୍ୟମ କରିଛି। ଦୁଇଥରର ଉଦ୍ୟମକୁ ଭାରତର ବୀର ଯବାନମାନେ ପଣ୍ଡ କରିଦେଇଛନ୍ତି। କିନ୍ତୁ ଚୀନ ସେନାର ଏଭଳି ବଦମାସୀ ଯୋଗୁ ସୀମାରେ ଉତ୍ତେଜନା ଜାରି ରହିଛି। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଭାରତ ସୀମାରେ ଅଧିକ ସେନା ମୁତୟନ କରିବା ସହିତ ବିପୁଳ ପରିମାଣର ଭାରୀ ଯୁଦ୍ଧାସ୍ତ୍ର ପ୍ରେରଣ କରିଛି।
ଦୁଇ ଦେଶର ସୈନିକମାନେ ପୂର୍ଣ୍ଣପ୍ରସ୍ତୁତି ସହ ପୂର୍ବ ଲଦାଖରେ ପରସ୍ପରର ଗୁଳିଭେଦ ସୀମା ଭିତରେ ପହଞ୍ଚିଯିବା ଘଟଣା ହିଁ ପରିସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଛି। ପୂର୍ବରୁ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟ ସାମରିକ ସ୍ତରୀୟ ଓ କୂଟନୈତିକ ଆଲୋଚନା ଅନୁଯାୟୀ, ପାଙ୍ଗଙ୍ଗ ସୋ ହ୍ରଦ ନିକଟରେ ଏକ ନିର୍ଦ୍ଦିଷ୍ଟ ଇଲାକାକୁ ଉଭୟ ପକ୍ଷ ନିରପେକ୍ଷ ଅଞ୍ଚଳ ଭାବେ ବିବେଚନା କରିବାକୁ ସହମତ ହୋଇଥିଲେ। ଗତ ମେ’ ମାସରେ ସଂଘଟିତ ମୁହାଁମୁହିଁ ସ୍ଥିତି ପାଇଁ ପାଙ୍ଗଙ୍ଗ ସୋ ହ୍ରଦର ଉତ୍ତର ଉପକୂଳ ହିଁ ବିବାଦର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ ଏଯାଏ ଏହାର ଦକ୍ଷିଣ ଉପକୂଳ ବିବାଦଶୂନ୍ୟ ଅଞ୍ଚଳ ହୋଇ ରହିଥିଲା।
ଅପରପକ୍ଷେ, ଗତ ମେ’ ମାସରୁ ଏହାର ଉତ୍ତର ଉପକୂଳରେ ଫିଙ୍ଗର ପଏଣ୍ଟ୍ ୪ରୁ ଫିଙ୍ଗର ପଏଣ୍ଟ୍ ୮ ଯାଏ ଦୀର୍ଘ ୮ କିମି ଅଞ୍ଚଳ ଚୀନ ସେନା ଦଖଲରେ ରହିଥିବା ବେଳେ ଦକ୍ଷିଣ ଉପକୂଳ ନିକଟ ଉଚ୍ଚତମ ପାର୍ବତ୍ୟ ଅଞ୍ଚଳରେ ଭାରତୀୟ ସେନା ନିଜର ସ୍ଥିତି ସୁଦୃଢ଼ କରି ରଖିଛି। ତେବେ ସ୍ଥିତାବସ୍ଥାରେ ପରିବର୍ତ୍ତନ ପାଇଁ ଚୀନ ସେନା ଗତ ୨୯ ତାରିଖ ମଧ୍ୟରାତ୍ରି ଏବଂ ୩୧ ତାରିଖରେ ଏପରି ଦୁଇ ଦୁଇ ଥର ଅତିକ୍ରମଣ ଉଦ୍ୟମ କରିଥିଲା। ମାତ୍ର ଅପେକ୍ଷାକୃତ ସୁବିଧାଜନକ ସ୍ଥିତିରେ ଥିବା ଭାରତୀୟ ଯବାନମାନେ ଚୀନ ସେନାର ଅତିକ୍ରମଣ ଉଦ୍ୟମକୁ ପଣ୍ଡ କରି ଦେଇଥିଲେ।
ଏଥି ସହିତ ଆଗରୁ ଅନଧିକୃତ ଥିବା ବ୍ଳାକ୍ ଟପ୍ ନାମକ ଅନ୍ୟ ଏକ ଉଚ୍ଚ ସ୍ଥାନକୁ ଭାରତୀୟ ଯବାନମାନେ ମଧ୍ୟ ଅକ୍ତିଆର କରିନେଇଛନ୍ତି। ଏଥି ସହିତ ଉଭୟ ସେନା ସମ୍ମୁଖ ଭାଗରେ ଟ୍ୟାଙ୍କ, ଟ୍ୟାଙ୍କ ଭେଦୀ କ୍ଷେପଣାସ୍ତ୍ର ପରି ଭାରୀ ଯୁଦ୍ଧାସ୍ତ୍ର ଠୁଳ କରି ରଖିଛନ୍ତି। ପୂର୍ବ ଲଦାଖର ପାଙ୍ଗଙ୍ଗ ସୋ ହ୍ରଦ ଇଲାକାରେ ଚୀନ ସେନାର ଅତିକ୍ରମଣ ଉଦ୍ୟମ ପଣ୍ଡ ପରେ ସେଠାରେ ଦେଖାଦେଇଥିବା ଉତ୍ତେଜନାମୂଳକ ପରିସ୍ଥିତି ପରିପ୍ରେକ୍ଷୀରେ ଭାରତ ଏହାର ଚୀନ୍ ସମେତ ନେପାଳ ଓ ଭୁଟାନ ସଂଲଗ୍ନ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇଦେଇଛି। ସୀମା ସୁରକ୍ଷା କରୁଥିବା ଯବାନମାନଙ୍କୁ ଅଧିକ ସତର୍କ ରହିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାନୁଯାୟୀ, ଚୁସୁଲ/ମୋଲ୍ଡୋରେ ବୁଧବାର ଦ୍ବିପାକ୍ଷିକ କମାଣ୍ଡର ସ୍ତରୀୟ ଆଲୋଚନା ଜାରି ରହିଛି। ଏଣେ ଉତ୍ତରାଖଣ୍ଡ, ଅରୁଣାଚଳପ୍ରଦେଶ, ହିମାଚଳପ୍ରଦେଶ, ଲଦାଖ ଓ ସିକ୍କିମ୍ ସୀମାରେ ଅଧିକ ସଂଖ୍ୟକ ଆଇଟିବିପି ଯବାନମାନଙ୍କୁ ମୁତୟନ କରାଯାଇଛି। ସେହିପରି ନେପାଳ ଓ ଭୁଟାନ ସୀମାରେ ସଶସ୍ତ୍ର ସୀମା ବଳ(ଏସ୍ଏସ୍ବି)କୁ କଡ଼ା ପହରା ଦେବା ପାଇଁ କୁହାଯାଇଛି। ସେହିପରି ବାୟୁସେନାକୁ ମଧ୍ୟ ସତର୍କ ରହିବା ପାଇଁ କୁହାଯାଇଛି।
ନିୟନ୍ତ୍ରଣ ରେଖା ନିକଟରେ ବିଭିନ୍ନ ସମୟରେ ହେଉଥିବା ଉତ୍ତେଜନା ପାଇଁ ଭାରତ ହିଁ ଦାୟୀ ବୋଲି ବୁଧବାର ଚୀନ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ହୁଆ ଚୁନ୍ୟିଙ୍ଗ୍ ଅଭିଯୋଗ କରିଛନ୍ତି। ପୂର୍ବ ଲଦାଖର ପାଙ୍ଗଙ୍ଗ ସୋ ହ୍ରଦର ଦକ୍ଷିଣ ଉପକୂଳରେ ଚୀନ ସେନାମାନେ କରିଥିବା ସଦ୍ୟ ଅତିକ୍ରମଣ ଉଦ୍ୟମ କେବଳ ଭାରତକୁ ଉସୁକାଇବା ପାଇଁ ଉଦ୍ଦିଷ୍ଟ ବୋଲି ଆମେରିକୀୟ ଗୁଇନ୍ଦା ବିଭାଗ ଅନୁଧ୍ୟାନ କରି କହିଛି।
from Kanak News https://ift.tt/2Gfu7SP https://ift.tt/2DneBmP
No comments: