ଭୁବନେଶ୍ୱର ୦୮।୦୬: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୪୮ଘଣ୍ଟାରେ ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ୧୦ ତାରିଖରୁ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି ଜିଲ୍ଲାରେ ନିର୍ଧୁମ ବର୍ଷିବ । ୧୧ ତାରିଖରେ ମଧ୍ୟ ୧୦ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମୌସୁମୀ ଆସିବାକୁ ଏହି ବର୍ଷା ସୁହାଇବ ବୋଲି ବିଭାଗ କହିଛି ।
୧୧ ତାରିଖ ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ, ପୁରୀ ଓ ବୌଦ୍ଧରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୧୦ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ତେବେ ଉପକୂଳ ଓଡ଼ିଶାର ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁରରେ ମଧ୍ୟ ପ୍ରବଳ ବର୍ଷା ହେବ ।
ଘୂର୍ଣ୍ଣିବଳୟ ଆସନ୍ତା ଦୁଇ ଦିନ ପରେ ଲଘୁଚାପରେ ପରିଣତ ହେବା ପରେ ତାର ପ୍ରଭାବ ଦେଖାଇବ । ୧୦ ଓ ୧୧ ତାରିଖ ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଭଳି ବର୍ଷା ରାଜ୍ୟକୁ ମୌସୁମୀ ଆଣିବାକୁ ସୁହାଇବ । ୧୦ରୁ ୧୨ ତାରିଖ ଭିତରେ ରାଜ୍ୟରେ ମୌସୁମୀ ପହଞ୍ଚିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ.ଏଚ୍ଆର୍ ବିଶ୍ୱାସ କହିଛନ୍ତି ।
୮ ଓ ୯ ତାରିଖ ମଧ୍ୟ ରାଜ୍ୟର ଉପକୂଳ ଓଡ଼ିଶା, ଉତ୍ତର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ । ୩୦ରୁ ୪୦କିମି ବେଗରେ ପବନ ବି ବହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି ।
ଆଇଏମ୍ଡିର ଜିଲ୍ଲାଭିତ୍ତିକ ବୃଷ୍ଟିପାତ ପୂର୍ବାନୁମାନ ତଥ୍ୟ ଅନୁସାରେ, ୮ ତାରିଖରେ ୧୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ୧୪ ଜିଲ୍ଲାର କିଛି ସ୍ଥାନରେ କାଁ ଭାଁ ବର୍ଷା ହେବ । ୯ ତାରିଖରେ ୨୧ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ୯ଟି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ । ୧୦ ଓ ୧୧ ତାରିଖ ୩୦ଟି ଯାକ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆଇଏମ୍ଡି କହିଛି।
ସେପଟେ ରବିବାର ଟିଟିଲାଗଡ଼ରେ ସର୍ବାଧିକ ୪୧ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ମାଲକାନଗିରିରେ ୪୦.୫ ଡିଗ୍ରୀ, ଭବାନୀପାଟଣା ଓ ବଲାଙ୍ଗୀରରେ ୩୯.୫ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
from Prameya News7 https://ift.tt/3f1yU6G
No comments: