କେନ୍ଦ୍ରାପଡ଼ା: ସାମ୍ବାଦିକଙ୍କୁ ଦାଦାଗିରି ଦେଖାଇଲେ କେନ୍ଦ୍ରାପଡ଼ା ବିଜେଡି ସଂସାଦ ଅନୁଭବ ମହାନ୍ତି। ଗଣମାଧ୍ୟମ ସାମ୍ନାରେ ପୁଣି ଥରେ ନିଜର ଔଦ୍ଧତ୍ୟ ଦେଖାଇଛନ୍ତି ସାଂସଦ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବସମ୍ମୁଖରେ ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର କରିଛନ୍ତି ଅନୁଭବ। କେବଳ ଦୁର୍ବ୍ୟବହାର ନୁହେଁ, ନ୍ୟୁଜ୍କୁ କଦର୍ଥ କରୁଛ ବୋଲି ଆକ୍ଷେପ କରିବା ସହ ତାଚ୍ଛଲ୍ୟ କରିଛନ୍ତି ଅନୁଭବ ମହାନ୍ତି।
ସାମ୍ବାଦିକ ମନୋଜ ସ୍ୱାଇଁଙ୍କ ହାତଧରି ଟାଣିନେବା ସହ ତାଳିମାରି ଅପମାନିତ କରିବାକୁ ବି ପଛାଇ ନାହାଁନ୍ତି ସେ। ଏପରିକି ବୁମ୍(ସାମ୍ବାଦିକଙ୍କ ମାଇକ୍)କୁ ମଧ୍ୟ ଠେଲିଛନ୍ତି ଅନୁଭବ। କେବଳ ଅନୁଭବ ନୁହଁନ୍ତି, ତାଙ୍କର କିଛି ଅନୁଗତ ବି ଅନୁଭବଙ୍କ ସହ ସ୍ୱର ମିଳାଉଥିବାର ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଛି।
କେନ୍ଦ୍ରାପଡ଼ାର ପ୍ରସିଦ୍ଧ ବଳଦେବଜୀଉ ପୀଠର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮ କୋଟି ୫୦ ଲକ୍ଷ ଟଙ୍କା ମଂଜୁର କରିଥିଲେ। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସିଂ କରାଯାଇଥିଲା। ଏଥିରେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ ଏବଂ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ ସରିବା ପରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଧାୟକ ଶଶୀଭୂଷଣ ବେହେରା, ଧ୍ରୁବ ସାହୁ ଓ ସାଂସଦ ଅନୁଭବ ମହାନ୍ତି ସୂଚନା ଦେଇଥିଲେ। ତେବେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଉପସ୍ଥିତ ଥିବା ଓଟିଭି ପ୍ରତିନିଧିଙ୍କୁ ସାଂସଦ ଟାର୍ଗେଟ୍ କରି ଅସଦ୍ ବ୍ୟବହାର କରିଥିଲେ ଅନୁଭବ ମହାନ୍ତି। ଅନ୍ୟ ବିଧାୟକ ଓ ଜନ ପ୍ରତିନିଧି ସହ ଉପସ୍ଥିତ ଅନ୍ୟ ରାଜନେତାମାନେ ବେଶ୍ ଶୃଙ୍ଖଳିତ ଭାବେ ଗଣମାଧ୍ୟମକୁ ସୂଚନା ଦେଉଥିବାବେଳେ ସାଂସଦ ଅନୁଭବ ମହାନ୍ତି ଉତ୍ତ୍ୟକ୍ତ ହୋଇ ଅସଦ୍ ବ୍ୟବହାର ଆରମ୍ଭ କରିଥିଲେ।
ସଂସ୍ଥାପ୍ରତି ବ୍ୟକ୍ତିଗତ ବିଦ୍ୱେଶ ଯାହା ଥାଉନା କାହିଁକି, ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ଦୁର୍ବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି କହିଛନ୍ତି। ଏହାକୁ ରାଜ୍ୟର ସମସ୍ତ ସାମ୍ବାଦିକ ନିନ୍ଦା କରିଥିବା ସେ କହିଛନ୍ତି।
from OTV Khabar. https://ift.tt/34FtHfH
No comments: