ଯାଜପୁର (ଗୁଲାମ ଗସ ) : ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ପଦୁ ଗଳୁଛି ମକରନ୍ଦ, ସେ ମକରନ୍ଦ ପାନ କରି, ହେଳେ ତରିଲେ ବ୍ରଜ ନାରୀ, ଏହି ଉକ୍ତିଟି ଅତିବଡି ଜଗନ୍ନାଥ ଦାସଙ୍କ ରଚିତ ଓଡିଆ ଭାଗବତର । ଘରେ ଘରେ ପରିଚିତ ଏହି ଓଡିଆ ଭାଗବତ । କିନ୍ତୁ ଆଶ୍ଚର୍ଯ୍ୟର କଥା ମାତ୍ର ୬ବର୍ଷ ବାଳକ କଣ୍ଠରୁ ଝରିପଡୁଛି ଅନର୍ଗଳ ଏହି ଭାଗବତ ।
ଯାଜପୁର ବ୍ଲକ ରୁଦ୍ରପୁର ପଂଚାୟତ ବଡବାଗସାହି ଗ୍ରାମର ଅଶୋକ କୁମାର ପାଢୀଙ୍କର ଏକମାତ୍ର ପୁତ୍ର ହେଉଛନ୍ତି ବିରଜା ଶଙ୍କର । କବୀରପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରରେ ପ୍ରଥମ ଶ୍ରେଣୀରେ ପାଠ ପଢିନ୍ତି । ଖେଳିବା ବୁଲିବା ବୟସରେ ଏପରି ଆଧ୍ୟାତ୍ମିକ ଭାବ ସହ ଭାଗବତ ପଢିବାର ନିଶା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।
କଥାରେ ଅଛି ଭାଗବତ ପାଠରେ ଯେତିକି ପୁଣ୍ୟ ମିଳେ, ମାତ୍ର ଏହାକୁ ଯେଉଁମାନେ ଶ୍ରବଣ କରନ୍ତି ତାଠୁ ଅଧିକ ପୁଣ୍ୟ ମିଳିଥାଏ । ଭାଗବତ ପଠନରେ ବୟସ ବାଧକ ନଥାଏ । ଯେମିତି ଏହି ଛୋଟ ପିଲାଟି । ବୟସ ମାତ୍ର ଛଅ ବର୍ଷ ବୟସ । ଠିକ୍ରେ କଥା କହି ଶିଖିନି, ଠିକରେ ବୁଝିନି ଭାଗବତ କଣ, କିନ୍ତୁ ଅନର୍ଗଳ ଗାଇ ଚାଲିଛି ଭାଗବତ ।
ବିରଜାଶଙ୍କରଙ୍କ ମା’ ଜନ୍ମରୁ ମୁକ ଓ ବଧିର । ବାପା ଚେନ୍ନାଇରେ ଏକ ଘରୋଇ କଂପାନୀରେ କାମ କରନ୍ତି । ଅର୍ଥ ଅଭାବରୁ ସେ ତାଙ୍କ ମାମୁଁ ଘର ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମଙ୍ଗରାଜପୁରରେ ରହି ପାଠ ପଢିନ୍ତି । ତାଙ୍କର ଆଈଙ୍କ ପ୍ରେରଣାରେ ବିରଜା ଶଙ୍କର ଭାଗବତ ପଢିଥିଲେ। ଠାକୁର ଘରେ ଆଈ ଭାଗବତ ପଢିଲା ବେଳେ ତାକୁ ଶୁଣି ଶୁଣି ଭାଗବତକୁ ସଂପୂର୍ଣ୍ଣ ମନେ ରଖିଛନ୍ତି । ଖାଲି ଭାଗବତ ନୁହେଁ ଶ୍ରୀମଦ୍ ଭଗବତ ଗୀତା ମଧ୍ୟ ଶୁଣି ଶୁଣି ଗାଇ ପାରନ୍ତି । ପ୍ରତିଦିନ ବିଦ୍ୟାଳୟ ପ୍ରାର୍ଥନା ସଭାରେ ସେ ଭାଗବତ ପାଠ କରନ୍ତି । ବିଦ୍ୟାଳୟର ସେ ଜଣେ ମେଧାବୀ ଛାତ୍ର ମଧ୍ୟ । ଆର୍ଥିକ ସ୍ୱଚ୍ଛଳ ଭଲ ନଥିଲେ ମଧ୍ୟ ଭାଗବତ ପଢି କମ୍ ବୟସରେ ସେ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି ।
ମାତ୍ର ୬ ବର୍ଷ ବୟସର ଏହି ବାଳକର ଏଭଳି ଭାଗବତ ପାଠକୁ ସଭିଏଁ ପ୍ରସଂଶା କରିଛନ୍ତି ।
from OTV Khabar. https://ift.tt/2QeDWoS
No comments: