ପ୍ରଧାନମନ୍ତ୍ରୀଙ୍କୁ ୩୦ ମିନିଟ୍‌ ଅପେକ୍ଷା କରାଇଲେ ଦିଦି ! ଆସିଲେ ରିପୋର୍ଟ ଦେଇ ଚାଲିଗଲେ Rajalaxmi Sahoo

କୋଲକାତା: ବାତ୍ୟା ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମୀକ୍ଷା ବୈଠକରେ ଅଧଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ ମମତା। ଖାଲି ସେତିକି ନୁହେଁ ମମତା, ପ୍ରଧାନମନ୍ତ୍ରୀଙ୍କୁ ବାତ୍ୟା ୟାସ୍‌ କ୍ଷୟକ୍ଷତି ଏକ ରିପୋର୍ଟ ପ୍ରଦାନ କରି ଅନ୍ୟ ଏକ ବୈଠକ ଥିବା କହି ଚାଲି ଯାଇଥିବା ସୂଚନା ରହିଛି। କଲାଇକୁଣ୍ଡା ଏୟାର ବେସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ମାତ୍ର ୧୫ ମିନିଟ୍‌ ପାଇଁ ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା ବୈଠକ ଥିଲା। ଏହାପରେ ଅନ୍ୟ ଏକ ବୈଠକ ଥିବା କହି ମମତା ଚାଲି ଯାଇଥିଲେ। ମମତା ଚାଲିଯିବା ପରେ ତାଙ୍କ ପଛେପଛେ ପଶ୍ଚିମବଙ୍ଗ ମୁଖ୍ୟ ସଚିବ ମଧ୍ୟ ଚାଲିଯାଇଥିଲେ।

ଏହି ଘଟଣା ପରେ ପଶ୍ଚିମବଙ୍ଗ ମୁଖ୍ୟ ସଚିବ ତଥା ବରିଷ୍ଠ ଆଇଏଏସ୍ ଅଲପନ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀକୁ ବଦଳି କରାଯାଇଛି। ଅଲପନ ବନ୍ଦୋପାଧ୍ୟାୟଙ୍କୁ ମେ ୩୧ ସୁଦ୍ଧା ପର୍ସନାଲ ଏବଂ ଟ୍ରେନିଂ ଡିପାର୍ଟମେଣ୍ଟରେ ଯୋଗଦେବାକୁ କୁହାଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଦଳିର ଏକ ଲେଟର ତାଙ୍କ ପାଖକୁ ପଠାଯାଇଛି। ଏଥିଲାଗି ପଶ୍ଚିମବଙ୍ଗ ସରକାର ବନ୍ଦୋପାଧ୍ୟାୟଙ୍କୁ ତୁରନ୍ତ ସେବାମୁକ୍ତ କରିବା ପାଇଁ ଚିଠିରେ ଅନୁରୋଧ କରାଯାଇଛି।

ମମତା ବାନାର୍ଜୀ କହିଥିଲେ, ‘ଆପଣ ମୋତେ ସାକ୍ଷାତ କରିବାକୁ ଚାହୁଁଥିଲେ, ସେଥିପାଇଁ ମୁଁ ଆସିଛି। ମୁଁ ଓ ମୋର ମୁଖ୍ୟ ସଚିବ ଏହି ରିପୋର୍ଟ(ବାତ୍ୟା କ୍ଷୟକ୍ଷତି ରିପୋର୍ଟ) ପ୍ରଦାନ କରିବାକୁ ଚାହୁଁଛୁ। ବର୍ତ୍ତମାନ ଦିଘାରେ ଆମର ଏକ ମିଟିଂ ଅଛି, ତେଣୁ ଆମେ ଆପଣଙ୍କ ଅନୁମତି ଲୋଡ଼ୁଛୁ।

ଘଟଣାକୁ ନେଇ ମମତା ବାନାର୍ଜୀଙ୍କ ଅଫିସ ପକ୍ଷରୁ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମିଟିଂ ସମ୍ପର୍କରେ କେନ୍ଦ୍ରକୁ କୁହାଯାଇଥିଲା। ହେଲେ ପ୍ରଧାନମନ୍ତ୍ରୀ ଏୟାରବେସ୍‌ରେ ପହଞ୍ଚିବା ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବା ପାଇଁ କୁହାଯାଇଥିଲା। ଯାହାକୁ ନେଇ ସେ ନାରାଜ ହୋଇଯାଇଥିଲେ।

ତେବେ ମମତାଙ୍କ ଏଭଳି ଆଚରଣକୁ ବିଜେପି ପକ୍ଷରୁ ଘୋର ନିନ୍ଦା ଓ କଡ଼ା ସମାଲୋଚନା କରାଯାଇଛି । ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷାରେ ମମତା ଯୋଗ ନଦେବା ପ୍ରସଙ୍ଗକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । ସେ କହିଛନ୍ତି, ପଶ୍ଚିମବଙ୍ଗର ବାତ୍ୟା ପୀଡ଼ିତ ଏବେ ସହାୟତା ଅପେକ୍ଷାରେ । ବିପତ୍ତି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟ ଆତ୍ମଗର୍ବର ପରିଚୟ। ଏହି ଘଟଣା ମମତାଙ୍କ ଗର୍ବ ବୋଧର ପରିଚୟ ଦେଇଛି ବୋଲି ଶ୍ରୀ ଶାହ କହିଛନ୍ତି।

The post ପ୍ରଧାନମନ୍ତ୍ରୀଙ୍କୁ ୩୦ ମିନିଟ୍‌ ଅପେକ୍ଷା କରାଇଲେ ଦିଦି ! ଆସିଲେ ରିପୋର୍ଟ ଦେଇ ଚାଲିଗଲେ appeared first on OTV Khabar..



from OTV Khabar. https://ift.tt/3i5gGWu
ପ୍ରଧାନମନ୍ତ୍ରୀଙ୍କୁ ୩୦ ମିନିଟ୍‌ ଅପେକ୍ଷା କରାଇଲେ ଦିଦି ! ଆସିଲେ ରିପୋର୍ଟ ଦେଇ ଚାଲିଗଲେ Rajalaxmi Sahoo ପ୍ରଧାନମନ୍ତ୍ରୀଙ୍କୁ ୩୦ ମିନିଟ୍‌ ଅପେକ୍ଷା କରାଇଲେ ଦିଦି ! ଆସିଲେ ରିପୋର୍ଟ ଦେଇ ଚାଲିଗଲେ Rajalaxmi Sahoo Reviewed by SUBHENDU BARAL on May 28, 2021 Rating: 5

No comments:

Powered by Blogger.