ଏଣିକି ଓଡିଶାର ସମସ୍ତ ସହରାଞ୍ଚଳ ଲୋକଙ୍କୁ ମିଳିବ ୨୪ ଘଣ୍ଟା ବିଶୁଦ୍ଧ ପାଣି: ଆରମ୍ଭ ହେବ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିସନ୍’, ଟ୍ୟାପ୍ ପାଣିର ମାନ ଆକ୍ବାଗାର୍ଡ ପାଣିର ମାନ ଭଳି ରହିବ Kanak News
କନକ ବ୍ୟୁରୋ: ସାରା ଓଡ଼ିଶାରେ ସହରାଞ୍ଚଳରେ ଲୋକଙ୍କୁ ୨୪ ଘଣ୍ଟା ବିଶୁଦ୍ଧ ପାଣି ମିଳିବ। ଘରେ ଆଉ ପାଣି ଟାଙ୍କି, ସମ୍ପ୍ରେ ପାଣି ସଞ୍ଚୟ କରି ରଖିବାକୁ ପଡ଼ିବନି କି ପୂରା ବିଶୁଦ୍ଧ ପାଣି ପିଇବାକୁ ଆକ୍ବାଗାର୍ଡ କି କିଛି ଜଳ ବିଶୋଧନ ସାମଗ୍ରୀ ବି ବ୍ୟବହାର କରିବାକୁ ପଡ଼ିବନି। ଦିନ ରାତି ୨୪ଘଣ୍ଟା ଟ୍ୟାପ୍ରେ ପାଣି ଆସିବ। ଟ୍ୟାପ୍ ପାଣିର ମାନ ଆକ୍ବାଗାର୍ଡ ପାଣିର ମାନ ଭଳି ରହିବ। ଲୋକମାନେ ଏହାକୁ ଟ୍ୟାପ୍ରୁ ନେଇ ସିଧା ପିଇ ପାରିବେ। ଏହିଭଳି ଯୋଜନା ନଗର ଉନ୍ନୟନ ବିଭାଗ କରିବାକୁ ଯାଉଛି। ଏଥିପାଇଁ ଖୁବ୍ ଶୀଘ୍ର ୨୪x୭ ଜଳ ଯୋଗାଣ ଏବଂ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିସନ୍ ଆରମ୍ଭ ହେବାକୁ ଯାଉଛି।
ଏହି ମିସନ୍ ଭୁବନେଶ୍ବରର ୫ଟି ଅଞ୍ଚଳ ଯଥା ୟୁନିଟ-୬, କଳିଙ୍ଗ ନଗରର କେ-୮, ସହିଦନଗର, ନୀଳାଦ୍ରିବିହାର, ସାଲିଆ ସାହି ଏବଂ ପୁରୀର ମଶାଣି ଚଣ୍ଡୀ ଅଞ୍ଚଳ ଏବଂ ବଳିଆ ପଣ୍ଡା ବସ୍ତିରେ ପାଇଲଟ୍ ପ୍ରକଳ୍ପ ଭାବେ ଆରମ୍ଭ କରିବାକୁ ଆପାତତଃ ନିଷ୍ପତ୍ତି ହୋଇଛି। ଏହି ମିସନ୍ ଯେପରି ସଫଳ ହେବ, ସେଥିପାଇଁ ବୁଧବାରଠାରୁ ଭୁବନେଶ୍ବରର ୫ଟି ଯାକ ଅଞ୍ଚଳରେ ସର୍ଭେ ଆରମ୍ଭ ହୋଇଛି। ଜନସ୍ବାସ୍ଥ୍ୟ ବିଭାଗ ଯୋଗାଉଥିବା ପାଣିର ମାନ କିପରି ଅଛି, ଦିନକୁ କେତେ ପାଣି ପାଉଛନ୍ତି, କେମିତି ପାଣି ପିଇବାକୁ ଚାହୁଁଛନ୍ତି, ଘରେ କେତୋଟି ପାଣି ଟାଙ୍କି- ସମ୍ପ୍ ଅଛି ଏହିଭଳି ପ୍ରଶ୍ନ ପଚାରି ଲୋକଙ୍କଠାରୁ ମତାମତ ସଂଗ୍ରହ କରାଯାଉଛି। ଏହି ସର୍ଭେର ରିପୋର୍ଟ ସହ ଯୋଗାଯିବାକୁ ଥିବା ପିଇବା ପାଣିର ମାନ ଯେପରି ଅନ୍ତର୍ଜାତୀୟ ସ୍ତରର ହେବ ଏବଂ ବିଦେଶରେ ଲୋକ ଯେପରି ପାଣି ପିଉଛନ୍ତି ତାହାକୁ ବଜାୟ ରଖିବାକୁ ୟୁନିସେଫ୍ ଓ ଜାଇକାର ସହଯୋଗରେ ଏହି ପ୍ରକଳ୍ପ କରିବାକୁ ନଗର ଉନ୍ନୟନ ବିଭାଗ ଆଲୋଚନା କରୁଛି।
ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭାରତରେ ମାତ୍ର ହାତଗଣତି କେତୋଟି ସ୍ଥାନରେ ପରୀକ୍ଷାମୂଳକ ଭାବେ ୨୪ ଘଣ୍ଟିଆ ପାଣି ଯୋଗାଣ ହେଉଛି। ହେଲେ କେଉଁଠି ବି ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ ହୋଇନି। ସାରା ଦେଶରେ ପ୍ରଥମ କରି ଏହି ପ୍ରକଳ୍ପ ଓଡ଼ିଶାରେ ହେବାକୁ ଯାଉଛି। ଭୁବନେଶ୍ବର ଓ ପୁରୀରେ ପାଇଲଟ୍ ପ୍ରକଳ୍ପ ଭାବେ ଏହା ଆରମ୍ଭ ହେବାକୁ ଥିବା ବେଳେ ଏଥିରେ ବସ୍ତିବାସିନ୍ଦାଙ୍କ ସମେତ ଭିଆଇପି, ସାଧାରଣ ଲୋକଙ୍କୁ ସାମିଲ୍ କରାଯାଇଛି। ସମସ୍ତଙ୍କୁ ୨୪ ଘଣ୍ଟା ବିଶୁଦ୍ଧ ପାଣି ଯୋଗାଇବାରେ ସଫଳ ହେଲେ ପୂରା ଭୁବନେଶ୍ବରରେ ଓ ପୁରୀରେ ଏହାକୁ ଲାଗୁ କରାଯିବ। ଏହାପରେ ସାରା ଓଡ଼ିଶାରେ ଏହାକୁ ଲାଗୁ କରାଯିବ। ଯୋଜନା ଅନୁଯାୟୀ କାର୍ଯ୍ୟ ହେଲେ ଆସନ୍ତା ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ। ମାର୍ଚ୍ଚ ୨୦୨୦ରେ ଏହି ପ୍ରକଳ୍ପକୁ ଲୋକାର୍ପଣ କରିବାର ଯୋଜନା ଅଛି।
ମୁଖ୍ୟମନ୍ତ୍ରୀଙ୍କ ୫ଟି ଯୋଜନାରେ ଟେକ୍ନୋଲୋଜି ଥିବା ବେଳେ ଏହି ଟେକ୍ନୋଲୋଜିକୁ ପାନୀୟ ଜଳଯୋଗାଣ କ୍ଷେତ୍ରରେ ବ୍ୟବହାର କରିବାକୁ ନଗର ଉନ୍ନୟନ ବିଭାଗ ନିଷ୍ପତ୍ତି ନେଇଛି। ଏଥିପାଇଁ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି। ଏଥିରେ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ପି.କେ ଝା ଅଧ୍ୟକ୍ଷ ଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଜନ୍ମେଜୟ ସେଠୀ ସହ ଅଧ୍ୟକ୍ଷ ଅଛନ୍ତି। ଏହି ମିସନ୍କୁ କାର୍ୟ୍ୟକାରୀ କରିବାର ଦାୟିତ୍ବ ଜନସ୍ବାସ୍ଥ୍ୟ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ. ପି.କେ ସ୍ବାଇଁଙ୍କୁ ଦିଆଯାଇଛି। ଖୋର୍ଦ୍ଧା, ଜଟଣୀ ସହର ସମେତ ନାଇଜର୍ ଓ ଆଇଆଇଟିକୁ ପାଣି ଯୋଗାଇବା ପାଇଁ ହୋଇଥିବା ପିପିପି ପ୍ରକଳ୍ପ, ବ୍ରହ୍ମପୁରର ଜାନିବିଲିରେ ହୋଇଥିବା ୪୯୦କୋଟିର ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ସଫଳତାର ସହ କାର୍ଯ୍ୟକାରୀ କରିଥିବା ଇଂ.ସ୍ବାଇଁଙ୍କୁ ଏହି ମିସନର ମିସନ୍ ନିର୍ଦ୍ଦେଶକ କରାଯାଇଛି। ଏହାସହ ୱାଟ୍କୋର ତିନି ବରିଷ୍ଠ ଅଧିକାରୀ ଇଂ. ଶରତ ଚନ୍ଦ୍ର ମିଶ୍ର, ଇଂ. ଗୁରୁଚରଣ ଦାସ ଏବଂ ଇଂ. ଦେବ ମହାନ୍ତିିଙ୍କୁ ନେଇ ଏହି ଟିମ୍ ଗଠନ ହୋଇଛି।
ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏବେ ଜଳ ବିଶୋଧନାଗାରରୁ ବିଭିନ୍ନ ଅଞ୍ଚଳରେ ଥିବା ଜଳଯୋଗାଣ ସେକ୍ସନର ପାଣି ଟାଙ୍କିକୁ ପାଣି ଆସୁଛି। ଏଠାରୁ ଲୋକଙ୍କ ଘରକୁ ପାଣି ଯୋଗାଣ ହେଉଛି। ତେଣୁ ଜଳ ବିଶୋଧନାଗାରରୁ ଆସୁଥିବା ପାଣିକୁ ଜଳ ଯୋଗାଣ କେନ୍ଦ୍ରରେ ଅନ୍ତର୍ଜାତୀୟ ମାନର କରିବା ପରେ ଲୋକଙ୍କ ଘରକୁ ଯୋଗାଯିବ। ଲୋକଙ୍କ ଘରେ ଯେପରି ପୂରା ବିଶୁଦ୍ଧ ପାଣି ପହଞ୍ଚିବ, ସେଥିପାଇଁ ଅନଲାଇନ୍ରେ ଏହା ମନିଟର୍ ହେବ। କୌଣସି ସ୍ଥାନରେ ପାଣି ପାଇପ୍ ଫାଟିଲା କି ଦୂଷିତ ହେଲା, ତାହା ତୁରନ୍ତ ଜଳଯୋଗାଣ କେନ୍ଦ୍ରରେ ଲାଗିଥିବା ମନିଟର୍ରେ ଦେଖାଇବ। ଏହାକୁ ତୁରନ୍ତ ମରାମତି କରାଯିବ। ଏହିପରି ଭାବେ ଲୋକଙ୍କୁ ୨୪ଘଣ୍ଟା ବିଶୁଦ୍ଧ ପାଣି ଯୋଗାଇବାକୁ ଯୋଜନା ହୋଇଛି। ଏହି ପ୍ରକଳ୍ପ ଆରମ୍ଭ ହେଲେ ଲୋକଙ୍କ ଘରର ପାଣି ଟାଙ୍କି, ସମ୍ପ୍କୁ ପାଣି ସଂଯୋଗ କାଟି ଦିଆଯିବ। ଆବଶ୍ୟକସ୍ଥଳେ ପାଣି ଟାଙ୍କି କାଢ଼ି ଦିଆଯିବ। ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଣ ଓ ବ୍ୟବହାର ନେଇ ସଚେତନ କରାଯିବ। ଯିଏ ଯେତେ ପାଣି ବ୍ୟବହାର କରିବେ, ସେହି ଅନୁଯାୟୀ ପାଣି ବିଲ୍ ଦେବେ। ଏଥିପାଇଁ ପ୍ରତି ଘରେ ପାଣି ମିଟର ଲାଗିବ।
ତେବେ ଏହି ଯୋଜନା କାର୍ଯ୍ୟକାରୀ ହେଲେ ଭୁବନେଶ୍ବରରେ ପ୍ରାୟ ୨୫ହଜାର ଏବଂ ପୁରୀରେ ୩ହଜାର ଉପଭୋକ୍ତା ଉପକୃତ ହେବେ ବୋଲି ଜଣାପଡ଼ିଛି।
from Kanak News https://ift.tt/2GMo6dX https://ift.tt/2T4L9Fz
No comments: