ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ବୟାନକୁ ନେଇ ତେଜିଲା ବିବାଦ। ଆଜି ଭଦ୍ରକରେ ରାଲି କରିବ କଂଗ୍ରେସ, ଭୁବନେଶ୍ୱରରେ ବୈଠକ Kanak News

କନକ ବ୍ୟୁରୋ: ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବୟାନକୁ ନେଇ ତେଜିବାରେ ଲାଗିଛି ବିବାଦ । ଏହି ବିବାଦକୁ ନେଇ ଗତକାଲି ବିଧାନସଭାରେ ଝଡ ଉଠିଥିବାବେଳେ ଆଜି ଏହାକୁ ନେଇ କଂଗ୍ରେସ ରାସ୍ତାକୁ ଓହ୍ଲାଇବାକୁ ଯୋଜନା କରିଛି । ବିଷ୍ଣୁଙ୍କ ଜିଲ୍ଲା ଭଦ୍ରକରେ ଆଜି ପ୍ରତିବାଦ କରି ଶୋଭାଯାତ୍ରା କରିବା ପାଇଁ କଂଗ୍ରେସ ଯୋଜନା କରିିଛି ।
ଅନ୍ୟପଟେ ଆଜି ବାଚସ୍ପତି ଏନେଇ କଣ ନିର୍ଦ୍ଦେଶ ଦେଉଛନ୍ତି ତା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ତେବେ ଏହି ପ୍ରସଙ୍ଗରେ ବିଷ୍ଣ କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ସେ ଜାଣିଶୁଣି ଏଭଳି କିଛି କହିନାହାଁନ୍ତି । ସେ ଭାବପ୍ରବଣ ହୋଇ ଏବଂ ଜାତୀୟ ଗଣମାଧ୍ୟମର ଖବରକୁ ଆଧାର କରି ଯାହା କିଛି କହିଛନ୍ତି ।
ଗତକାଲି ତିନି ତଲାକ୍ ବିଲ୍କୁ କଂଗ୍ରେସ ବିରୋଧ କରିବା ଏହି ପ୍ରସଙ୍ଗରେ ଗୃହରେ ଜବାବ ରଖୁଥିଲେ ବିଷ୍ଣୁ ସେଠୀ । ସେହି ସମୟରେ କହିଥିଲେ, ମୁସଲିମ୍ ପରିବାରରେ ଛାଡପତ୍ର ଯୋଗୁଁ ସ୍ତ୍ରୀ ଲୋକମାନେ ରେଡ୍ ଲାଇଟ୍ ଏରିଆରେ ବେଶ୍ୟାବୃତି କରୁଛନ୍ତି । ଏହି ବୟାନକୁ ନେଇ ବିଧାନସଭାରେ ହଙ୍ଗାମା ହୋଇଥିଲା । କଂଗ୍ରେସ ଏହାକୁ ଜୋରଦାର ବିରୋଧ କରି କ୍ଷମାପ୍ରାର୍ଥନା ଦାବି କରିଥିଲା ଏବଂ କଂଗ୍ରେସ ସଦସ୍ୟଙ୍କ ସହ ସ୍ୱର ମିଳାଇଥିଲେ ବିଜେଡି ବିଧାୟକ ।ଗତକାଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏ ନେଇ ବିଧାୟକ ତଥା ବିରୋଧିଦଳ ଉପନେତାଙ୍କୁ ସର୍ବସାଧାରଣରେ ସମଗ୍ର ଦେଶର ମୁସଲିମ୍ ମହିଳାମାନଙ୍କ ପ୍ରତି ଦେଇଥିବା ଆଶାଳୀନ ତଥା ଅରୁଚିକର ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିବା ସହିତ ସର୍ବ ସମ୍ମୁଖରେ କ୍ଷମା ମାଗିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଈଶ୍ୱର, ବିଜେପି ଓ ତାଙ୍କର ନେତାମାନଙ୍କ ସଦବୁଦ୍ଧି ପ୍ରଦାନ କରନ୍ତୁ। ଯଦ୍ୱାରା ଭାରତୀୟ ସଂସ୍କୃତିରେ ନାରୀମାନଙ୍କ ସମ୍ମାନ ଓ ଗାରିମାର ଭୁଲୁଣ୍ଡିତ କରିବାକୁ ଦିଆନଯାଉ।
ବିଧାନସଭାର ଶୁନ୍ୟକାଳରେ ତିନି ତଲାକ ବିଲ୍ ଉପରେ ସରଗରମ ଆଲୋଚନା ଚାଲିଥିଲା ବେଳେ ଗୃହର ବିଧାୟକ ଶ୍ରୀ ସେଠୀ କହିଥିଲେ ଯେ, ତିନି ତଲାକ ପୀଡ଼ିତା ବହୁ ମୁସଲିମ୍ ମହିଳାମାନେ ବମ୍ବେ, କୋଲକାତା, ଦିଲ୍ଲୀ ଏବଂ ଦେଶରେ ଅନ୍ୟ ସହରମାନଙ୍କରେ ଦେହ ବ୍ୟବସାୟରେ ଲିପ୍ତ ରହୁଥିବାର ପ୍ରମାଣ ଅଛି। ଯେକୌଣସି ପ୍ରରିପ୍ରେକ୍ଷୀରେ ନାରୀମାନଙ୍କ ଉଦ୍ଦେଶ୍ୟରେ ଏଭଳି ଅପଶବ୍ଦ ଓ ଅରୁଚିକର ମନ୍ତବ୍ୟ ସବୁବେଳେ ନିନ୍ଦନୀୟ। ତାଙ୍କର ମନେ ରଖିବା ଉଚିତ ଯେ, ଭାରତୀୟ ସଂସ୍କୃତିରେ ନାରୀମାନଙ୍କର ସ୍ଥାନ ସବୁ ବେଳେ ସ୍ୱତନ୍ତ୍ର ଓ ଉଚ୍ଚରେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ବିଜେପି ତଥା ତାଙ୍କର ନେତାମାନଙ୍କର ଏହା ଏକ କୁତ୍ସିତ ମାନସିକତାର ପରିଚୟ ଅଟେ। ଏହା ପୂର୍ବରୁ ବିଜେପି ଦଳର ନେତ୍ରୀ ତଥା ସାଧାରଣ ସଂପାଦିକା ଓଡ଼ିଶାର ମହିଳାମାନେ ସୁରଟ ସହରରେ ଦେହ ବେପାର କରନ୍ତି ବୋଲି ମଧ୍ୟ କହିଥିଲେ। ବିଜେପି ନେତାମାନେ ଭାରତୀୟ ନାରୀମାନଙ୍କ ଉଦ୍ଦେଶ୍ୟରେ ଏଭଳି ଅପମାନସୂଚକ ମନ୍ତବ୍ୟ ଦେଉଥିବା ଦେଳେ ଦଳର ବରିଷ୍ଠ ନେତାମାନେ ନିରବ ରହିବା ନାରୀଜାତି ପ୍ରତି ଏ ଦଳର ନେତା ନିଜର ନୀଚ ମାନସିକତାର ପରିଚୟ ପ୍ରଦାନ କରିଛନ୍ତି।
from Kanak News https://ift.tt/2YCMDba https://ift.tt/314v9Gq



No comments: