ବିଶ୍ୱ ଐତିହ୍ୟ କୋଣାର୍କ ମନ୍ଦିରକୁ ପ୍ରବେଶ ଟିକେଟରେ ବ୍ୟାପକ କଳାବଜାରୀ : ଥାନାରେ ଲିଖିତ ଅଭିଯୋଗ କଲେ କର୍ତ୍ତୃପକ୍ଷ Kanak News

କନକ ବ୍ୟୁରୋ : ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ପାଇଁ ଆବଶ୍ୟକ ପଡୁଥିବା ଟିକେଟ/ଟୋକନ୍ରେ ବ୍ୟାପକ କଳାବଜାରୀ ହେଉଥିବା ନେଇ ଦୀର୍ଘଦିନ ଧରି ଅଭିଯୋଗ ହେଉଥିଲା । ଏ ସମ୍ପର୍କରେ ବିଧିବଦ୍ଧ ଭାବେ ଘଟଣା ପଦାକୁ ଆସିବା ପରେ ମନ୍ଦିରର ରକ୍ଷଣାବେକ୍ଷଣା ଦାୟିତ୍ୱରେ ଥିବା ଏଏସ୍ଆଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏ ନେଇ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି ।
ମିଳିଥିବା ସୂଚନା ମୁତାବକ, ସୂର୍ଯ୍ୟମନ୍ଦିରରେ ପ୍ରବେଶ ସମୟରେ ହିଁ ପର୍ଯ୍ୟଟକଙ୍କ ନିକଟରୁ ଟୋକ୍ନଗୁଡ଼ିକ ସଂଗ୍ରହ କରି ରଖି ଦିଆଯାଇଥାଏ । ଅନ୍ୟପକ୍ଷରେ କେତେକ ଟୋକନ୍କୁ ସ୍କାନିଂ ନକରାଯାଇ ପର୍ଯ୍ୟଟକଙ୍କୁ କଳାବଜାରୀରେ ବିକ୍ରି କରାଯାଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଏପରିକି ନିକଟରେ ମନ୍ଦିର ପରିଦର୍ଶନରେ ଆସିଥିବା ଏଏସ୍ଆଇ ଏଡିଜି ଏସମ୍ପର୍କରେ ଅବଗତ ହେବାପରେ ସ୍ଥାନୀୟ ଅଧିକାରୀଙ୍କ ଉପରେ ବର୍ଷିଥିଲେ ।
ତାଜମହଲକୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେଉଥିଲେ ମଧ୍ୟ ସେଠାରେ ଟୋକନ୍ ହେରଫେର୍ ହେଉନଥିବା ସମୟରେ କୋଣାର୍କରେ କାହିଁକି ହେଉଛି ସେନେଇ ସେ କୈଫିୟତ ତଲବ କରିଥିଲେ । ଏହା ପରେ କିଛିଦିନ ଟୋକନ ବ୍ୟବସ୍ଥା ସୁରୁଖୁରୁରେ ଚାଲିବା ପରେ ପୁଣି ଘୋଟଲା ଆରମ୍ଭ ହୋଇଛି । ଗତକାଲି ଜଣେ ପର୍ଯ୍ୟଟକଙ୍କୁ ଜଣେ ଫଟୋଗ୍ରାଫର୍ ଟିକେଟ୍ କଲବଜାରୀ କରୁଥିବା ଜଣାପଡ଼ିଥିଲା । ଏଥିରେ ମନ୍ଦିର ସୁରକ୍ଷା ଦାୟିତ୍ବରେ ଥିବା ଏକ ଘରୋଇ ସଂସ୍ଥାର ଜଣେ ସୁରକ୍ଷାକର୍ମୀ ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଥିଲା ।
ଏ ସମ୍ପର୍କରେ ଏଏସ୍ଆଇର ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେବା ପରେ ସ୍ଥାନୀୟ ଅଧିକାରୀ ଥାନାରେ ଅଭିଯୋଗ କରିଛନ୍ତି । ଏଏସ୍ଆଇର ଟିକେଟ୍ କାଉଣ୍ଟରରୁ ପ୍ରତ୍ୟେହ ୫୦ରୁ ୧୦୦ ଟୋକନ୍ ଏଟିଏମ୍ ସ୍ୱାଇପ୍ କରାଯାଇ ୩୫ ଟଙ୍କା ଦରରେ ଅଣାଯାଇ ଫଟୋଗ୍ରାଫର,ବ୍ୟବସାୟୀ ଓ ଦଲାଲଙ୍କ ମାଧ୍ୟମରେ ପର୍ଯ୍ୟଟକଙ୍କୁ ୪୦ ଟଙ୍କା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ସୂର୍ଯ୍ୟମନ୍ଦିର ଭଳି ଏକ ବିଶ୍ୱ ଐତିହ୍ୟ ସ୍ଥଳୀରେ ଟିକେଟ୍ ହେରଫେର କରି ପର୍ୟ୍ୟଟକଙ୍କୁ ଶୋଷଣ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ପ୍ରକାଶ ପାଇଛି ।
from Kanak News http://bit.ly/2I3nhOM http://bit.ly/2XBaNmO
No comments: